ନୂଆଦିଲ୍ଲୀ: ସଂପ୍ରତି ଜାତୀୟ ରାଜଧାନୀ ଦିଲ୍ଲୀ ବାୟୁ ପ୍ରଦୂଷଣର ବିଷ ବଳୟ ଭିତରେ ରହିଛି। ଇତିମଧ୍ୟରେ ପ୍ରଦୂଷଣର ମୁକାବିଲା ପାଇଁ ଅନେକ ନୀତି ଓ ପଦକ୍ଷେପ ନିଆ ଯାଉଥିଲେ ମଧ୍ୟ ଏହି ସମସ୍ୟାର ସମାଧାନ ହୋଇପାରି ନାହିଁ। ଏହି ପରିପ୍ରେକ୍ଷୀରେ ଏମ୍ସର ପୂର୍ବତନ ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆ ପ୍ରଦୂଷଣକୁ ଦିଲ୍ଲୀବାସୀଙ୍କ ପାଇଁ ଏକ ନିରବ ଘାତକ ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ ପୂର୍ବରୁ ପ୍ରଦୂଷଣ ଯୋଗୁଁ କେବଳ ଫୁସଫୁସ ଏବଂ ହୃଦୟକୁ ବିପଦ ଥିଲା; କିନ୍ତୁ ବର୍ତ୍ତମାନ ଜଣାପଡିଛି ଯେ ବାୟୁରେ ଥିବା ଛୋଟ ଛୋଟ ପ୍ରଦୂଷକ ଆମ ରକ୍ତରେ ମିଶିଯାଉଛି, ଯାହା ଦ୍ୱାରା ଲୋକମାନଙ୍କଠାରେ ଷ୍ଟ୍ରୋକ୍, ଡିମେନ୍ସିଆ ଏବଂ ଅନ୍ୟାନ୍ୟ ରୋଗର ବିପଦ ସୃଷ୍ଟି ହେଉଛି।
Sambad is now on WhatsApp
Join and get latest news updates delivered to you via WhatsApp
ଜାତୀୟ ସ୍ତରର ଏକ ପ୍ରମୁଖ ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ଡକ୍ଟର ଗୁଲେରିଆ କହିଛନ୍ତି ଯେ ବର୍ତ୍ତମାନ ପ୍ରଦୂଷଣର ପ୍ରଭାବ ଅତ୍ୟନ୍ତ ମାରାତ୍ମକ ହୋଇପଡିଛି। ପ୍ରଦୂଷଣ ଯୋଗୁଁ ବୃଦ୍ଧ ଓ ପିଲାମାନେ ଅଧିକ ପ୍ରଭାବିତ ହେଉଛନ୍ତି। ଡାକ୍ତରଖାନା ଆସୁଥିବା ବୃଦ୍ଧ ଓ ଶିଶୁଙ୍କ ସଂଖ୍ୟା ବୃଦ୍ଧି ପାଇଛି। ତଥ୍ୟରୁ ଜଣାପଡିଛି ଯେ ପ୍ରଦୂଷଣ ହେତୁ ହୃଦଘାତର ଘଟଣା ମଧ୍ୟ ବୃଦ୍ଧି ପାଇଛି । ଅଧ୍ୟୟନରୁ ଜଣାପଡିଛି ଯେ ଦିଲ୍ଲୀର ବାୟୁର ମାନ ଅଧିକାଂଶ ଦିନ ଖରାପରୁ ଅତ୍ୟନ୍ତ ଖରାପ ସ୍ତରରେ ରହୁଛି। ଉତ୍ତର ଭାରତରେ ରହୁଥିବା ଲୋକମାନେ କ୍ରମାଗତ ଭାବରେ ଦୂଷିତ ବାୟୁରେ ନିଶ୍ୱାସ ପ୍ରଶ୍ୱାସ ନେଉଛନ୍ତି ଏବଂ ଏହା ସେମାନଙ୍କର ସ୍ୱାସ୍ଥ୍ୟ ଉପରେ ପ୍ରଭାବ ଦେଖାଇବା ଆରମ୍ଭ କରିଛି । ପ୍ରଦୂଷଣ ଯୋଗୁଁ ପିଲାମାନଙ୍କର ଫୁସଫୁସ ପ୍ରଭାବିତ ହୁଏ । ଫୁସଫୁସର ବିକାଶ ୨୦ ବର୍ଷ ବୟସ ପର୍ଯ୍ୟନ୍ତ ଘଟିଥାଏ । ଯଦି ଆପଣ ଦୂଷିତ ବାୟୁରେ ନିଶ୍ୱାସ ନେଉଛନ୍ତି, ତେବେ ଫୁସଫୁସର କ୍ଷମତା ଖରାପ ହୋଇଯାଏ।
ସେ ଆହୁରି ମଧ୍ୟ କହିଛନ୍ତି, ଅଧ୍ୟୟନରୁ ଜଣାପଡିଛି ଯେ ଦକ୍ଷିଣ ଭାରତର ପିଲାମାନଙ୍କ ଅପେକ୍ଷା ଦିଲ୍ଲୀରେ ବଢୁଥିବା ପିଲାମାନଙ୍କର ଫୁସଫୁସ ଅଧିକ କ୍ଷତି ହୋଇଥାଏ। ଦିଲ୍ଲୀରେ ରହିବା ହୃଦୟ ସମ୍ବନ୍ଧୀୟ ରୋଗ ପାଇଁ ବିପଦପୂର୍ଣ୍ଣ ଅଟେ। ପୂର୍ବରୁ ପ୍ରଦୂଷଣ ହେତୁ କେବଳ ଫୁସଫୁସ ଏବଂ ହୃଦୟ ଉପରେ ବିପଦରେ ଥିଲା। କିନ୍ତୁ ବର୍ତ୍ତମାନ ଏହା ଆହୁରି ବିପଦଜନକ ହୋଇପଡିଛି । ଯଦି ଆପଣଙ୍କର ନିଶ୍ୱାସ ନେବାରେ ଅସୁବିଧା ହେଉଛି ଓ ଆପଣ କ୍ରମାଗତ ଭାବରେ ଦୂଷିତ ବାୟୁରେ ନିଶ୍ୱାସ ନେଉଛନ୍ତି ତେବେ ଏହି ଅବସ୍ଥା ସାଂଘାତିକ ହୋଇପାରେ । ଏହା ଫୁସଫୁସ, କର୍କଟ ଓ ହୃଦଘାତର ଆଶଙ୍କା ବଢ଼ାଇଥାଏ ।
ଲାନସେଟର ଏକ ରିପୋର୍ଟରେ ଦର୍ଶାଯାଇଛି ଯେ ୨୦୧୭ରେ ପ୍ରଦୂଷଣ ସମ୍ବନ୍ଧୀୟ କାରଣରୁ ୧୨.୪ ଲକ୍ଷ ଲୋକଙ୍କର ମୃତ୍ୟୁ ଘଟିଛି। ଏହି ରିପୋର୍ଟରେ ଏହା ମଧ୍ୟ ପ୍ରକାଶ ପାଇଛି ଯେ ଧୂମପାନ ଅପେକ୍ଷା ପ୍ରଦୂଷଣ ଦ୍ୱାରା ଅଧିକ ଶ୍ୱାସକ୍ରିୟା ସଂକ୍ରମଣ, ଷ୍ଟ୍ରୋକ୍, ହୃଦ ରୋଗ ଓ କ୍ରନିକ୍ ଶ୍ୱାସକ୍ରିୟାରେ ସମସ୍ୟା ସୃଷ୍ଟି କରିଥିଲା। ଗୁଲେରିଆ କହିଛନ୍ତି ଯେ, ଆମକୁ ଏହି ବିଷୟରେ ରଣନୀତି ଅନୁଯାୟୀ କାମ କରିବାକୁ ପଡିବ। ଆମକୁ ଲୋକଙ୍କ ଚିନ୍ତାଧାରାକୁ କେନ୍ଦ୍ର କରି ଏକ ରଣନୀତି ପ୍ରସ୍ତୁତ କରିବାକୁ ପଡିବ ।