ଅହମଦାବାଦ ସିରିଜ୍‌ ବୋମା ବିସ୍ଫୋରଣର ସେହି କଳା ଦିନ: ୭୦ ମିନିଟ୍‌ରେ ୨୧ ବିସ୍ଫୋରଣ

ଅହମଦାବାଦ : ଅହମଦାବାଦ ସିରିଜ୍‌ ବୋମା ବିସ୍ଫୋରଣ ଜୁଲାଇ ୨୬, ୨୦୦୮ରେ ହୋଇଥିଲା। ଅହମଦାବାଦର ୧୪ଟି ସ୍ଥାନରେ ୨୧ଟି ବିସ୍ଫୋରଣ ହୋଇଥିଲା। ସନ୍ଧ୍ୟା ୬.୪୫ରେ ପ୍ରଥମ ବିସ୍ଫୋରଣ ହୋଇଥିଲା ଏବଂ ପରବର୍ତ୍ତୀ ୭୦ ମିନିଟ୍‌ରେ ଆଉ ୨୦ଟି ବିସ୍ଫୋରଣ ସହରକୁ ଦୋହଲାଇ ଦେଇଥିଲା ଏବଂ ୫୬ ଜଣଙ୍କ ଜୀବନ ଦୀପ ଲିଭିଯାଇଥିଲା । ସିମି (ଷ୍ଟୁଡେଣ୍ଟ୍‌ସ ଇସଲାମିକ ମୁଭମେଣ୍ଟ ଅଫ୍‌ ଇଣ୍ଡିଆ)ର ଏକ ଗୁପ୍ତ ତାଲିମ ଶିବିରରେ ଅହମଦାବାଦରେ ପ୍ରଚଣ୍ଡ ଆକ୍ରମଣ ପାଇଁ ଯୋଜନା ହୋଇଥିଲା। ସିମି ମୁଖ୍ୟ ସଫଦାର ନାଗୋରି ନେତୃତ୍ବରେ ୨୦୦୭ ଡିସେମ୍ବରରେ ଏର୍ନାକୁଲମର ଘଞ୍ଚ ଜଙ୍ଗଲରେ ଆକ୍ରମଣ ପାଇଁ ତାଲିମ ଶିବିର ଗଢ଼ାଯାଇଥିଲା ଏଥିରେ ପ୍ରାୟ ୫୦ ଜଣ ଆତଙ୍କବାଦୀ ସାମିଲ ହୋଇଥିଲେ। ଅହମଦାବାଦ ବିସ୍ଫୋରଣର ୫ ମିନିଟ୍‌ ପୂର୍ବରୁ ଇମେଲ୍‌ ଯୋଗେ ବିଭିନ୍ନ ଗଣମାଧ୍ୟମ ସଂସ୍ଥାକୁ ଚେତାବନୀ ଦିଆଯାଇଥିଲା। ମଣିନଗର, ଅହମଦାବାଦ ସିଭିଲ ହସ୍ପିଟାଲ, ରାୟପୁର, ବାପୁନଗର, ହଟକେଶ୍ବର ସର୍କଲ୍, ସରଖେଜ, ଥକ୍କରବା‌ପା ନଗର, ଖଡିଆ ସାରଙ୍ଗପୁର, ଜବାହର ଚୌକ, ଇଶାନପୁର, ଗୋବିନ୍ଦୱାଡ଼ି ଏବଂ ନାରୋଲ୍‌ରେ ବିସ୍ଫୋରଣ ହୋଇଥିଲା। ସିଭିଲ ହସ୍ପିଟାଲ୍‌ ସମେତ ଅନ୍ୟ ଏକ ହସ୍ପିଟାଲରେ ବିସ୍ଫୋରଣ ହୋଇଥିଲା।

Connect Gujarat

ବିସ୍ଫୋରଣ ପାଇଁ ଆଇଏମ୍‌ ନିଜକୁ ଦାୟୀ କରିଥିଲା। ୨୦୦୨ ଗୁଜରାଟ ଦଙ୍ଗାର ଏହା ପ୍ରତିଶୋଧ ‌ବୋଲି ଆଇଏମ୍‌ ଦାବି କରିଥିଲା। ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ମୃତକଙ୍କ ପରିବାର ସଦସ୍ୟଙ୍କ ପାଇଁ ୧ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଘୋଷଣା କରିଥିଲେ। ଗୁଜରାଟ ସରକାର ମୃତକଙ୍କ ପରିବାର ସଦସ୍ୟଙ୍କ ପାଇଁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଥିଲେ। ବିସ୍ଫୋରଣ ପରେ ଅହମଦାବାଦରେ ୨୦ଟି ଏତଲା ରୁଜୁ ହୋଇଥିଲା। ଏହି ମାମଲାରେ ସୁରଟରେ ୧୫ଟି ଏତଲା ରୁଜୁ ହୋଇଥିଲା। ସମସ୍ତ ୩୫ଟି ଯାକ ଏତଲା ମିଶାଇବାପରେ କୋର୍ଟ ଏହି ମାମଲାର ଶୁଣାଣି ଆରମ୍ଭ କରିଥିଲେ। ଏହି ଷଡ଼ଯନ୍ତ୍ରରେ ପ୍ରାୟ ୧୦୦ ସିମି କର୍ମୀ ସମ୍ପୃକ୍ତ ଥିଲେ। ସେମାନଙ୍କ ମଧ୍ୟରୁ ୭୫ ଜଣ ଗୁଜରାଟର ଏବଂ ଅନ୍ୟମା‌ନେ ବାହାର ରାଜ୍ୟର। ମାମଲାରେ ୨୦୦୮, ଅଗଷ୍ଟ ୧୫ ତାରିଖରେ ପ୍ରଥମ ଗିରଫଦାରୀ ହୋଇଥିଲା। ମାମଲାର ମାଷ୍ଟରମାଇଣ୍ଡ୍‌ ହେଉଛି ଆଜମଗଡ଼ର ମୁଫ୍‌ତି ଅବଦୁଲ ବଶିର ଇଶଲାହି ।

ସମ୍ବନ୍ଧିତ ଖବର