ନୂଆଦିଲ୍ଲୀ: ଅହମଦାବାଦରୁ ଲଣ୍ଡନଗାମୀ ଏୟାର୍‌ ଇଣ୍ଡିଆର ବିମାନ ଏଆଇ-୧୭୧ ଗତକାଲି ଉଡ଼ାଣ ଭରିବାର ମାତ୍ର କିଛି ସେକେଣ୍ଡ୍‌ ମଧ୍ୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସେହି ସମୟରେ ବିମାନର କକ୍‌ପିଟ୍‌ (ପାଇଲଟ୍‌ଙ୍କ ଚାମ୍ବର)ରେ କ’ଣ ଘଟିଥାଇପାରେ ସେ ନେଇ ବିଶେଷଜ୍ଞଙ୍କ ମତାମତ ନିଆଯାଇଛି। ବୋଇଂ ୭୮୭-୮ ଡ୍ରିମ୍‌ଲାଇନର୍‌ ବିମାନରେ ୨୩୦ ଜଣ ଯାତ୍ରୀ, ୧୦ ଜଣ କ୍ରୁ ମେମ୍ବର ଏବଂ ୨ ଜଣ ପାଇଲଟ ଥିଲେ ଏବଂ ଅପରାହ୍ନ ୧ଟା ୩୮ରେ ଏହା ଉଡ଼ାଣ ଭରିଥିଲା। ଭିଡିଓରେ ଦେଖିବାକୁ ମିଳୁଛି ଯେ ବିମାନଟି ଲିଫ୍ଟ ହରାଇବା ପୂର୍ବରୁ ଉଚ୍ଚତା ହାସଲ କରିବା ପାଇଁ ସଂଘର୍ଷ କରୁଥିଲା। ଭିଡିଓର ବିଶ୍ଳେଷଣକୁ ଆଧାର କରି ବିଶେଷଜ୍ଞମାନେ କହିଛନ୍ତି ଯେ ବୋଇଂ ଡ୍ରିମ୍‌ଲାଇନର୍‌ ଉଡ଼ାଣ ଭରିବା ପରେ ଆବଶ୍ୟକ ଶକ୍ତି ହରାଇଥିଲା।

Advertisment

ବିଶେଷଜ୍ଞମାନେ କହିଛନ୍ତି ଯେ ପାଇଲଟମାନେ ଏହି ସମୟରେ ଲିଫ୍ଟ ଓ ଉଚ୍ଚତା ହାସଲ କରିବାକୁ ଚେଷ୍ଟା କରୁଥିଲେ ଏବଂ ଭିଡିଓରୁ ଜଣାପଡୁଛି ଯେ ବିମାନର ଲ୍ୟାଣ୍ଡିଂ ଗିଅର ମଧ୍ୟ ତଳକୁ ଖସି ଯାଇଛି। ଉଡ଼ାଣ ଭରିବା ପରେ ମେ-ଡେ କଲ୍ (ବିପଦ ସଂକେତ) ଜାରି କରାଯାଇଥିଲା, ଯେଉଁଥିରେ ବିମାନଟି ବିପଦରେ ଥିବା ଦର୍ଶାଯାଇଥିଲା। ବିଶେଷଜ୍ଞମାନେ କହିଛନ୍ତି ଯେ ଲିଫ୍ଟ ଖରାପ ହୋଇଯିବାରୁ ପାଇଲଟମାନେ ନିଶ୍ଚୟ ବିମାନର ନାକ (ସମ୍ମୁଖଭାଗ) ଉପରକୁ ଟେକିବାକୁ ଚେଷ୍ଟା କରିଥିଲେ, କିନ୍ତୁ ଏହା ତଳକୁ ଖସିବାରେ ଲାଗିଥିଲା। ଏହି ଉଚ୍ଚତାରେ ବିମାନଟି ସର୍ବାଧିକ ବେଗ ହାସଲ କରିବା କଥା। କିନ୍ତୁ ତାହା ହୋଇ ନ ଥିଲା, ଯାହା ସୂଚାଉଛି ଯେ ଇଞ୍ଜିନଗୁଡ଼ିକ ପର୍ଯ୍ୟାପ୍ତ ଶକ୍ତି ଉତ୍ପାଦନ କରୁ ନ ଥିଲେ। ପୂର୍ବତନ ବରିଷ୍ଠ ପାଇଲଟ୍ କ୍ୟାପଟେନ୍ ସୌରଭ ଭଟ୍ଟନାଗର କହିଛନ୍ତି, ଉଡ଼ାଣ ଠିକ୍ ଥିଲା କିନ୍ତୁ ଗିଅର ନେବାର ଅଳ୍ପ ସମୟ ପରେ, ବିମାନ ତଳକୁ ଖସିବା ଆରମ୍ଭ କରିଥିଲା। ଏହା କେବଳ ସେତେବେଳେ ହୋଇପାରେ ଯେତେବେଳେ ଇଞ୍ଜିନ ଶକ୍ତି ହରାଇଥାଏ। ନିଶ୍ଚିତ ଭାବେ ତଦନ୍ତରୁ ପ୍ରକୃତ କାରଣ ଜଣାପଡ଼ିବ ବୋଲି ଭଟ୍ଟନାଗର କହିଛନ୍ତି।

