ଭୋପାଳ: ମଧ୍ୟପ୍ରଦେଶର ଭୋପାଳରେ ଦଳର ସଦସ୍ୟ ସଂଖ୍ୟା ବୃଦ୍ଧି କରିବା ଲାଗି ‘ଅଲ୍ ଇଣ୍ଡିଆ ମଜ୍ଲିସ୍-ଏ-ଇତ୍ତେହାଦୁଲ୍ ମୁସ୍ଲିମୀନ୍’ର (ଏଆଇଏମ୍ଆଇଏମ୍) ଜଣେ ନେତା ନରେଲା ବିଧାନସଭା ନିର୍ବାଚନ ମଣ୍ଡଳୀରେ ନବାଗତ ସଦସ୍ୟମାନଙ୍କ ମଧ୍ୟରେ ବିରିୟାନୀ ଓ ଜଳଖିଆ ବଣ୍ଟନ କରିଥିବା କୁହାଯାଉଛି।
ନିକଟ ଅତୀତରେ ରାଜ୍ୟରେ ଅନୁଷ୍ଠିତ ପୌର ନିର୍ବାଚନରେ ପ୍ରଥମ ଥର ପାଇଁ ପ୍ରତିଦ୍ବନ୍ଦ୍ବିତା କରି ‘ଏଆଇଏମ୍ଆଇଏମ୍’ ୭ଟି କର୍ପୋରେଟର୍ ଆସନ ହାସଲ କରିବା ପରେ ଅସଦୁଦ୍ଦିନ୍ ଅୱେସୀଙ୍କ ନେତୃତ୍ବାଧୀନ ଦଳ ଗତ ସୋମବାର ଦିନ ବିରିୟାନୀ ଓ ଜଳଖିଆ ବଣ୍ଟନ କରିଥିଲା।
/sambad/media/post_attachments/wp-content/uploads/2022/10/Biriyani1.jpg)
ସମ୍ବାଦ ସରବରାହ ସଂସ୍ଥାନ ‘ପିଟିଆଇ’କୁ ‘ଏଆଇଏମ୍ଆଇଏମ୍’ ନେତା ପୀର୍ଜାଦା ତୌକୀର୍ ନିଜାମି କହିଛନ୍ତି, ‘ବିଜେପି’ ହେଉ ଅବା ‘କଂଗ୍ରେସ’ ହେଉ, ନିଜ ନିଜ ଦଳରେ ଉପଯୁକ୍ତ ସମ୍ମାନ ପାଉ ନ ଥିବା ବ୍ୟକ୍ତିଙ୍କୁ ଆମେ ସ୍ବାଗତ କରୁଛୁ। ଦଳରେ ଯୋଗ ଦେବା ପାଇଁ ସେମାନେ ଆମ କାର୍ଯ୍ୟାଳୟକୁ ଆସିଲେ ସମ୍ମାନ ଜଣାଇବାକୁ ଆମ ଘରକୁ ଅତିଥି ଆସିବା ଭଳି ଆମେ ବରିୟାନୀ ଅଥବା ଶିଙ୍ଗଡ଼ା ଓ ଚା ଆଦି ଜଳଖିଆ ଦେଉଛୁ।
‘ଏଆଇଏମ୍ଆଇଏମ୍’ର କେତେକ ନେତା କହିଛନ୍ତି ଯେ, ମଧ୍ୟପ୍ରଦେଶରେ ଏବେ ଦଳର ୧ ଲକ୍ଷରୁ ଅଧିକ ସଦସ୍ୟ ଅଛନ୍ତି। ନରେଲା ଆସନର ପ୍ରତିଦ୍ବନ୍ଦ୍ବୀ ପୀର୍ଜାଦା କହିଛନ୍ତି ଯେ, ଠିକ୍ ସ୍ଥାନକୁ ଆସିଛନ୍ତି ଜନସାଧାରଣଙ୍କର ଧାରଣା ହେବା ଉଚିତ। ତେଣୁ, ମୁଁ ସେମାନଙ୍କ ସମସ୍ୟା କଥା ଶୁଣେ ଓ ସମାଧାନ କରିବା ଲାଗି ପ୍ରୟାସ କରେ।
ନରେଲାରେ ଆହୁରି ୨୫ ହଜାର ସଦସ୍ୟ ଦଳରେ ଯୋଗ ଦେଇଥିବା କଥା ସେ କହିଛନ୍ତି।