ପାଟନା: ନିର୍ବାଚନ ପୂର୍ବରୁ ବିହାରରେ ହଙ୍ଗାମା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ତାଙ୍କ ମାଆ ହୀରାବେନଙ୍କୁ ନେଇ ଏକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଭିଡିଓ ଭାଇରାଲ ହେବା ପରେ ଏବେ କଂଗ୍ରେସକୁ ଘେରିଛି ବିଜେପି। ଭିଡିଓରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାଆ ହୀରାବେନ ତାଙ୍କୁ କହୁଥିବା କଥାଗୁଡ଼ିକୁ ନେଇ ବିବାଦ ଆରମ୍ଭ ହୋଇଛି। ପୂର୍ବରୁ କଂଗ୍ରେସର 'ଭୋଟର ଅଧିକାର ଯାତ୍ରା' ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ତାଙ୍କ ମାଆଙ୍କ ବିରୋଧରେ ଅପମାନଜନକ ଭାଷା ବ୍ୟବହାର କରିବା ଘଟଣା ଶିରୋନାମାରେ ଥିଲା। ଏବେ ଏଆଇ ଭିଡିଓକୁ ନେଇ ବିବାଦ ବଢ଼ିଛି। ଏହି ଭିଡିଓକୁ ବିହାର କଂଗ୍ରେସ ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ବେଳେ ଭିଡିଓରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ତାଙ୍କ ମାଆଙ୍କୁ ଦେଖିବାକୁ ମିଳିଛି। କଂଗ୍ରେସର ଏହି ଭିଡିଓ ଦେଖିବା ପରେ ବିଜେପି କଡ଼ା ପ୍ରତିକ୍ରିୟା ଦେଇ କହିଛି ଯେ, ପ୍ରଧାନମନ୍ତ୍ରୀଙ୍କ ମାଆ, ମହିଳା ଏବଂ ଗରିବଙ୍କ ପ୍ରତି ଏହା ଅପମାନ।

Advertisment

ବିହାର କଂଗ୍ରେସ ଦ୍ୱାରା ଜାରି କରାଯାଇଥିବା ଏଆଇ ଭିଡିଓରେ ପ୍ରଧାନମନ୍ତ୍ରୀ ମୋଦୀ ଘରକୁ ଫେରି ଶୋଇବାକୁ ଯାଉଥିବା ଦେଖାଯାଉଛି। ଏହା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମାଆ ତାଙ୍କ ସ୍ବପ୍ନରେ ଆସି ତାଙ୍କୁ ରାଗୁଛନ୍ତି। ଏହି ଭିଡିଓରେ ଯେଉଁ ପ୍ରକାରର ଭାଷା ବ୍ୟବହାର କରାଯାଇଛି ତାକୁ ନେଇ ବିବାଦ ଆରମ୍ଭ ହୋଇଛି। ଭିଡିଓରେ ପ୍ରଧାନମନ୍ତ୍ରୀ କହୁଛନ୍ତି, "ଆଜିର ଭୋଟ୍ ଚୋରି ସରିଲା। ଏବେ ଯାଉଛି ଶୋଇବି।" ଏହା ପରେ ତାଙ୍କ ମାଆ ସ୍ବପ୍ନରେ ଆସି କହୁଛନ୍ତି, "ଆରେ ପୁଅ...ପ୍ରଥମେ ତୁ ‌ମୋତେ ବିମୁଦ୍ରିକରଣର ଲମ୍ବା ଲାଇନରେ ଠିଆ କଲୁ, ତା’ ପରେ ମୋ ପାଦ ଧୋଇବାର ରିଲ୍ ତିଆରି କଲୁ। ଆଉ ଏବେ ବିହାରରେ ମୋ ନାମରେ ରାଜନୀତି କରୁଛୁ। ମୋ ଅପମାନର ବ୍ୟାନର ପୋଷ୍ଟର ଛପାଉଛୁ। ରାଜନୀତି ପାଇଁ ଆଉ କେତେ ତଳକୁ ଖସିବୁ।"

ଏହି ଭିଡିଓକୁ ନେଇ ବିଜେପି ନେତା ଶହଜାଦ ପୁନାୱାଲା ତାଙ୍କର କଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, "କଂଗ୍ରେସ ଦଳ ପୁଣି ଥରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମା'ଙ୍କୁ ଅପମାନିତ କରିଛି। ଏହା ଆଉ ଗାନ୍ଧୀଙ୍କ କଂଗ୍ରେସ ନୁହେଁ, ଏହା ଗାଳି ଦେଉଥିବା କଂଗ୍ରେସ ହୋଇଗଲାଣି।"

ବିଜେପି ନେତା ଶାହନୱାଜ ହୁସେନ କହିଛନ୍ତି ଯେ, "କଂଗ୍ରେସକୁ ଏହି ଭିଡିଓ ପାଇଁ ଲଜ୍ଜିତ ହେବା ଉଚିତ। ସେମାନେ ପୁଣି ଥରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମା'ଙ୍କୁ ଅପମାନିତ କରିଛନ୍ତି, ଯିଏ ଆଉ ଏ ଦୁନିଆରେ ନାହାନ୍ତି। କଂଗ୍ରେସ ନେତାମାନେ ଏହି ଭିଡିଓ ପାଇଁ କ୍ଷମା ମାଗିବା ଉଚିତ।"