ସୁପର୍‌ବଗ୍‌-ନାଶକ ନୂତନ ଆଣ୍ଟିବାୟୋଟିକ୍ ଉଦ୍ଭାବନରେ ସାହାଯ୍ୟ କଲା ଏଆଇ

ନୂଆଦିଲ୍ଲୀ : ମ୍ୟାକ୍‌ମାଷ୍ଟର ୟୁନିଭର୍ସିଟି ଓ ମାସାଚୁସେଟ୍ସ ଇନ୍‌‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିର ଗବେଷକମାନେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ର ସାହାଯ୍ୟ ନେଇ ମାରାତ୍ମକ ବୀଜାଣୁ (ସୁପର୍‌ବଗ୍‌)କୁ ମାରି ପାରୁଥିବା ଏକ ନୂତନ ଆଣ୍ଟିବାୟୋଟିକ୍ (ବୀଜାଣୁନାଶକ) ଉଦ୍ଭାବନ କରିବାରେ ସଫଳ ହୋଇଛନ୍ତି।

ଯେଉଁ ସୁପର୍‌ବଗ୍‌ ବିଷୟରେ ଏଠାରେ ଉଲ୍ଲେଖ କରାଯାଉଛି ତାହାର ନାମ ଏସିନେଟୋବ୍ୟାକ୍ଟର ବୌମ୍ୟାନି ଏବଂ ଏହା ଅତ୍ୟନ୍ତ ମାରାତ୍ମକ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ)ର ମତ। ହୁ ଦ୍ବାରା ମାନବ ସ୍ବାସ୍ଥ୍ୟ ପାଇଁ ସବୁଠାରୁ ବଡ଼ ବିପଦ ସୃଷ୍ଟି କରିପାରୁଥିବା ବୀଜାଣୁମାନଙ୍କ ତାଲିକାରେ ଏହାକୁ ରଖାଯାଇଛି। ଆଜିଯାଏ ଯେତେ ଆଣ୍ଟିବାୟୋଟିକ୍ ବାହାରିଛି, ସେଗୁଡ଼ିକ ଏହି ବୀଜାଣୁକୁ ମାରିବାରେ ବିଫଳ। ଏହି ବୀଜାଣୁ ଘର ଚଟାଣ ବା ଅନ୍ୟ ଜିନିଷରେ ବି ଦୀର୍ଘ ଦିନ ଯାଏ ଲାଖି ରହିପାରେ। ହାତ ଦେଇ ଏହା ସଂକ୍ରମିତ ହୋଇପାରେ। କେବଳ ରକ୍ତ ନୁହେଁ, ଏହା ମୂତ୍ରନାଳୀ ଓ ଫୁସ୍‌ଫୁସ୍‌କୁ ବି ସଂକ୍ରମିତ କରିପାରେ। ଏହି ବୀଜାଣୁ ବିନା ଲକ୍ଷଣରେ ବି ରୋଗୀ ଦେହରେ ଦୀର୍ଘଦିନ ରହିପାରେ।

ଗବେଷକମାନେ ଏଆଇ ଆଲ୍‌ଗୋରିଦିମ୍ ବ୍ୟବହାର କରି ଅନେକ ଆଣ୍ଟିବ୍ୟାକ୍ଟେରିଆଲ ମଲିକ୍ୟୁଲ (ଜୀବାଣୁନାଶକ ଅଣୁ) ଉପରେ ଅନୁଧ୍ୟାନ କଲେ। ଏଆଇ ସ୍କ୍ରିନିଂ ପ୍ରକ୍ରିୟା ଦ୍ବାରା ସେମାନେ ଏକ ନୂଆ ଯୌଗିକ ବିଷୟରେ ଜାଣିପାରିଲେ, ଯାହାର ବୀଜାଣୁନାଶକ ଗୁଣ ରହିଛି। ଏଥିରୁ ନୂତନ ଜୀବାଣୁନାଶକ ଉଦ୍ଭାବନର ମାର୍ଗ ପ୍ରଶସ୍ତ ହୋଇଥିଲା ବୋଲି ଗବେଷଣାରେ ସମ୍ପୃକ୍ତ ମ୍ୟାକ୍‌ମାଷ୍ଟର ୟୁନିଭର୍ସିଟିର ସ୍ନାତକ ଛାତ୍ର ଗାରି ଲିଉ କହିଛନ୍ତି।

ସମ୍ବନ୍ଧିତ ଖବର