ଅହମଦାବାଦ: ସେଦିନ ଥିଲା ୧୨ ତାରିଖ, ଆଜି ବି ୧୨ ତାରିଖ ।ଭାରତୀୟ କ୍ୟାଲେଣ୍ଡରରେ ଏବେ ଯେବେ ଯେବେ ୧୨ ତାରିଖ ଆସିବ ସେବେ ସେବେ ଅହମଦାବାଦର ସେ ଭୟଙ୍କର ବିମାନ ଦୁର୍ଘଟଣା କଥା ମନେପଡ଼ିବ । ସେଦିନ ଥିଲା ଜୁନ ୧୨ ତାରିଖ ଗୁରୁବାର । ଅହମଦାବାଦରୁ ଲଣ୍ଡନ ଅଭିମୁଖେ ଉଡାଣ ଭରିଥିଲା ଏୟାର ଇଣ୍ଡିଆର ବିମାନ ଏଆଇ-୧୭୧ । ଦିନ ୧ଟା ୩୯ରେ ଉଡାଣ ଭରିବାକୁ ସମୟ ପୂର୍ବରୁ ଧାର୍ଯ୍ୟ ହୋଇଥିବା ବେଳେ ସମସ୍ତେ ଉଡାଣ ଅପେକ୍ଷାରେ ଥିଲେ । ସମସ୍ତେ କେତେକେତେ ସ୍ବପ୍ନ ନେଇ ଲଣ୍ଡନ ଯାଉଥିଲେ । କିଏ ନିଡ ପରିବାରକୁ ଭେଟିବାକୁ ତ ପୁଣି କିଏ ନିଜ ସ୍ବାମୀ, ସ୍ତ୍ରୀ ପିଲା ଛୁଆଙ୍କ ପାଖକୁ ଯାଉଥିଲା । ପୁଣି କିଏ ସବୁଦିନ ପାଇଁ ଲଣ୍ଡନରେ ରହିବାକୁ ଯୋଜନା କରି ପରିବାର ସହ ବାହାରିଥିଲା । ବିମାନ ଉଡାଣ ଭରିଲା, ସମସ୍ତେ ଖୁସି ଥିଲେ.. ହେଲେ ଉଡାଣ ଭରୁ ଭରୁ ହଠାତ୍ ଖସିପଡିଥିଲା ବିମାନ । ଉଡାଣ ଭରିବାର କେଇ ସେକେଣ୍ଡ ଭିତରେ ଦୁର୍ଘଟଣାର ଶୀକାର ହେଲା ଏୟାର ଇଣ୍ଡିଆ ବିମାନ । ଏୟାରପୋର୍ଟ ନିକଟରେ ଥିବା ଏକ ମେଡିକାଲ ହଷ୍ଟେଲ କମ୍ପ୍ଲେକ୍ସ ସହ ଜୋରରେ ଧକ୍କା ହୋଇଥିଲା ବିମାନ । ଯାହା ଫଳରେ ଏହ ଭୟଙ୍କର ବିସ୍ଫୋରଣ ହୋଇଥିଲା ଏବଂ ବିମାନରେ ଥିବା ଯାତ୍ରୀଙ୍କର ସବୁ ଖୁସି ସେହି ବିମାନ ସହ ଜଳିଗଲା ।

Advertisment

ଅହମଦାବାଦ ବିମାନ ଦୁର୍ଘଟଣାରେ ସାରା ଦେଶ ଦୋହଲି ଯାଇଥିଲା । ଲଣ୍ଡନ ଯାଏଁ ଦୁର୍ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଲା । ବିମାନରେ ୨୩୦ ଯାତ୍ରୀଙ୍କ ସମେତ ୧୨ ଜଣ ଥିଲେ ବି ଦୁର୍ଘଟଣାରେ କେବଳ ଜଣଙ୍କୁ ଛାଡି ଦେଇ ବାକି ସମସ୍ତଙ୍କର ମୃତ୍ୟୁ ହୋଇଥିଲା । ୨୪୨ ଜଣରୁ ୨୪୧ ଜଣଙ୍କ ବିମାନରେ ମୃତ୍ୟୁ ହୋଉଥିବା ବେଳେ ବିସ୍ପୋରଣରେ ମୋଟ ୨୬୦ ଜଣଙ୍କ ମୃତ୍ୟୁ ଘଟିଥିଲା ଏବଂ ୬୦ରୁ ଅଧିକ ଲୋକ ଗୁରୁତର ହୋଇଥିଲେ । 

