ଏଆଇଏଡିଏମକେରେ ଗୋଷ୍ଠୀ କନ୍ଦଳ, ବିଦା ହେଲେ ପନୀରସେଲଭମ୍

ଚେନ୍ନାଇ : ତାମିଲନାଡ଼ୁର ମୁଖ୍ୟ ବିରୋଧୀ ଦଳ ଏଆଇଏଡିଏମରେ ଗୋଷ୍ଠୀ କନ୍ଦଳ ତୀବ୍ର ରୂପ ନେଇଛି । ଆଜି ଇ.କେ. ପଲାନିସ୍ବାମୀ (ଇକେପି) ଦଳର ଅନ୍ତରୀଣ ମହାସଚିବ ମନୋନୀତ ହୋଇଛନ୍ତି । ଏହା ସହିତ ଦଳର ସାଧାରଣ ପରିଷଦ ତାଙ୍କୁ ନିଷ୍ପତ୍ତି ନେବା ପାଇଁ କ୍ଷମତା ଅର୍ପଣ କରିଛି । ମହାସଚିବ ହେବା ପରେ ସେ ନିଜର ମୁଖ୍ୟ ପ୍ରତିଦ୍ବନ୍ଦୀ ଥିବା ଓ.ପନୀରସେଲଭମଙ୍କୁ ବିଦା କରିଦେଇଛନ୍ତି ।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ  ଦଳରୁ ବିଦା ହୋଇଥିବା ପନୀରସେଲଭମ (ଓପିଏସ)ଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି ପଲାନିସ୍ବାମୀ । ସେ କହିଛନ୍ତି ଯେ ଡିଏମକେ ସହିତ ସେ ସଂପର୍କ ରଖିଛନ୍ତି । ରାଜ୍ୟ ପୁଲିସ ସହାୟତାରେ ତାଙ୍କ ସମର୍ଥକମାନେ ଏଆଇଏଡିଏମକେ ମୁଖ୍ୟ କାର୍ଯ୍ୟାଳୟରେ ଭଙ୍ଗାରୁଜ୍ଜା କରିବା ସହ ଅଫିସର ଅନେକ ମୂଲ୍ୟବାନ ସାମଗ୍ରୀ ନେଇଯାଇଛନ୍ତି ।

ପୂର୍ବରୁ ଏ ସଂପର୍କରେ ପୁଲିସକୁ ସୂଚୀତ କରାଯାଇଥିଲେ ବି ପୁଲିସ ନିରବଦ୍ରଷ୍ଟା ସାଜିଥିଲା ।

ଦଳରୁ ବହିଷ୍କାର ସଂପର୍କରେ ପନୀରସେଲଭମ କହିଛନ୍ତି ଯେ ଦଳର ଦେଢ କୋଟି କର୍ମୀ ତାଙ୍କୁ ସଂଯୋଜକ ନିଯୁକ୍ତ କରିଛନ୍ତି । ଏଣୁ ତାଙ୍କୁ ବାହାର କରିବାର କ୍ଷମତା ପଲାନିସ୍ବାମୀଙ୍କର ନାହିଁ । ଏହି କାର୍ଯ୍ୟାନୁଷ୍ଠାନ ବିରୋଧରେ ସେ କୋର୍ଟକୁ ଯିବେ ।

୨୦୧୬ ଡିସେମ୍ବରରେ ଏଆଇଏଡିଏମକେ ନେତ୍ରୀ ଜୟଲଳିତାଙ୍କ ମୃତ୍ୟୁ ପରେ ଦଳର ନେତୃତ୍ବକୁ ନେଇ ଉଭୟ ନେତାଙ୍କ ମଧ୍ୟରେ ପ୍ରତିଯୋଗିତା ଜାରି ରହିଥିଲା ।

ସମ୍ବନ୍ଧିତ ଖବର