ଅହମ୍ମଦାବାଦ: ଅହମ୍ମଦାବାଦ ବିମାନ ଦୁର୍ଘଟଣାର ସେ କଷ୍ଟ ଯନ୍ତ୍ରଣାକୁ ଆଜି ପର୍ଯ୍ୟନ୍ତ ପୀଡ଼ିତାଙ୍କ ପରିବାର ସମେତ ଦେଶବାସୀ ଭୁଲି ପାରି ନାହାନ୍ତି।  ଏହି ଭୟାବହ ବିମାନ ଦୁର୍ଘଟଣାର ତଦନ୍ତ ଏଏଆଇବି କରୁଛି। ଜୁନ୍ ମାସରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଏୟାର ଇଣ୍ଡିଆର ପ୍ରାଥମିକ ତଦନ୍ତ ରିପୋର୍ଟ ଉପରେ ଡ୍ରିମଲାଇନର ପାଇଲଟ୍ ସୁମିତ ସବରୱାଲଙ୍କ ପିତା ପୁଷ୍କରାଜ ସବରୱାଲ(ପୂର୍ବତନ ଡିଜିସିଏ ଅଧିକାରୀ) ପ୍ରଶ୍ନ ଉଠାଇଛନ୍ତି। ସେ କେନ୍ଦ୍ର ସରକାରଙ୍କୁ ଘଟଣାର ଆନୁଷ୍ଠାନିକ ତଦନ୍ତ ନିର୍ଦ୍ଦେଶ ଦେବାକୁ ଦାବି କରିଛନ୍ତି।

Advertisment

ଜୁନ୍ ୧୨ ତାରିଖରେ ଅହମ୍ମଦାବାଦରୁ ଲଣ୍ଡନ ଅଭିମୁଖେ ଯାତ୍ରା ଆରମ୍ଭ କରିଥିବା ଏୟାର ଇଣ୍ଡିଆର ବୋଇଂ ୭୮୭-୮ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣାରେ ମୋଟ ୨୬୦ ଜଣଙ୍କର ମୃତ୍ୟୁ ହୋଇଥିଲା, ଯେଉଁଥିରେ ୨୪୧ ଜଣ ଯାତ୍ରୀ ଥିଲେ। ୯୧ ବର୍ଷୀୟ ପୁଷ୍କରାଜ ବେସାମରିକ ବିମାନ ଚଳାଚଳ ସଚିବ ଏବଂ ଏଏଆଇବିର ମହାନିର୍ଦ୍ଦେଶକଙ୍କୁ ଚିଠି ଲେଖି କହିଛନ୍ତି , ‘ଦୁର୍ଘଟଣାର ତଦନ୍ତ ସହିତ ଜଡ଼ିତ କିଛି ସୂଚନା ଲିକ୍ ହେବା ଦ୍ୱାରା ଅନୁମାନ କରାଯାଉଛି ଯେ ସୁମିତ (୫୬) ଅତ୍ୟନ୍ତ ମାନସିକ ଚାପରେ ଥିଲେ, ଯେଉଁ କାରଣରୁ ସେ ଜୀବନ ହାରିବା ପାଇଁ ଚିନ୍ତା କରୁଥିଲେ। ତାଙ୍କର ଛାଡ଼ପତ୍ର ହୋଇଯାଇଛି ଯେଉଁ କାରଣରୁ ସେ ଡିପ୍ରେସନକୁ ଚାଲି ଯାଇଥିଲେ ଇତ୍ୟାଦି ଇତ୍ୟାଦି। କିନ୍ତୁ ଖବରରେ ଏହା ଉଲ୍ଲେଖ ନାହିଁ କି ସୁମିତଙ୍କ ଛାଡ଼ପତ୍ର ୧୫ବର୍ଷ ପୂର୍ବେ ହୋଇଯାଇଛି।

ହିଁ ମାନୁଛି ପୁଅ ତାଙ୍କ ମାଆଙ୍କ ମୃତ୍ୟୁ ପରେ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଥିଲେ। ମୋ ସ୍ତ୍ରୀଙ୍କ ମୃତ୍ୟୁକୁ ତିନି ବର୍ଷରୁ ଅଧିକ ସମୟ ବିତିଗଲାଣି। ଏହି ଘଟଣା ପରେ ମୋ ପୁଅ ସଫଳତାର ସହିତ ୧୦୦ ରୁ ଅଧିକ ବିମାନ ଉଡ଼ାଣ କରିସାରିଛନ୍ତି।୨୫ ବର୍ଷରୁ ଅଧିକ ସମୟ ଧରି କ୍ୟାପଟେନ୍ ସବରୱାଲ ଗୋଟିଏ ବି ଦୁର୍ଘଟଣା କିମ୍ବା ମୃତ୍ୟୁ ଘଟଣାରେ ଜଡିତ ନାହାଁନ୍ତି। କ୍ୟାପଟେନ୍ ସବରୱାଲଙ୍କ ପ୍ରାୟ ୧୫,୬୩୮,୨୨ ଘଣ୍ଟାର ଉଡ଼ାଣ ଅଭିଜ୍ଞତା ଥିଲା, ଯାହା ମଧ୍ୟରୁ ୮,୫୯୬ ଘଣ୍ଟା ବୋଇଂ ୭୮୭-୮ ବିମାନରେ ଥିଲା। 

କ୍ୟାପଟେନ୍ ସବରୱାଲଙ୍କୁ ଜଣେ ପାଇଲଟ୍ ପ୍ରଶିକ୍ଷକ "ଲାଇନ୍ ଟ୍ରେନିଂ କ୍ୟାପଟେନ୍" ଭାବରେ ମଧ୍ୟ ନିଯୁକ୍ତ କରାଯାଇଥିଲା ।ତାଙ୍କ ପାଖରେ  ସିଭିଲ ଏଭିଏସନ ମହାନିର୍ଦ୍ଦେଶାଳୟର ଲାଇସେନ୍ସ ମଧ୍ୟ ଥିଲା।

ଏହି ଘଟଣାଗୁଡ଼ିକ ମୋ ସ୍ୱାସ୍ଥ୍ୟ ଏବଂ ମାନସିକ ସ୍ଥିତି ଉପରେ ଗଭୀର ଭାବେ ପ୍ରଭାବ ପକାଉଥିବା ବେଳେ କ୍ୟାପଟେନ୍ ସୁମିତ ସବରୱାଲଙ୍କ ପ୍ରତିଛବିକୁ ମଧ୍ୟ କଳଙ୍କିତ କରୁଛି। ପ୍ରାରମ୍ଭିକ ତଦନ୍ତ ରିପୋର୍ଟରେ ସେହି ଦିନ କ'ଣ ଘଟିଥିଲା କିମ୍ବା ଦୁର୍ଘଟଣା ପଛରେ ଥିବା ମୂଳ ତଥ୍ୟ ବିଷୟରେ ବ୍ୟାଖ୍ୟା କରାଯାଇ ନାହିଁ। ବରଂ ବିଭିନ୍ନ ଲୋକଙ୍କ ବିରୋଧରେ ଅଭିଯୋଗ ଲାଗୁ କରାଯାଇଛି।