ଏଆଇସିସି ଅନୁସୂଚିତ ଜାତି ବିଭାଗର ‘ସମ୍ବିଧାନ ସମ୍ମାନ ସମାରୋହ’

କାର୍ଯ୍ୟକ୍ରମରେ ଯୋଗ ଦେଲେ ରାଜ୍ୟ କଂଗ୍ରେସର ୭୦ କର୍ମୀ

ନୂଆଦିଲ୍ଲୀ : ନୂଆଦିଲ୍ଲୀର ଜବାହରଲାଲ୍‌ ନେହରୁ ଇନଡୋର ଷ୍ଟାଡିୟମରେ ଆଜି ଏଆଇସିସିର ଅନୁସୂଚିତ ଜାତି ବିଭାଗ ଦ୍ବାରା ଆୟୋଜିତ ‘ସମ୍ବିଧାନ ସମ୍ମାନ ସମାରୋହ’ କାର୍ଯ୍ୟକ୍ରମରେ ରାଜ୍ୟ କଂଗ୍ରେସ ଏସ୍‌ସି ସେଲ୍‌ର ୭୦ ରୁ ଊର୍ଦ୍ଧ୍ବ କାର୍ଯ୍ୟକର୍ତ୍ତା ଓ କର୍ମୀମାନେ ଯୋଗ ଦେଇଥିଲେ। ଡ. ଭୀମରାଓ ଆମ୍ବେଦକରଙ୍କ ସାମାଜିକ ଓ ରାଜନୈତିକ ଦର୍ଶନ ସମ୍ପର୍କରେ କର୍ମୀମାନଙ୍କୁ ପରିଚିତ କରାଇବା ତଥା ଆଗାମୀ ୯୦ ଦିନ ପର୍ଯ୍ୟନ୍ତ ଦେଶର କୋଣ ଅନୁକୋଣରେ ଦଳିତ ନେତୃତ୍ବକୁ ଅଗ୍ରା‌ଧିକାର ଦେବା ନେଇ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବା ଉଦ୍ଦେଶ୍ୟରେ ଆଜି ଏଆଇସିସି ଅନୁସୂଚିତ ଜାତି ବିଭାଗ ଦ୍ବାରା ଆୟୋଜନ କରାଯାଇଛି ଏହି ‘ସମ୍ବିଧାନ ସମ୍ମାନ ସମାରୋହ‌’। ବିଜେପି ଏବେ ଦେଶରେ ରାମ ମନ୍ଦିର ନାମରେ ରାଜନୀତି କରୁଥିବାବେଳେ କଂଗ୍ରେସ ବର୍ତ୍ତମାନ ସମ୍ବିଧାନ ସମ୍ମାନ ସମାରୋହ ଦ୍ବାରା ସମ୍ବିଧାନର ସୁରକ୍ଷା କାର୍ଯ୍ୟକ୍ରମ ପାଇଁ ଅଣ୍ଟା ଭିଡ଼ିଛି ବୋଲି ଆଜି ବହୁ ବରିଷ୍ଠ କଂଗ୍ରେସ ନେତା ମତ ରଖିଥିଲେ। ଏଆଇସିସି ଅନୁସୂଚିତ ଜାତି ବିଭାଗର ଅଧ୍ୟକ୍ଷ ନୀତିନ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ବିଧାନ ସମ୍ମାନ ସମାରୋହରେ ରାଜ୍ୟ କଂଗ୍ରେସର ଏସ୍‌ସି ବିଭାଗର ସହ ଅଧ୍ୟକ୍ଷ ବାଙ୍କନିଧୀ ବେହେରା , କଂଗ୍ରେସ ନେତା ଜୟଦେବ ଜେନା, ଭକ୍ତଚରଣ ଦାସ, ମୁରଲୀଧର ଜେନା, ନକୁଳ ନାୟକ, ହଳଧର ସେଠି, ଜାନକୀ ମଲ୍ଲିକ, ମମତାଂଜଳି ବେହେରା, ପ୍ରଶାନ୍ତ ନାୟକଙ୍କ ସମେତ ୭୦ ଜଣ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ। ଆସନ୍ତାକାଲି ଏହି କାର୍ଯ୍ୟକ୍ରମ ଓଡ଼ିଶାରେ ଆୟୋଜନ କରାଯିବ ବୋଲି ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର