ଅଢ଼େଇ କିଲୋ ଇଲିସି ପାଇଁ ଏୟାର୍‌ ଇଣ୍ଡିଆ ବିମାନ ଉଡ଼ାଣରେ ଘଣ୍ଟାଏ ବିଳମ୍ବ

କୋଲ୍‌କାତା: ଏ ମାସର ଆଦ୍ୟ ଭାଗରେ ଢାକାରୁ କୋଲ୍‌କାତା ଅଭିମୁଖେ ଆସୁଥିବା ଗୋଟାଏ ବିମାନରେ ଜଣେ ପାଇଲଟ୍‌ ଗୁପ୍ତରେ ଇଲିସିମାଛ ଆଣିବାକୁ ଉଦ୍ୟମ କରିବା ଘଟଣାର ତଦନ୍ତ କରିବାକୁ ଏୟାର୍‌ ଇଣ୍ଡିଆର ପରିଚାଳନା କମିଟି ଆଦେଶ ଦେବା ସହ ସେଥିଯୋଗୁଁ ବିମାନ ଉଡ଼ାଣରେ ଘଟିଥିବା ବିଳମ୍ବ ପାଇଁ ସେ ପାଇଲଟ୍‌ଙ୍କୁ କୈଫୟତ୍‌ ମାଗିଛି। ଏୟାର୍‌ଲାଇନ୍‌ସ୍‌ ନିରାପତ୍ତା ଅଧିକାରୀ ପାଇଲଟ୍‌ଙ୍କ ଉଦ୍ୟମକୁ ଭଣ୍ଡୁର କରିଥିଲେ ମଧ୍ୟ ଏଥିଯୋଗୁଁ ଉପୁଜିଥିବା ଗୋଳମାଳିଆ ପରିସ୍ଥିତି ସକାଶ ଅଗଷ୍ଟ ୮ ତାରିଖ ବିମାନ ଉଡ଼ାଣରେ ପ୍ରାୟ ଘଣ୍ଟାଏ ବିଳମ୍ବ ଘଟିଥିଲା।

ରାତି ୯ଟା ୨୫ରେ ଉଡ଼ାଣ ଆରମ୍ଭ କରିବାକୁ ଥିବା ଏଆଇ୨୨୯ ବିମାନରେ ରାତି ୯ଟା ୧୫ ସୁଦ୍ଧା ୫୪ ଜଣ ଯାତ୍ରୀ ବସି ସାରିଥିଲେ। କିନ୍ତୁ, ନିର୍ଦ୍ଧାରିତ ସମୟରେ ବିମାନ ଉଡ଼ାଣ ଆରମ୍ଭ ନ କରିବାରୁ ଯାତ୍ରୀମାନେ ବିରକ୍ତ ହୋଇଯାଇଥିଲେ। ପଚରା ପଚରି କରିବାରୁ ଜଣାପଡ଼ିଲା ଯେ ଦୁଇ ପାଇଲଟ୍‌ଙ୍କ ମଧ୍ୟରୁ ଜଣେ ପାଇଲଟ୍‌ ବିମାନରେ ନେବାକୁ ଚାହୁଁଥିବା ଗୋଟାଏ ପ୍ୟାକେଟ୍‌ ଯୋଗୁଁ ଅସୁବିଧା ଉପୁଜିଛି। ଢାକା ଠାରେ ଥିବା ଏୟାର୍‌ଲାଇନ୍‌ର ନିରାପତ୍ତା ଅଧିକାରୀ ଏବଂ ସମ୍ପୃକ୍ତ ପାଇଲଟ୍‌ଙ୍କ ମଧ୍ୟରେ ଉଚ୍ଚବାଚ ହୋଇଥିଲା। ବିମାନ ଉଡ଼ାଣ ଆରମ୍ଭ କରିବାର କେଇ ମିନିଟ୍‌ ପୂର୍ବରୁ ଏୟାର୍‌ଲାଇନ୍‌ରେ ଚୁକ୍ତିଭିତ୍ତିରେ କାମ କରୁଥିବା ଜଣେ କର୍ମଚାରୀ ବରଫ ପ୍ୟାକେଟ୍‌ରେ ପଶିଥିବା ୨. ୫ କିଲୋ ଇଲିସି ଆଣି ପାଇଲଟ୍‌କୁ ଦେଇଥିଲେ।

