୫ ବର୍ଷର ରେକର୍ଡ ଭାଙ୍ଗିଲା ଅହମଦାବାଦ ବର୍ଷା

ଅହମଦାବାଦ: ରବିବାର ଦିନ ମାତ୍ର ୩ ଘଣ୍ଟାରେ ଅହମଦାବାଦରେ ୧୧୫ ମିମି ରେକର୍ଡ ବର୍ଷା ହୋଇଛି। ଜୁଲାଇରେ ଗୋଟିଏ ଦିନର ବର୍ଷା ୫ ବର୍ଷର ରେକର୍ଡ ଭାଙ୍ଗିଛି। ଗତକାଲି ସନ୍ଧ୍ୟା ୭ଟାରୁ ରାତି ୧୦ ଟା ପର୍ଯ୍ୟନ୍ତ ଅହମଦାବାଦରେ ୧୧୪.୭ ମିମି ବର୍ଷା ହୋଇଛି। ଜୁଲାଇ ୨୦୧୭ ପ‌ରେ ଗତକାଲିର ବର୍ଷା ଏକ ରେକର୍ଡ। ଅହମଦାବାଦରେ ଚଳିତ ଋତୁର ମୋଟ୍‌ ୭୨୨ ମିମି ବର୍ଷାର ୧୫ ପ୍ରତିଶତ କେବଳ ଗୋଟିଏ ସନ୍ଧ୍ୟାରେ ରେକର୍ଡ କରାଯାଇଛି। ଲଗାଣ ବର୍ଷା ଯୋଗୁଁ ଅହମଦାବାଦ ଜଳବନ୍ଦୀ ହୋଇଯାଇଛି। ଜନଜୀବନ ଅସ୍ବାଭାବିକ ହୋଇପଡ଼ିଛି। ଇତି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ରଜନୀକାନ୍ତ ପ‌ଟେଲଙ୍କ ସହ କଥା ହୋଇଛନ୍ତି ଏବଂ ରାଜ୍ୟରେ ବନ୍ୟା ସ୍ଥିତି ପରଖିଛନ୍ତି। ଗୁଜରାଟରେ ବର୍ଷା ଏବଂ ବନ୍ୟା ଯୋଗୁଁ ରାଜ୍ୟରେ ଯେଉଁ କ୍ଷତି ହୋଇଛି ତୁରନ୍ତ ଏଦିଗରେ କେନ୍ଦ୍ର ସରକାର ସହଯୋଗ କରିବେ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ଗୁଜରାଟରେ ଅନେକ ଗ‌ାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ଏଥିପାଇଁ ଲୋକମାନଙ୍କୁ ଉଦ୍ଧାର କରିବାପାଇଁ ହେଲିକପ୍ଟର ମୁତୟନ ହୋଇଛି। ବନ୍ୟା ଯୋଗୁଁ ଏଯାବତ ମୋଟ୍‌ ୬୧ ଜଣଙ୍କ ମୃତ୍ୟୁ ହେଲାଣି। ଲୋକଙ୍କୁ ଉଦ୍ଧାର କରିବାପାଇଁ ଏନ୍‌ଡିଆରଏଫ୍‌ ଟିମ୍‌ କାମ କରୁଛି। ୨୦୦୦ରୁ ଅଧିକ ଲୋକଙ୍କୁ ବିଭିନ୍ନ ସ୍ଥାନରୁ ଖାଲି କରାଯାଇଛି। ଅହମଦାବାଦରେ ପରବର୍ତ୍ତୀ ୨୪ ଘଣ୍ଟାରେ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର