ନୂଆଦିଲ୍ଲୀ: ଆପଣ କେବେ ଚିନ୍ତା କରିଛନ୍ତି କି ଦୁନିଆର ସବୁଠାରୁ ଧନୀ ଲୋକମାନେ ଯଦି ଗରିବ ରହିଥାନ୍ତେ କିଭଳି ଦେଖାଯାଇଥାନ୍ତେ ? ଜଣେ ଇନଷ୍ଟାଗ୍ରାମ ୟୁଜର୍ସ ଏବେ ଏଆଇ ମିଡ଼ଜର୍ଣ୍ଣି କିଛି କୁବେରମାନଙ୍କ ଦାରିଦ୍ର୍ୟର ଚିତ୍ର ପ୍ରସ୍ତୁତ କରିଛନ୍ତି | ଏହି ୟୁଜର୍ସ ଜଣକ ବିଶ୍ୱର ଧନୀ ତାଲିକାରେ ଥିବା ବ୍ୟକ୍ତିବିଶେଷଙ୍କ ଏଆଇ ସହାୟତାରେ ଚିତ୍ର ପ୍ରସ୍ତୁତ କରିଛନ୍ତି | ଆପଣ ତ ଏଲୋନ୍ ମସ୍କଙ୍କୁ ଜାଣିଥିବେ | କିଛି ମାସ ପୂର୍ବରୁ ସେ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଥିଲେ | ଫୋର୍ବସ ମୁତାବକ ଏଲୋନ୍ ମସ୍କଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ବର୍ତ୍ତମାନ ୧୮୭.୬ ବିଲିୟନ ଡ଼ଲାର୍ ଥିବାବେଳେ ସେ ବର୍ତ୍ତମାନ ଦୁନିଆର ଦ୍ୱିତୀୟ ଧନୀ ବ୍ୟକ୍ତି | ଏଲୋନ୍ ମସ୍କଙ୍କ ପରେ ଆମାଜନର ଜେଫ୍ ବେଜୋସଙ୍କ ନାମ ଆସେ | ବେଜୋସଙ୍କର ବର୍ତ୍ତମାନ ସମ୍ପତ୍ତିର ମୂଲ୍ୟ ୧୨୫.୨ ବିଲିୟନ ଡ଼ଲାର୍ ଥିବାବେଳେ ସେ ଦୁନିଆର ତୃତୀୟ ଧନୀ ବ୍ୟକ୍ତି |
ମାଇକ୍ରୋସଫ୍ଟ କମ୍ପାନୀ ତିଆରି କରି ସାରା ବିଶ୍ୱରେ ଲୋକଙ୍କ ଜୀବନକୁ ପ୍ରଭାବିତ କରିଥିବା ବିଲ୍ ଗେଟ୍ସଙ୍କୁ ତ ଆପଣ ଜାଣିଥିବେ | ୧୦୯.୮ ବିଲିୟନ ଡ଼ଲାରର ସମ୍ପତ୍ତି ସହିତ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତିଙ୍କ ତାଲିକାରେ ପଞ୍ଚମ ସ୍ଥାନରେ ଅଛନ୍ତି | ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ବର୍ତ୍ତମାନ କେବଳ ଭାରତରେ ନୁହେଁ ଏସିଆରେ ମଧ୍ୟ ସବୁଠାରୁ ଧନୀ ବ୍ୟକ୍ତି । ତାଙ୍କ ପାଖରେ ୮୪ ବିଲିୟନ ଡଲାରର ସମ୍ପତ୍ତି ଥିବାବେଳେ ୧୩ ତମ ସ୍ଥାନରେ ଅଛନ୍ତି |
ଗତ ଦେଢ଼ ବର୍ଷ ମଧ୍ୟରେ ଫେସବୁକର ସିଇଓ ମାର୍କ ଜୁକରବର୍ଗଙ୍କ ସମ୍ପତ୍ତି ଯଥେଷ୍ଟ ହ୍ରାସ ପାଇଛି। ଫୋର୍ବସ୍ ତାଲିକାରେ ଜୁକରବର୍ଗ ବର୍ତ୍ତମାନ ୧୫ତମ ସ୍ଥାନରେ ଅଛନ୍ତି ଏବଂ ତାଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ୭୬.୭ ବିଲିୟନ ଡ଼ଲାର୍ ରହିଛି | ଗୋକୁଲ ପିଲ୍ଲାଇ ନାମକ ୟୁଜର୍ସ ଏହି ସବୁ ଫଟୋ ତିଆରି କରିଥିବାବେଳେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଫଟୋ ମଧ୍ୟ ରହିଛି |