ନିରାପତ୍ତା ଅଧିକାରୀଜଣକ ସେ ପ୍ୟାକେଟ୍‌ଟିକୁ ବିମାନରେ ନେବା ପାଇଁ ଅନୁମତି ଦେଲେ ନାହିଁ। ବାଂଲାଦେଶ ଇଲିସି ରପ୍ତାନୀ ଉପରେ ନିଷେଧାଜ୍ଞା ଜାରି କରିଥିବାରୁ ସେ ପ୍ୟାକେଟ୍‌ଟିକୁ ନେବା ଥିଲା ବେଆଇନ୍‌।

ଏୟାର୍‌ଲାଇନ୍‌ ଅଧିକାରୀ କହନ୍ତି: ଯଦି ସେଇଟା ଇଲିସି ପ୍ୟାକେଟ୍‌ ହୋଇ ନ ଥାନ୍ତା, ତେବେ ସୁଦ୍ଧା ତାହା ଯାଇ ପାରି ନ ଥାନ୍ତା। ଫଳ, ପନିପରିବା, କଞ୍ଚାମାଛ ଓ କୁକ୍କୁଟ ଆଦି ଆଣିବାକୁ ବିନା ଲାଇସେନ୍‌ସ୍‌ରେ ଭାରତୀୟ ଆଇନ୍‌ ଅନୁମତି ଦିଏ ନାହିଁ।

ନିରାପତ୍ତା ଅଧିକାରୀ ଅଡ଼ି ବସିବାରୁ ପାଇଲଟ୍‌ ପ୍ୟାକେଟ୍‌ ନେଇ ପାରିଲେ ନାହିଁ। ତା’ପରେ ଏୟାର୍‌କ୍ରାଫ୍ଟ୍‌ ରିଲିଜ୍‌ ସାର୍ଟିଫିକେଟ୍‌ର କାଉଣ୍ଟର୍‌ ସାଇନ୍‌ ନ କରାଇ ସେ ବିମାନର କବାଟ ବନ୍ଦ କରିବାକୁ ଆଦେଶ ଦେଲେ। ବିମାନ ଉଡ଼ାଣ ପୂର୍ବରୁ ଏହି କାଗଜରେ ଦସ୍ତଖତ କରାଯାଏ।

ସେତେବେଳେକୁ ନିର୍ଦ୍ଧାରିତ ସମୟ ଠାରୁ ବିମାନ ଉଡ଼ାଣରେ ୩୫ ମିନିଟ୍‌ ବିଳମ୍ବ ହୋଇ ସାରିଥିବାରୁ ଢାକା ଏୟାର୍‌ପୋର୍ଟ କର୍ତ୍ତୃପକ୍ଷମାନେ ଅନୁସନ୍ଧାନ କରି ଏ କଥା ଜାଣିପାରିଥିଲେ। ବିମାନଟିକୁ ଅଟକାଇବାକୁ ଏଟିସିଙ୍କୁ କୁହାଯାଇଥିଲା।

ପରିସ୍ଥିତିର ଗମ୍ଭୀରତା ଉପଲବଧି କରି ପାଇଲଟ୍‌ ପୁଣି ବିମାନ ଦ୍ୱାର ଖୋଲି କହିଥିଲେ କି, ଇଲିସି କିଂବା ସେ ଭଳି କୌଣସି ନିଷିଦ୍ଧ ଜିନିଷ ବିମାନରେ ନାହିଁ। ଏଆର୍‌ସିରେ ଦସ୍ତଖତ କରିବା ପରେ କକ୍‌ପିଟ୍‌କୁ ଫେରିଥିଲେ। ଶେଷକୁ ବିମାନଟି ରାତି ସାଢ଼େ ଦଶଟା ବେଳେ ଉଡ଼ାଣ ଆରମ୍ଭ କରିଥିଲା।

ସମ୍ବନ୍ଧିତ ଖବର