ଅହମଦାବାଦ: ଅହମଦାବାଦରେ ଏୟାରଇଣ୍ଡିଆ ବିମାନ ଦୁର୍ଘଟଣାରେ ଯାତ୍ରୀଙ୍କ ସମେତ ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକଙ୍କୁ ମିଶାଇ ମୋଟ ୨୭୫ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା।  

Advertisment

ଏହି ବିମାନ ଦୁର୍ଘଟଣା ପରେ ଏଆଇଏସଏଟିଏସ କାର୍ଯ୍ୟାଳୟରେ ଆୟୋଜିତ ପାର୍ଟିର ଏକ ଭିଡିଓ ସାମ୍ନାକୁ ଆସିବା ପରେ ଏକ ବଡ଼ ବିବାଦ ସୃଷ୍ଟି ହୋଇଛି। ଏହି ପାର୍ଟି ଏପରି ସମୟରେ ହୋଇଥିଲା ଯେତେବେଳେ ଏୟାର ଇଣ୍ଡିଆ ଏବଂ ଟାଟା ଗ୍ରୁପ୍ ଗୁଜରାଟ ଦୁର୍ଘଟଣା ପାଇଁ ଶୋକ ପ୍ରକାଶ କରୁଥିଲେ। ଏପରି ପରିସ୍ଥିତିରେ ଏଭଳି ଉତ୍ସବ ପାଳନ କରିବା ଘଟଣାକୁ ଅମାନବୀୟ ବୋଲି ଉଲ୍ଲେଖ କରାଯାଇଛି।

ଏହି ଭିଡିଓ ଭାଇରାଲ ହେବା ମାତ୍ରେ ଟାଟା ଗ୍ରୁପ୍ ଏବଂ ଏଆଇଏସଏଟିଏସ କଡ଼ା ପ୍ରତିକ୍ରିୟା ପ୍ରକାଶ କରି ଚାରି ଜଣ ବରିଷ୍ଠ ଅଧିକାରୀଙ୍କୁ ନିଲମ୍ବିତ କରି ଦେଇଛନ୍ତି। ଏଥିରେ କମ୍ପାନିର ସିଓଓ ଆବ୍ରାହମ ଜାକାରିଆ (ମୁଖ୍ୟ ପରିଚାଳନା ଅଧିକାରୀ)ଙ୍କ ସମେତ ଏସଭିପି ସମ୍ପ୍ରିତ, ଏସଭିପି ବଲଜିନ୍ଦର ସାମିଲ ଅଛନ୍ତି।  ଏଥିସହିତ କମ୍ପାନିର ଶୀର୍ଷ ନେତୃତ୍ୱ ଥିବା ଅନ୍ୟ କର୍ମଚାରୀମାନଙ୍କୁ କାର୍ଯ୍ୟସ୍ଥଳରେ ଏପରି ଦାୟିତ୍ୱହୀନ ଆଚରଣରେ ଲିପ୍ତ ନ ହେବାକୁ ଚେତାବନୀ ମଧ୍ୟ ଦିଆଯାଇଛି।

ଏୟାର ଇଣ୍ଡିଆ ଏସଏଟିଏସ ଏୟାରପୋର୍ଟ ସର୍ଭିସ ପ୍ରାଇଭେଟ୍ ଲିମିଟେଡ୍ ଏକ ମିଳିତ ଶାଖା, ଯାହା ଟାଟା ଗ୍ରୁପ୍ ଏବଂ ଏସଏଟିଏସ ଲିମିଟେଡ୍ (ସିଙ୍ଗାପୁର ବିମାନବନ୍ଦର ଟର୍ମିନାଲ୍ ସେବା) ମଧ୍ୟରେ ଚୁକ୍ତିବଦ୍ଧ। ଏହା ଭାରତରେ ବିମାନ କମ୍ପାନିଗୁଡ଼ିକୁ ଭୂମି ପରିଚାଳନା, କ୍ୟାଟରିଂ ଏବଂ ଅନ୍ୟାନ୍ୟ ଯାତ୍ରୀ ସମ୍ବନ୍ଧୀୟ ସେବା ପ୍ରଦାନ କରେ। ଏଆଇ ୧୭୧ ବିମାନ ଦୁର୍ଘଟଣାର କିଛି ଦିନ ପରେ ଏଆଇଏସଏଟିଏସ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ପାର୍ଟି କର୍ମଚାରୀଙ୍କ ସମ୍ବେଦନଶୀଳତା ଉପରେ ପ୍ରଶ୍ନ ଉଠାଇଛି। 

ଏଆଇଏସଏଟିଏସ ଦ୍ୱାରା ଜାରି ଅଧିକାରିକ ବିବୃତ୍ତିରେ କୁହାଯାଇଛି ଯେ  ଆମେ ଏଆଇ ୧୭୧ର ଦୁଃଖଦ କ୍ଷତିରେ ପ୍ରଭାବିତ ପରିବାର ସହିତ ଛିଡ଼ା ହୋଇଛୁ। ନିକଟରେ ବିମାନ ଦୁର୍ଘଟଣା ପରେ ଏଆଇଏସଏଟିଏସ କାର୍ଯ୍ୟାଳୟରେ ଉତ୍ସବ ପାଳନ କରାଯିବା ଘଟଣାରେ ଦାୟୀ ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।