ନୂଆଦିଲ୍ଲୀ : ନର୍ସଙ୍କ ପ୍ରତି ଦୁର୍ବ୍ୟବହାର ଓ ନିର୍ଯ୍ୟାତନା ଅଭିଯୋଗରେ  ଦିଲ୍ଲୀ ଏମ୍ସରେ କାର୍ଯ୍ୟରତ ବରିଷ୍ଠ ଓଡ଼ିଆ ଡାକ୍ତର ଡ. ଏ.କେ. ବିଷୋୟୀଙ୍କୁ ନିଲମ୍ବିତ କରାଯାଇଛି । ତାଙ୍କ ବିରୋଧରେ ଜଣେ ନର୍ସିଂ ଅଫିସର ଅଭିଯୋଗ କରିଥିଲେ । ଡ. ବିଷୋୟୀ ଦିଲ୍ଲୀ ଏମ୍ସର କାର୍ଡିଆକ ଥୋରାସିକ୍ ଓ ଭସ୍କୁଲାର ସର୍ଜରି ବିଭାଗର ମୁଖ୍ୟ ଅଛନ୍ତି । ତାଙ୍କୁ ନିଲମ୍ବିତ କରାଯିବା ପରେ ତାଙ୍କ ସ୍ଥାନରେ ବରିଷ୍ଠ ଡାକ୍ତର ଡ. ଭି. ଦେବଗୁରୁଙ୍କୁ ବିଭାଗୀୟ ଦାୟିତ୍ବରେ ରଖାଯାଇଛି । 

Advertisment

ସଂପୃକ୍ତ ନିର୍ସିଂ ଅଫିସର ଡଃ ବିଷୋୟୀଙ୍କ ବିରୋଧରେ ଅସଦାଚରଣ, ଦୁର୍ବ୍ୟବହାର, ଖରାପ ଓ ଅଣପେସାଦାର ଭାଷା କହିବା, ଧମକ ଦେବା ଆଦି ଅଭିଯୋଗ ଲଗାଇଛନ୍ତି । ଏହି ଅଭିଯୋଗ ଆସିବା ପରେ ଏମ୍ସରେ ନର୍ସ ୟୁନିୟନ ଏ ନେଇ ପ୍ରଥମେ ଏମ୍ସ ନିର୍ଦ୍ଦେଶକ ଡଃ ଏମ.ଶ୍ରୀନିବାସଙ୍କ ନିକଟରେ ଅଭିଯୋଗ କରିଥିଲେ । କିନ୍ତୁ ଏଥିରେ କୌଣସି ସୁଫଳ ନ ମିଳିବାରୁ ୟୁନିୟନ ପକ୍ଷରୁ ଗତ ୯ ତାରିଖରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରେ ଅଭିଯୋଗ କରାଯାଇଥିଲା । ପିଏମଓରେ ଅଭିଯୋଗ ଦେବା ପରେ ଏମ୍ସ ପ୍ରଶାସନ ସକ୍ରିୟ ହେବା ସହ ଡ. ବିଷୋୟୀଙ୍କୁ ନିଲମ୍ବିତ କରିଛି । ନିଜର ଅଭିଯୋଗପତ୍ରରେ ୟୁନିୟନ ପକ୍ଷରୁ କେତେକ ଗୁରୁତର ଅଭିଯୋଗ କରାଯାଇଛି । ଏହା ସହିତ ଏମ୍ସ ପ୍ରଶାସନ ବାରମ୍ବାର ଅଭିଯୋଗ ପ୍ରତି ଆଖୁବୁଜି ଦେଉଥିବା କୁହାଯାଇଛି । 

ଡ. ବିଷୋୟୀ ୨୦୨୩ରେ ସେ କିଛି ସମୟ ପାଇଁ ଭୁବନେଶ୍ବର ଏମ୍ସର ଅଧ୍ୟକ୍ଷ ଥିଲେ । ତେବେ ଏହା ପ୍ରଥମ ଥର ପାଇଁ ନୁହେଁ ଯେ ନିଲମ୍ବିତ ହୋଇଛନ୍ତି । ପୂର୍ବରୁ ସେ ବିଭିନ୍ନ କାରଣରୁ ଏକାଧିକ ଥର ନିଲମ୍ବିତ ହୋଇଛନ୍ତି ।