ରୁଷ୍‌ର ମଗଦାନ୍‌ରେ ଫସି ରହିଥିବା ୨୧୬ଜଣ ଯାତ୍ରୀଙ୍କ ନେଇ ଆମେରିକାର ସାନ୍‌ ଫ୍ରାନ୍‌ସିସ୍‌କୋ ଗଲା ଏୟାର୍‌ ଇଣ୍ଡିଆ ବିମାନ

ନୂଆଦିଲ୍ଲୀ: ପ୍ରାୟ ୨ ଦିନ ହେବ ରୁଷ୍‌ର ମଗଦାନ୍‌ରେ ଫସି ରହିଥିବା ୨୧୬ଜଣ ଯାତ୍ରୀଙ୍କ ନେଇ ଏୟାର୍‌ ଇଣ୍ଡିଆର ଏକ ବିମାନ ଆମେରିକାର ପଶ୍ଚିମ ଉପକୂଳବର୍ତ୍ତୀ ନଗରୀ ସାନ୍‌ ଫ୍ରାନ୍‌ସିସ୍‌କୋ ଅଭିମୁଖେ ଯାତ୍ରା କରିଥିବା କଥା ଏୟାର୍‌ ଇଣ୍ଡିଆ ସୂଚନା ଦେଇଛି।

ସୂଚନାଯୋଗ୍ୟ, ନୂଆଦିଲ୍ଲୀରୁ ସାନ୍‌ଫ୍ରାନ୍‌ସିସ୍‌କୋ ଯାଉଥିବା ଗୋଟାଏ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେବାରୁ ମଙ୍ଗଳବାର ଦିନ ତାହାକୁ ରୁଷ୍‌ର ମଗଦାନକୁ ନିଆଯାଇଥିଲା।

ଜାରି କରିଥିବା ବିବୃତିରେ ଏୟାର୍‌ ଇଣ୍ଡିଆ କହିଛି: ସ୍ଥାନୀୟ ସମୟ ବୁଧବାର ରାତି ୪.୫୭ରେ ଉକ୍ତ ବିମାନ ମଗଦାନ୍‌ରୁ ଉଡ଼ାଣ ଆରମ୍ଭ କରିଛି ଏବଂ ଆଜି ଆଜି ଅପରାହ୍ଣ ୧୨.୪୫ରେ ସାନ୍‌ଫ୍ରାନ୍‌ସିସ୍‌କୋରେ ପହଞ୍ଚିବ ବୋଲି ଆଶା କରାଯାଉଛି। ଯାତ୍ରୀମାନଙ୍କୁ ଅତ୍ୟାବଶ୍ୟକୀୟ ସହାୟତା ଯୋଗାଇ ଦେବା ପାଇଁ ସାନ୍‌ଫ୍ରାନ୍‌ସିସ୍‌କୋରେ ଟିମ୍‌ ପସ୍ତୁତ ହୋଇ ରହିଛନ୍ତି। ସେମାନେ ଡାକ୍ତରୀ ସେବା ବ୍ୟତୀତ ସଡ଼କ ପରିବହନ ଏବଂ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେବେ।

ପୂର୍ବରୁ ବୁଧବାର ଅପରାହ୍ଣ ୩.୩୦ ମୁମ୍ବାଇରୁ ଉଡ଼ାଣ ଆରମ୍ଭ କରିଥିବା ଏୟାର୍‌ ଇଣ୍ଡିଆର ଆଉ ଏକ ବିମାନ ମଧ୍ୟରାତ୍ରରେ ମଗଦାନ୍‌ସ୍ଥିତ ସୋକୋଲ୍‌ ବିମାନବନ୍ଦରରେ ପହଞ୍ଚିଥିଲା।

ସମ୍ବନ୍ଧିତ ଖବର