ଅହମଦାବାଦ: ଅନେକ ବର୍ଷର ଅପେକ୍ଷା ପରେ ପରିବାର ସହ ଏକାଠି ରହିବା ସ୍ବପ୍ନ ପୂରଣ ହେବାକୁ ଯାଉଥିଲା। ପତ୍ନୀ ଓ ୩ପିଲା ଭାରତରେ ରହୁଥିବା ବେଳେ ଲଣ୍ଡନରେ ରହୁଥିଲେ ସ୍ବାମୀ। ଅନେକ ସଂଘର୍ଷ ପରେ ପରିବାରକୁ ଲଣ୍ଡନ ନେବାକୁ ସକ୍ଷମ ହୋଇଥିଲେ ଡାକ୍ତର। ହେଲେ ନୂଆ ଜୀବନ ଆରମ୍ଭ ହେବା ପୂର୍ବରୁ ସବୁ ଓଲଟ ପାଲଟ ହୋଇଯାଇଥିଲା। ଗୁରୁବାର ଘଟିଥିବା ବିମାନ ଦୁଘଟଣା ଅନେକ ପରିବାରକୁ ଉଜାଡ଼ି ଦେଇଥିବା ବେଳେ ସେ ମଧ୍ୟରେ ରହିଥିଲେ ଡାକ୍ତର ପ୍ରତୀକ ଯୋଶୀଙ୍କ ପରିବାର। ପ୍ରତୀକ୍ ନିଜ ପତ୍ନୀ ଓ ୩ପିଲାଙ୍କୁ ଧରି ଲଣ୍ଡନ ବାହାରିଥିଲେ। ହେଲେ ନୂଆ ଜୀବନର ଯାତ୍ରା ଆରମ୍ଭ ହେଉ ହେଉ ଯେ ଶେଷ ହୋଇଯିବ ତାହା ତାଙ୍କୁ ଜଣା ନଥିଲା। ଲଣ୍ଡନ ଯାଉଥିବା ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପୂର୍ବରୁ ସେମାନେ ଏକ ସୁନ୍ଦର ସେଲଫି ନେଇଥିଲେ। ଦୁର୍ଘଟଣା ପରେ ସୋସିଆଲ ମିଡିଆରେ ସେହି ସେଲଫିଟି ଭାଇରାଲ ହେବାରେ ଲାଗିଛି। 

Advertisment

ସୂଚନା ମୁତାବକ, ରାଜସ୍ଥାନର ବାଂସୱାଡ଼ାର ଏକ ଘରୋଇ ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତର କୋନି ସ୍ବାମୀଙ୍କ ସହ ଲଣ୍ଡନ ଯିବା ପାଇଁ ଗତ ମାସରେ ତାଙ୍କ ପଦବୀରୁ ଇସ୍ତଫା ଦେଇଥିଲେ। ଦୁହେଁ, ପାଞ୍ଚ ବର୍ଷର ଯମଜ ପୁଅ ପ୍ରଦ୍ୟୁତ ଏବଂ ନକୁଳ ଓ ଆଠ ବର୍ଷର ଝିଅ ମିରାୟାଙ୍କ ସହିତ ଏକ ନୂତନ ଜୀବନ ଆରମ୍ଭ କରିବେ ବୋଲି ଯୋଜନା କରିଥିଲେ। ଏଥିପାଇଁ ଘଟଣାର ଦୁଇ ଦିନ ପୂର୍ବରୁ ପ୍ରତୀକ, ତାଙ୍କ ସ୍ତ୍ରୀ ଏବଂ ପିଲାମାନଙ୍କୁ ସାଙ୍ଗରେ ନେବା ପାଇଁ ଭାରତ ଆସିଥିଲେ। ଉଭୟ ପରିବାରର ଅନେକ ସଦସ୍ୟ ସେମାନଙ୍କୁ ବିଦାୟ ଦେବାକୁ ବିମାନବନ୍ଦର ଯାଇଥିଲେ। ବିମାନରେ ବସିବା ପରେ ପ୍ରତୀକ ପରିବାର ସହିତ ସେଲଫି ନେଇ ହ୍ବାଟସଅପ ଗ୍ରୁପରେ ସେୟାର କରିଥିଲେ। ସେଲଫି ଦେଖି ଖୁସି ହେଉଥିବା ପରିବାରର ସୁଖ ମାତ୍ର କେଇ ସେକେଣ୍ଡ ଭିତରେ ଶୋକରେ ପରିଣତ ‌ହୋଇଥିଲା। "