ନୂଆଦିଲ୍ଲୀ: ନିର୍ବାଚନରେ ଟେକ୍ନୋଲୋଜିର ବ୍ୟବହାର ଏକ ସାଧାରଣ କଥା ହୋଇଗଲାଣି। ସୋସିଆଲ ମିଡ଼ିଆ, ଥ୍ରୀଡି ଟେକ୍ନୋଲୋଜି ଓ ଭିଡିଓ କନ୍ଫରେନ୍ସିଂ ଜରିଆରେ ପ୍ରଚାର କରିବା ରାଜନୈତିକ ଦଳଗୁଡ଼ିକ ପାଇଁ ସହଜ ହୋଇଛି। କିନ୍ତୁ ଆଗାମୀ ନିର୍ବାଚନରେ ବିଭ୍ରାନ୍ତିକର ପ୍ରଚାର ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଦାୟୀ ହୋଇପାରେ। ଏଆଇ ସାହାଯ୍ୟରେ ଲୋକଙ୍କ ମଧ୍ୟରେ ଭୁଲ ଧାରଣା ବ୍ୟାପିପାରେ। ଏହାର ସଦ୍ୟତମ ଉଦାହରଣ ହେଉଛି ଡିପ୍ଫେକ ଡେକ୍ନୋଲୋଜି। ଡିପ୍ଫେକରେ ଅସଲି ଓ ନକଲି ମଧ୍ୟରେ ପ୍ରଭେଦ ବାରିବା କଷ୍ଟକର। ତେଣୁ ଏହାର ବ୍ୟବହାର ଦ୍ବାରା ଭାରତୀୟ ନିର୍ବାଚନରେ ରାଜନେତାଙ୍କ ବିଷୟରେ ବିବାଦୀୟ ମନ୍ତବ୍ୟ କିମ୍ବା ଅପମାନଜନକ ମନ୍ତବ୍ୟର ଭିଡ଼ିଓ ଓ ଅଡ଼ିଓ କ୍ଲିପର ବନ୍ୟା ଆସିପାରେ। ଇଣ୍ଟରନେଟରେ ଭାରତୀୟ ରାଜନେତାଙ୍କ ଡିପ୍ଫେକ ବା କମ୍ପ୍ୟୁଟର ଦ୍ବାରା ପ୍ରସ୍ତୁତ ନକଲି ଭିଡିଓର ପ୍ରବାହ ଯଥେଷ୍ଟ ବୃଦ୍ଧି ପାଇଛି। ଉଦାହରଣ ସ୍ବରୂପ ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ଆଞ୍ଚଳିକ ଭାଷାରେ ଲୋକପ୍ରିୟ ଗୀତ ଗାଉଥିବାର ନକଲି ଅଡିଓ କ୍ଲିପ ଭାଇରାଲ ହୋଇଛି। ମଧ୍ୟପ୍ରଦେଶରେ ନଭେମ୍ବର ୧୭ରେ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନ ପୂର୍ବରୁ ‘କୌନ ବନେଗା କରୋଡ଼ପତି’ରେ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ଦୁଇଟି ବିକୃତ ଭିଡ଼ିଓ କ୍ଲିପ୍ ମଧ୍ୟ ସାମନାକୁ ଆସିଥିଲା, ଯେଉଁଥିରେ ଶିବରାଜ ସିଂହଙ୍କୁ ଖରାପ ଓ କଂଗ୍ରେସ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କମଳନାଥଙ୍କୁ ଭଲ ବୋଲି ଦର୍ଶାଯାଇଥିଲା।
ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ସ୍ବୀକାର କରି ସାରିଛନ୍ତି ଯେ, ଡିପ୍ଫେକ ହେଉଛି ଏକ ବଡ଼ ଆହ୍ବାନ। ସେ ସ୍ବୀକାର କରିଛନ୍ତି ଯେ ଥରେ ସେ ନିଜକୁ ଗରବା ନାଚୁଥିବା ଦେଖିଥିଲେ। ଇଣ୍ଟରନେଟରେ ଏଭଳି ଅନେକ ଉଦାହରଣ ଅଛି ଯାହା ଗଣତାନ୍ତ୍ରିକ ସମାଜରେ ଅରାଜକତା ସୃଷ୍ଟି କରିପାରେ। ବିଶେଷଜ୍ଞଙ୍କ ମତରେ ଏଆଇକୁ ଦୃଷ୍ଟିରେ ରଖି ପ୍ରଚଳିତ ଆଇଟି ନିୟମକୁ ପରିମାର୍ଜିତ କରାଯିବାର ଆବଶ୍ୟକତା ରହିଛି। ଇଣ୍ଡିଆ ଫ୍ୟୁଚର ଫାଉଣ୍ଡେସନର ସିଇଓ କନିଷ୍କ ଗୌଡ଼ କହିଛନ୍ତି, ସରକାର ଯେଉଁ ନୂଆ ଡିଜିଟାଲ ଇଣ୍ଡିଆ ଆକ୍ଟ ଆଣିବାକୁ ଯୋଜନା କରୁଛନ୍ତି ସେଥିରେ ଏଆଇକୁ ବିଚାରକୁ ନିଆଯିବା ଉଚିତ। ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ଏଆଇ ଟେକ୍ନୋଲୋଜି ବ୍ୟବହାର କରି ଲୋକଙ୍କୁ ଟାର୍ଗେଟ କରିବା ସହ ପ୍ରତିଦ୍ବନ୍ଦ୍ବୀ ଶିବିର ବିରୋଧରେ ପ୍ରଚାର କରାଯାଇପାରିବ। ଏଭଳି ସ୍ଥିତିରେ ଏଆଇ ଭଳି ଟେକ୍ନୋଲୋଜି ଆଗାମୀ ନିର୍ବାଚନ ପାଇଁ ଓ ଉନ୍ନତ ଗଣତନ୍ତ୍ର ପାଇଁ ଚାଲେଞ୍ଜ ହୋଇପାରେ।