ବିମାନ ଦୁର୍ଘଟଣା କେତେ କେତେ ଘର ପରିବାର ଉଜାଡିଦେଲା । ଡାକ୍ତର ପଢୁଆ ପିଲାଙ୍କ ସ୍ବପ୍ନ ଉଜାଡି ଦେଲା । ବିଜୟ ରୂପାଣୀଙ୍କ ସମେତ ଅନେକ ବଡ଼ ବଡ଼ ଲୋକଙ୍କର ବି ଉକ୍ତ ଦୁର୍ଘଟଣାରେ ଜୀବନ ଯାଇଛି । ଇତିମଧ୍ଯରେ ବିମାନ ଦୁର୍ଘଟଣାର ଆସିଛି ତଦନ୍ତ ରିପୋର୍ଟ । ଯାହା ଚାଞ୍ଚଲ୍ୟ ସୃଷ୍ଟି କରିଛି । ଉଡାଣ ଭରିବା ମାତ୍ରେ ହିଁ ବନ୍ଦ ହୋଇଯାଇଥିଲା ବିମାନର ଦୁଇଟି ଇଞ୍ଜିନ । ଉଡାଣର କିଛି ସେକେଣ୍ଡ ପରେ ହିଁ ଇଞ୍ଜିନ ଅକାମୀ ହୋଇଥିଲା । କକପିଟରେ ପ୍ରଥମ ପାଇଲଟ ୨ୟ ପାଇଲଟଙ୍କୁ ଇଞ୍ଜିନ ବନ୍ଦ ହେବା ନେଇ ପ୍ରଶ୍ନ କରିଥିଲେ, ମାତ୍ର ସେ ଇଞ୍ଜିନ ବନ୍ଦ କରିନଥିବା ୨ୟ ପାଇଲଟ କହିଥିଲେ । ଇନ୍ଧନ ଆସିବା ବନ୍ଦ ହେବାରୁ ଇଞ୍ଜିନ କାମ କଲାନି । ପାଇଲଟ ଇଞ୍ଜିନ ରିଷ୍ଟାର୍ଟ କରିଥିଲେ ବି ପ୍ରଥମ ଇଞ୍ଜିନ ସାମାନ୍ୟ ଚାଲିଥିଲେ ବି ୨ୟ ଇଞ୍ଜିନ ଆଦୌ ଚାଲିନଥିଲା । ପାଇଲଟ କିଛି ସମୟ ପରେ ମେ-ଡେ ଘୋଷଣା କରିଥିଲେ ହେଁ ପରେ ତଳକୁ ଖସିପଡି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ବିମାନ ।

ଆଉ ଆଜି ସେହି କାଳ ଦିନକୁ ପୂରିଛି ମାସେ । ଠିକ୍ ମାସେ ତଳେ ଏହି ଲୋମଟାଙ୍କୁରା ଘଟଣା ଘଟିଥିବା ବେଳେ ସେକଥା ଆଜିବି ମନେ ପଡିଗଲେ ଛାତିରେ ଛନକା ପଶିଯାଉଛି, ଆଖିରେ ଲୁହ ଚାଲିଆସୁଛି । ଅହମଦାବାଦ ବିମାନ ଦୁର୍ଘଟଣା ପରେ ପରେ ହିଁ ବିମାନକୁ ନେଇ ବିଭିନ୍ନ ଅଘଟଣର ଖବର ଆସୁଥିଲା ଯାହା ଯାତ୍ରୀଙ୍କ ମନରେ ଛନକା ଭରୁଥିଲା ।