୯ ଦିନ ପରେ ତୁର୍କୀ ଗୁମ୍ଫାରୁ ଉଦ୍ଧାର ହେଲେ ଅସୁସ୍ଥ ଆମେରିକୀୟ ଆବିଷ୍କାରକ

ଇସ୍ତାନବୁଲ୍‌: ପେଟରେ କ୍ଷତ ହୋଇ ରକ୍ତ ବାହାରୁ ଥିବା ଜଣେ ଅସୁସ୍ଥ ଆମେରିକୀୟ ଅନ୍ବେଷଣକାରୀ ବା ନୂତନ ସ୍ଥାନର ଆବିଷ୍କାରଙ୍କୁ ମଙ୍ଗଳବାର ଦିନ ଦଳେ ଆନ୍ତର୍ଜାତିକ ଉଦ୍ଧାରକାରୀ ତୁର୍କୀର ଗୋଟାଏ ଗୁମ୍ଫାରେ ଥିବା ଅଣଓସାରିଆ ସୁଡ଼ଙ୍ଗରୁ ବାହାର କରି ନିରାପଦ ସ୍ଥାନକୁ ଆଣିଛନ୍ତି। ସେ ଗତ ୯ ଦିନ ହେବ ଅସହାୟ ଅବସ୍ଥାରେ ଉକ୍ତ ସୁଡ଼ଙ୍ଗ ମଧ୍ୟରେ ଫସି ରହିଥିଲେ।

‘ତୁର୍କୀସ୍‌ କେଭିଙ୍ଗ୍‌ ଫେଡେରେସନ୍‌’ କହିଛି, ଗୁହା ମଧ୍ୟରୁ ଅନ୍ବେଷଣକାରୀ ମାର୍କ ଡିକିଙ୍କୁ ବାହାର କରାଯାଇଛି। ଉଦ୍ଧାର ଅଭିଯାନ ସଫଳତାର ସହିତ ସମ୍ପନ୍ନ ହୋଇଛି।

ସଂଗୃହୀତ ସୂଚନା ଅନୁସାରେ, ତୁର୍କୀର ଦକ୍ଷିଣପ୍ରାନ୍ତରେ ଥିବା ଟରସ୍‌ ପର୍ବତମାଳା ଅନ୍ତର୍ଗତ ମୋର୍କା ଗୁମ୍ଫା ମଧ୍ୟସ୍ଥ ଭୂତଳ ସୁଡ଼ଙ୍ଗ ନିରୀକ୍ଷଣ କରୁଥିବା ବ‌େଳେ ୪୦ ବର୍ଷିୟ ଅନ୍ବେଷଣକାରୀଙ୍କର ପେଟରେ ସମସ୍ୟା ସୃଷ୍ଟି ହୋଇଥିଲା।

Image Courtesy of South China Morning Post

ଭୂଗର୍ଭର ୩,୬୯୫ ଫୁଟ୍‌ ଅଭ୍ୟନ୍ତରରେ ଡିକି ଅସୁସ୍ଥ ହୋଇପଡ଼ିଲେ ଏହି ଅଭିଯାନର ଆୟୋଜକମାନେ ଉଦ୍ଧାର ଅଭିଯାନ ଆରମ୍ଭ କଲେ। ଏଥିପାଇଁ ୨୦୦ ଉଦ୍ଧାରକାରୀ ଥିବା ଏକ ଆନ୍ତର୍ଜାତିକ ଟିମ୍‌ ନିୟୋଜିତ ହୋଇଥିଲେ। ଏଥିରେ ଥିଲେ ଡାକ୍ତରଙ୍କ ସମେତ ଅନ୍ୟ କେତେକ ଅନ୍ବେଷଣକାରୀ। ପ୍ରଥମେ ସେମାନେ ଡିକିଙ୍କୁ ରକ୍ତ ଦେଇଥିଲେ ତା’ପରେ ସୁଡ଼ଙ୍ଗ ମଧ୍ୟରୁ ଟାଣି ବାହାରକୁ ଆଣିଥିଲେ।

ଅଣ ଓସାରିଆ ସୁଡ଼ଙ୍ଗରୁ ଡିକିଙ୍କୁ ଟାଣି ବାହାର କରିବା ବି ସହଜ ନ ଥିଲା। ତେଣୁ, ପ୍ରଥମେ ତାଙ୍କୁ ଗୋଟାଏ ଷ୍ଟ୍ରେଚର୍‌ରେ ଶୁଆଇ ବାନ୍ଧି ଦିଆଯାଇଥିଲା। କାରଣ, ସ୍ଥାନେ ସ୍ଥାନେ ଷ୍ଟ୍ରେଚର୍‌କୁ ଠିଆବାଗରେ ଦଉଡ଼ିଦ୍ବାରା ଟଣାଯାଇ ଉପରକୁ ଉଠାଯାଉଥିଲା। ସେତେବେ‌ଳେ ବନ୍ଧା ଦଉଡ଼ି ମଧ୍ୟ ଛିଡ଼ି ଯିବାର ଆଶଙ୍କା ଥିଲା।

ସଦ୍ୟତମ ସୂଚନା ଅନୁସାରେ, ଡିକି କ୍ରମଶଃ ସୁସ୍ଥ ହେଉଛନ୍ତି ଓ ତାଙ୍କୁ ତରଳ ଖାଦ୍ୟ ଦିଆଯାଉଛି। ପାକସ୍ଥଳୀରୁ ରକ୍ତ କ୍ଷରଣ ହୋଇଥିବାରୁ ତାଙ୍କୁ ‘ପ୍ଲାଜ୍‌ମା’ ଓ ‘ସିରମ୍‌’ ଦିଆଯାଇଛି।

ଡିକି ମଧ୍ୟ ତୁର୍କୀ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

ସମ୍ବନ୍ଧିତ ଖବର