ନୂଆଦିଲ୍ଲୀ: ଗତକାଲି ଅଲ୍ ଇଣ୍ଡିଆ ମଜ୍ଲିସ୍-ଏ-ଇତ୍ତେହାଦୁଲ୍ ମୁସଲିମୀନ (ଏଆଇଏମ୍ଆଇଏମ୍) ଅଧ୍ୟକ୍ଷ ତଥା ହାଇଦ୍ରାବାଦ୍ ସାଂସଦ ଅସଦୁଦ୍ଦିନ ଓୱେସିଙ୍କ ଗାଡ଼ି ଉପରକୁ ଗୁଳିମାଡ଼ କରାଯାଇଥିଲା। ମିରଟରୁ ନିର୍ବାଚନ ପ୍ରଚାର ସାରି ଫେରୁଥିବା ସମୟରେ ଗାଜିଆବାଦ୍ ନିକଟରେ ତାଙ୍କ ଗାଡ଼ି ଉପରକୁ ଗୁଳିମାଡ଼ ହୋଇଥିବା ଦାବି କରିଥିଲେ ଓୱେସି। ଆକ୍ରମଣ ପରେ ଆଜି ତାଙ୍କୁ ଜେଡ୍ ସୁରକ୍ଷା ପ୍ରଦାନ କରାଯାଇଛି। 'ଜେଡ୍’ ବର୍ଗ ସୁରକ୍ଷାରେ ୪ରୁ ୬ଜଣ ଏସଏସଜି କମାଣ୍ଡୋ ଏବଂ ପୁଲିସ୍ କର୍ମଚାରୀଙ୍କ ସମେତ ୨୨ଜଣ ଅଧିକାରୀ ସଂପୃକ୍ତ ବ୍ୟକ୍ତିଙ୍କୁ ସୁରକ୍ଷା ବଳୟ ମଧ୍ୟରେ ରଖିଥାଆନ୍ତି।
ତେବେ ଏହା ପୂର୍ବରୁ ଓୱେସି କହିଥିଲେ ଯେ, ସେ କେବେ ବି ସୁରକ୍ଷା ବଳୟ ଖୋଜି ନାହାନ୍ତି ଏବଂ ସେ କେବେ ମଧ୍ୟ ଖୋଜିବେ ନାହିଁ। କାରଣ ତାଙ୍କ ଜୀବନ ରକ୍ଷା କରିବା ସରକାରଙ୍କ ଦାୟିତ୍ବ ଅଟେ। ଏହାର କିଛି ସମୟ ପରେ ତାଙ୍କୁ ଏହି ସୁରକ୍ଷା ପ୍ରଦାନ କରାଯାଇଛି। ଅନ୍ୟ ପକ୍ଷରେ ଓୱେସୀଙ୍କ ଉପରେ ଆକ୍ରମଣ ଉଦ୍ୟମ କରିଥିବା ଦୁଇ ଅଭିଯୁକ୍ତ ବିଜେପି କର୍ମୀ ହୋଇଥିବା ବେଳେ ସେମାନଙ୍କର ଦଳର ଶୀର୍ଷ ନେତୃତ୍ବଙ୍କ ସହ ଫଟୋ ଭାଇରାଲ୍ ହୋଇଛି।
ଉଲ୍ଲେଖଯୋଗ୍ୟ, ମିରଟରୁ ନିର୍ବାଚନ ପ୍ରଚାର ସାରି ଫେରୁଥିବା ସମୟରେ ଗାଜିଆବାଦ୍ ନିକଟରେ ଓୱେସିଙ୍କ ଗାଡ଼ି ଉପରକୁ ଗୁଳିମାଡ଼ ହୋଇଥିବା ସେ ଦାବି କରିଥିଲେ । ନିଜ ଗାଡ଼ିର ଏକ ଫଟୋ ଟ୍ବିଟରରେ ସେୟାର କରି ସେ ଏଭଳି ଅଭିଯୋଗ କରିଥିଲେ। ତେବେ ଏନେଇ ସୂଚନା ମିଳିବା ପରେ ତଦନ୍ତ କରି ୨ଜଣଙ୍କୁ ଗିରଫ କରିଛି ପୁଲିସ। ଅଭିଯୁକ୍ତମାନେ ହେଲେ ସଚିନ ପଣ୍ଡିତ ଓ ଶୁଭମ। ଗିରଫ ପରେ ଉଭୟ ଅଭିଯୁକ୍ତଙ୍କୁ ପଚରାଉଚରା କରାଯାଉଛି। ଏହି ଆକ୍ରମଣର ଅଭିଯୁକ୍ତ ସଚିନ ପଣ୍ଡିତ ଗ୍ରେଟର ନୋଏଡାର ବାଦଲପୁରରେ ଥିବା ଦୁରାଇ ଗାଁର ବାସିନ୍ଦା। ଦୁରାଇ ଗାଁର ବାସିନ୍ଦା ସଚିନଙ୍କ ପିତା ବିନୋଦ ପଣ୍ଡିତ ଘରୋଇ କମ୍ପାନିରେ କଣ୍ଟ୍ରାକ୍ଟର ଥିବା ବେଳେ ସଚିନ ଆଇନ ପାଠ୍ୟକ୍ରମ ଶେଷ କରିଛନ୍ତି। ଅଭିଯୁକ୍ତ ବିଜେପିର ସଦସ୍ୟତା ଗ୍ରହଣ କରିଥିବା ସହ ଅନେକ ବଡ଼ ବଡ଼ ବିଜେପି ନେତାଙ୍କ ସହ ତାଙ୍କର ଫଟୋ ଭାଇରାଲ ହୋଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଉପମୁଖ୍ୟମନ୍ତ୍ରୀ ଦୀନେଶ ଶର୍ମା, ସାଂସଦ ମହେଶ ଶର୍ମାଙ୍କ ସମେତ ବହୁ ବିଜେପି ନେତାଙ୍କ ସହ ସଚିନଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/t-29.jpg)