ନୂଆଦିଲ୍ଲୀ: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ର ବହୁଳ ବ୍ୟବହାର ପରେ ‘ଡିପ୍‌ଫେକ୍’ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ଅବିକଳ ଅସଲି ଭଳି ଜଣାପଡ଼ୁଥିବା ନକଲି ଏଆଇ କଣ୍ଟେଣ୍ଟଗୁଡ଼ିକୁ ଡିପ୍‌ଫେକ୍ କୁହାଯାଉଛି। ତାହାର ମୁକାବିଲା କରିବା ଲାଗି କେନ୍ଦ୍ର ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଏକ କଡ଼ା ନିୟମ ଆଣିବା ଉପରେ କାର୍ଯ୍ୟ କରୁଛି। ଏହି ନିୟମ ଆଧାରରେ ଏଆଇକୁ ବ୍ୟବହାର କରି ପ୍ରସ୍ତୁତ କରାଯାଇଥିବା କଣ୍ଟେଣ୍ଟଗୁଡ଼ିକରେ ଲେବଲ୍‌ ଲଗାଯିବ। ଫଳରେ ବ୍ୟବହାରକାରୀମାନେ ତାହା ଅସଲି ନା ନକଲି ଜାଣିପାରିବେ। ତେଣୁ ଆଗାମୀ ଦିନରେ ଆଉ ଏଆଇର ଅପବ୍ୟବହାର କରି ଅସ୍ଥିରତା, ଅରାଜକତା ଓ ମିଥ୍ୟା ପ୍ରଚାର କରିବା ସମ୍ଭବ ହେବ ନାହିଁ। କେହି ଏଆଇର ଛଦ୍ମବେଶ ପଛରେ ଲୁଚି ରହିପାରିବେନି। ସବୁ କୃତ୍ରିମ କଣ୍ଟେଣ୍ଟ ଜଣାପଡ଼ିଯିବ।

Advertisment

ଡିପ୍‌ଫେକ୍ ଭିଡିଓଗୁଡ଼ିକରେ ପରିଚୟ ‌ଚୋରାଇବା ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି ଯାହା ସେଲିବ୍ରିଟି ଓ ନିର୍ବାଚନ ସମୟରେ ରାଜନେତାଙ୍କ ବିରୋଧରେ ବ୍ୟବହାର କରାଯିବା ଆଶଙ୍କା ରହିଛି। ଇଣ୍ଟରନେଟ୍‌କୁ ମୁକ୍ତ, ସୁରକ୍ଷିତ, ବିଶ୍ବସନୀୟ ଓ ଦାୟିତ୍ବବାନ କରିବା ଲାଗି ଏହି ନିୟମ ଜରୁରୀ ବୋଲି ସରକାର ଭାବୁଛନ୍ତି। ଏହା ଉପରେ ଅଂଶୀଦାରମାନଙ୍କ ମତାମତ ଲୋଡ଼ାଯାଇଛି। ନୂଆ ନିୟମର ଧାରା ୩(୩) ଅନୁସାରେ ଯେଉଁ ସୋସିଆଲ ମିଡିଆ ପ୍ଲାଟଫର୍ମ ସିନ୍ଥେଟିକ୍ କଣ୍ଟେଣ୍ଟ ପ୍ରସ୍ତୁତ କରିବାର ସୁବିଧା ଦେବେ ସେମାନଙ୍କୁ ଏହାର ଉଭୟ ଅଡିଓ ଓ ଭିଡିଓର ଲେବଲ୍ କରିବାକୁ ପଡ଼ିବ। ସେହି ଲେବଲ୍‌ ଭିଜୁଆଲର ଅତିକମ୍‌ରେ ୧୦ ପ୍ରତିଶତ ସ୍ଥାନରେ ସ୍ପଷ୍ଟ ଭାବେ ପ୍ରଦର୍ଶିତ ହେବ ଏବଂ ଅଡିଓ ବି ଅତି ସ୍ପଷ୍ଟ ଶୁଣାଯିବା ଦରକାର। ସେହି ଲେବଲ୍‌କୁ କେହି ପରିବର୍ତ୍ତନ, ଲୁଚାଇବା କିମ୍ବା ଡିଲିଟ୍‌ କରିପାରିବେ ନାହିଁ। କୌଣସି କଣ୍ଟେଣ୍ଟ୍‌ ଅପ୍‌ଲୋଡ୍‌ ହେବା ପୂର୍ବରୁ ଏହି ନିୟମ ପାଳନ ହୋଇଛି ନା ନାହିଁ ତାହାକୁ ପ୍ଲାଟଫର୍ମ ଯାଞ୍ଚ କରିବାକୁ ହେବ।

ଏହି ନିୟମକୁ ୫୦ ଲକ୍ଷରୁ ଅଧିକ ଲୋକ ବ୍ୟବହାର କରୁଥିବା ସବୁ ସୋସିଆଲ୍‌ ମିଡିଆ ପ୍ଲାଟଫର୍ମ ଉପରେ ଲାଗୁ କରାଯିବ। ନିୟମ ପାଳନର ଦାୟିତ୍ବ ସମ୍ପୂର୍ଣ୍ଣ ସେମାନଙ୍କ ଉପରେ ରହିବ। ଫେସବୁକ୍, ୟୁଟ୍ୟୁବ୍, ସ୍ନାପ୍‌ଚାଟ୍‌ ଭଳି ପ୍ଲାଟଫର୍ମ ଏଥିରେ ସାମିଲ ହେବେ। ଏହି ନିୟମର ଚିଠାକୁ ଆଜି ଜାରି କରାଯାଇ ନଭେମ୍ବର ୬ ସୁଦ୍ଧା ମତାମତ ଲୋଡ଼ାଯାଇଛି। ଏହାପରେ ଆଇନ ଚୂଡ଼ାନ୍ତ ରୂପ ନେବ।