ନୂଆଦିଲ୍ଲୀ : ଜାପାନର ହିରୋସିମାରେ ଏକଜୁଟ ହୋଇଥିବା ଜି୭ ରାଷ୍ଟ୍ରର ମୁଖ୍ୟମାନେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ର ପ୍ରଭାବ ଉପରେ ଆଲୋଚନା କରିଛନ୍ତି। ଏଥିପାଇଁ ଆନ୍ତର୍ଜାତିକ ସ୍ତରରେ ଏକ ନିର୍ଦିଷ୍ଟ ମାନଦଣ୍ଡ ଧାର୍ଯ୍ୟ କରିବାର ଆବଶ୍ୟକତା ଥିବା କହିଛନ୍ତି। କିନ୍ତୁ ଆଲୋଚନାର କୌଣସି ନିଷ୍କର୍ସ ବାହାରିପାରିନାହିଁ। ଏହି ପ୍ରଯୁକ୍ତିର କିଭଳି ମୁକାବିଲା କରାଯିବ ତାହାକୁ ନେଇ କୌଣସି ସହମତି ହୋଇନି। ତେବେ ‘ହିରୋସିଆ ଏଆଇ ପ୍ରୋସେସ’ ସ୍ଥାପନ କରି ୨୦୨୩ ଶେଷ ସୁଦ୍ଧା ତାହା ଉପରେ ରିପୋର୍ଟ ଦାଖଲ କରିବାକୁ ଜି୭ ନେତୃବୃନ୍ଦ ସେମାନଙ୍କ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି।
ଚଟ୍ଜିପିଟିର ଅସମ୍ଭବ ଲୋକପ୍ରିୟତା ପରେ ଏଆଇ ପ୍ରଯୁକ୍ତିକୁ କିଭଳି ନିୟନ୍ତ୍ରଣ କରାଯିବ ତାହାକୁ ନେଇ ବିଶ୍ବର ସବୁ ରାଷ୍ଟ୍ର ଚିନ୍ତିତ ହୋଇପଡ଼ିଛନ୍ତି। ବିଶେଷ କରି ଗୋପନୀୟତାର ଉଲ୍ଲଂଘନ, ନାଗରିକ ଅଧିକାରର ଉଲ୍ଲଂଘନ, ମିଥ୍ୟା ଖବର ଏବଂ ତଥ୍ୟର ବେଆଇନ ବ୍ୟବହାର କରି ହାନିକାରକ ବିଷୟକୁ କିଭଳି ରୋକାଯିବ ତାହା ସବୁଠୁ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ଜି୭ ନେତୃବୃନ୍ଦ କହିଛନ୍ତି ଯେ ଏଆଇ ସୃଷ୍ଟି କରିଥିବା ସୁଯୋଗ ଓ ଆହ୍ବାନ ଉଭୟକୁ ଜାଣିବାକୁ ହେବ। ବିଶ୍ବାସଯୋଗ୍ୟ ଏଆଇ ବିକାଶ କରିବା ଲାଗି ବୈଷୟିକ ମାନକ ଧାର୍ଯ୍ୟ କରିବାର ଆବଶ୍ୟକତା ରହିଛି ବୋଲି ସେମାନେ କହିଛନ୍ତି। ଆମେରିକା ଓ ୟୁରୋପରେ ନିଜ ଆଡ଼ୁ ଏଆଇକୁ ନିୟନ୍ତ୍ରଣ କରିବା ଲାଗି ଉଦ୍ୟମ ଆରମ୍ଭ ହୋଇଛି।