ହଷ୍ଟେଲ ଛାତରୁ ମିଳିଲା ବ୍ଲାକ୍‌ବକ୍ସ

ନୂଆଦିଲ୍ଲୀ: ଦୁର୍ଘଟଣାଗ୍ରସ୍ତ ଅହମଦାବାଦ-ଲଣ୍ଡନ ଏୟାର ଇଣ୍ଡିଆ ବିମାନର ବ୍ଲାକ୍‌ବକ୍ସ ଆଜି ମିଳିଛି।  ବିମାନର ଏକ ବଡ଼ ଅଂଶ ଖସିଥିବା ବିଜେ ମେଡିକାଲ କଲେଜ ହଷ୍ଟେଲ୍‌ର ଛାତ ଉପରୁ  ବ୍ଲାକ୍‌ବକ୍ସ ମିଳିଛି। ଏଏଆଇବି (ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ) ଆଜି ଏହା ସ୍ପଷ୍ଟ କରିଛନ୍ତି। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡ଼ୁ ମଧ୍ୟ କହିଛନ୍ତି, ‘ଫ୍ଲାଇଟ୍‌ ଡାଟା ରେକର୍ଡର ତଥା ବ୍ଲାକ୍‌ ବକ୍ସ ଅହମଦାବାଦ ଦୁର୍ଘଟଣାସ୍ଥଳରୁ ୨୮ ଘଣ୍ଟା ମଧ୍ୟରେ ଏଏଆଇବି ଦ୍ବାରା ଉଦ୍ଧାର କରାଯାଇଛି।  ତଦନ୍ତ ପ୍ରକ୍ରିୟା‌ରେ ଏହା ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ। ବ୍ଲାକ୍‌ବକ୍ସ ହେଉଛି ଏକ ଗୁରୁତ୍ବପୂର୍ଣ୍ଣ ପ୍ରମାଣ ଯାହା ଦୁର୍ଘଟଣାର କାରଣ ଜାଣିବାରେ ସାହାଯ୍ୟ କରିବ ଏବଂ ତଦନ୍ତକୁ ତ୍ବରାନ୍ବିତ କରିବ। ବ୍ଲାକ୍‌ବକ୍ସ ବିମାନର ଲାଞ୍ଜ ନିକଟରୁ ମିଳିଥିଲା। ବ୍ଲାକବକ୍ସ ବାଦ୍‌ ଡିଜିଟାଲ ଭିଡିଓ ରେକର୍ଡର ମଧ୍ୟ ତଦନ୍ତ ପ୍ରକ୍ରିୟାରେ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଏହି ଯନ୍ତ୍ର ବିମାନର ବିଭିନ୍ନ କ୍ୟାମେରାରୁ ସିସିଟିଭି ଫୁଟେଜ୍‌ ରେକର୍ଡ କରିଥାଏ।  ଉଲ୍ଲେଖଯୋଗ୍ୟ,  ବୋଇଂ ୭୮୭-୮ ଡ୍ରିମଲାଇନର ଗତକାଲି ଉଡ଼ାଣ ଭରିବାର ମାତ୍ର କିଛି ସେକେଣ୍ଡ୍ ମଧ୍ୟରେ ଦୁର୍ଘଟଣାଗ୍ରସ୍ତ ହୋଇଯାଇଥିଲା।