ଭୁବନେଶ୍ବର, ୧୮/୨(ଇମିସ): ରାଜ୍ୟ ସରକାରଙ୍କ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ରଣନୀତିରେ ସ୍ବାସ୍ଥ୍ୟସେବା, ଶିକ୍ଷା, କୃଷି, ବିପର୍ଯ୍ୟୟ ପରିଚାଳନା ଓ ଶାସନ ବ୍ୟବସ୍ଥାକୁ ପ୍ରାଥମିକତା ଦିଆଯାଉଛି। ଗ୍ରାମାଞ୍ଚଳ, ଆଦିବାସୀ ବହୁଳ ଓ ଅଧିକ ନିରକ୍ଷର ଲୋକ ଥିବା ଅଞ୍ଚଳରେ ସେବା ପ୍ରଦାନ କରିବା ଲାଗି ଏଆଇ ଟୁଲ୍‌ ଉପଯୋଗ କରାଯାଉଛି। ଗ୍ରାମାଞ୍ଚଳରେ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଏଆଇ ଆଧାରିତ ସହାୟତା ଟୁଲ୍‌, ଅଭିଯୋଗ ଶୁଣାଣି ପାଇଁ ସ୍ବର ଆଧାରିତ ଓଡ଼ିଆ ଭାଷାର ଏଆଇ ଟୁଲ୍‌, କୃଷି ସୂଚନା ଓ ସହରାଞ୍ଚଳ ବନ୍ୟା ନିରାକରଣ ପାଇଁ ଏଆଇ ଆନାଲିଟିକ୍ସ ଓ ଟୁଲ୍‌ ବ୍ୟବହାର କରାଯାଉଛି।ନୂଆଦିଲ୍ଲୀର ଭାରତ ମଣ୍ଡପମ୍‌ରେ ଆୟୋଜିତ ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍‌-୨୦୨୬ର ହଲ୍‌ ସଂଖ୍ୟା-୫ରେ ସ୍ଥାପନ କରାଯାଇଥିବା ଓଡ଼ିଶା ପାଭିଲିୟନରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଆଇଟି ବିଭାଗର ପ୍ରମୁଖ ସଚିବ ବିଶାଲ କୁମାର ଦେବ କହିଥିଲେ ଯେ ସ୍ବତନ୍ତ୍ର ବଜେଟ୍‌ ଓ କାର୍ଯ୍ୟକାରୀ ଫ୍ରେମ୍‌ୱର୍କ ଜରିଆରେ ଏଆଇ ବ୍ୟବହାର କରାଯାଉଛି। ଓଡ଼ିଶା କେବଳ ପ୍ରଯୁକ୍ତିକୁ ଗ୍ରହଣ କରୁଥିବା ଏକ ରାଜ୍ୟ ହୋଇରହିନାହିଁ। ଏହା ଏବେ ପ୍ରଯୁକ୍ତି ତିଆରି କରୁଛି ଏବଂ ଶିଳ୍ପ, ଷ୍ଟାର୍ଟଅପ୍‌ ଓ ବିଶ୍ବସ୍ତରୀୟ ସଂସ୍ଥା ସହ ସହଯୋଗିତା କରିବାକୁ ପ୍ରସ୍ତୁତ ରହିଛି। ଓଡ଼ିଶା ଏକ ବିଦ୍ୟୁତ୍‌ ବଳକା ରାଜ୍ୟ ହୋଇଥିବାରୁ ଏଆଇ ବିକାଶ ପାଇଁ ତାହା ସହାୟକ ହେବ।

Advertisment

ଏହି ପରିପ୍ରେକ୍ଷୀରେ ମୁଖ୍ରମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ ଯେ ଶାସନ ବ୍ୟବସ୍ଥା‌ ଓ ସାର୍ବଜନୀନ ସେବା ପ୍ରଦାନରେ ନୂତନ ମାନଦଣ୍ଡ ନିର୍ଧାରଣ କରିବା ପାଇଁ କୃତ୍ରିମ ବୁଦ୍ଧିମତ୍ତା ଆମକୁ ସୁଯୋଗ ପ୍ରଦାନ କରିଛି। ସେହିପରି, ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କହିଥିଲେ ଯେ ଓଡ଼ିଶାର ଏଆଇ ଯାତ୍ରା ପରୀକ୍ଷାମୂଳକ ନୁହେଁ, ବରଂ ପ୍ରଭାବ ବିଶିଷ୍ଟ। ସାର୍ବଜନୀନ ସେବା ପ୍ରଦାନକୁ ଦୃଢ଼ କରିବା, ନାଗରିକଙ୍କୁ ସଶକ୍ତ କରିବା ଓ ସୋଭରେନ୍‌ ଡିଜିଟାଲ ଦକ୍ଷତା ଗଠନ କରିବା ପାଇଁ ଏଆଇ ବ୍ୟବହାର କରିବା ଉପରେ ଆମେ ଗୁରୁତ୍ବାରୋପ କରୁଛୁ ବୋଲି ସେ କହିଥିଲେ।