ନୂଆଦିଲ୍ଲୀ: ୧୯୯୩ ମୁମ୍ବାଇ ସିରିଜ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ତଥା ଭାରତର ମୋଷ୍ଟ୍ ୱାଣ୍ଟେଡ଼ ଅପରାଧୀ ଦାଉଦ୍ ଇବ୍ରାହିମ୍ ଏବେ ପାକିସ୍ତାନରେ ଅଛି। ସେ ବର୍ତମାନ କିଭଳି ଦେଖାଯାଉଛି ସେନେଇ ଅନେକ କଳ୍ପନାଜଳ୍ପନା ଲାଗିରହିଛି। ଏହି ପରିପ୍ରେକ୍ଷୀରେ, ୩୭ ବର୍ଷ ପୂର୍ବେ ଉଠାଯାଇଥିବା ଦାଉଦର ବିରଳ ଦୁଇ-ତିନିଟି ଫଟୋକୁ ନେଇ କୃତ୍ରିମ ବୁଦ୍ଧିମତା (ଆର୍ଟିଫିସିଆଲ୍ ଇଂଟେଲିଜେନ୍ସ) ଦ୍ବାରା ବିକଳ୍ପ ଫଟୋ ପ୍ରସ୍ତୁତ କରାଯାଇଛି। ୮୦ ଦଶକରେ କୁଖ୍ୟାତ ନିଶାବେପାରୀ ତଥା ଅପରାଧୀ ଦାଉଦ ପୁଲିସ ଗିରଫରୁ ରକ୍ଷା ପାଇବାକୁ ଭାରତରୁ ଫେରାର ହୋଇଯାଇଥିଲା। କିନ୍ତୁ ଦାଉଦକୁ କିଏ ଓ ସେ ଦଖିବାକୁ କିଭଳି କେହି ଜାଣିନଥିଲେ। ବତର୍ମାନ ସମଗ୍ର ଇଣ୍ଟରନେଟ୍, ଖବରରେ ଦାଉଦର ଯେଉଁ ତିନି-ଚାରିଟି ଫଟୋ ବହୁଳମାତ୍ରାରେ ବ୍ୟବହାର ହେଉଛି, ତା’ପଛରେ ଏକ ରୋଚକ ଘଟଣା ରହିଛି।
୧୯୮୫ରେ ସାରଜାରେ ଭାରତ-ପାକିସ୍ତାନ ଦିନିକିଆ କ୍ରିକେଟ୍ ମ୍ୟାଚ୍ ଚାଲିଥାଏ। ଇଣ୍ଡିଆ ଟୁଡେର ଫଟୋଗ୍ରାଫର ଭବନ ସିଂହ ମଧ୍ୟ ମ୍ୟାଚ୍ର ଫଟୋ ଉଠାଇବାକୁ ସେଠାରେ ଉପସ୍ଥିତ ଥିଲେ। ଏହି ସମୟରେ ସେ ଥିବା ଦର୍ଶକ ଗ୍ୟାଲେରୀରେ ‘ଦାଉଦ’ ବୋଲି ଚାପା ଗୁଞ୍ଜରଣ ଶୁଣିବାକୁ ପାଇଲେ। ପଛକୁ ବୁଲିବା ବେଳେ ନିଜର ସୁରକ୍ଷାକର୍ମୀଙ୍କ ସହ ଦାଉଦ ସେଠାରେ ପହଞ୍ଚିଥିଲା। ସେ ଫଟୋ ଉଠାଇବାକୁ ଉଦ୍ୟତ ହେଲେ। ସୁରକ୍ଷାକର୍ମୀମାନେ ତାଙ୍କୁ ଅଟକାଇଲେ, କିନ୍ତୁ ଦାଉଦ୍ ଫଟୋ ଉଠାଇବା ପାଇଁ ଇସାରାରେ ସହମତି ଦେଇଥିଲା। ସେ ଚଟାପଟ ୪ଟି ଫଟୋ ଉଠାଇଥିଲେ। ଗତ ୧୭ ତାରିଖରେ କୁଖ୍ୟାତ ଦାଉଦ ବିଷକ୍ରିୟାରେ ଗୁରୁତର ହୋଇ ପାକିସ୍ତାନର କରାଚୀରେ ଏକ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଖବର ଭାଇରାଲ୍ ହୋଇଥିଲା।