ହାଇଦ୍ରାବାଦ: ଏଆଇଏମ୍‌ଆଇଏମ୍‌ର ଆକବରୁଦ୍ଦିନ ଅୱେସିଙ୍କୁ ରାଜ୍ୟ ବିଧାନସଭାର ଅନ୍ତରୀଣ ବାଚସ୍ପତି ନିଯୁକ୍ତ କରାଯିବାକୁ ବିରୋଧ କରି ତେଲେଙ୍ଗାନା ବିଜେପି ଆଜି ନବନିର୍ବାଚିତ ବିଧାୟକଙ୍କ ଶପଥ ଗ୍ରହଣ ଉତ୍ସବକୁ ବର୍ଜନ କରିଛି। ନୂଆ ବିଧାୟକମାନଙ୍କୁ ଶପଥ ପାଠ କରାଇବା ପାଇଁ ଅନ୍ତରୀଣ ବାଚସ୍ପତିଙ୍କୁ ଦାୟିତ୍ୱ ଦିଆଯାଇଛି। ଗତ ମାସରେ ହୋଇଥିବା ବିଧାନସଭା ନିର୍ବାଚନରେ ଗୋଷାମହଲରୁ ବିଜୟୀ ହୋଇଥିବା ବିଜେପି ବିଧାୟକ ଟି ରାଜା ସିଂହ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ ଯେପର୍ଯ୍ୟନ୍ତ ସେ ବଞ୍ଚିଛନ୍ତି ଏଆଇଏମ୍‌ଆଇଏମ୍‌ ଆଗରେ ଶପଥ ନେବେ ନାହିଁ। ପୂର୍ଣ୍ଣକାଳୀନ ବାଚସ୍ପତି ନିଯୁକ୍ତ ହେବା ପରେ ହିଁ ସେ ଶପଥ ନେବେ ବୋଲି କହିଛନ୍ତି। ଅତୀତରେ ହିନ୍ଦୁ ବିରୋଧୀ ମନ୍ତବ୍ୟ ଦେଇଥିବା ବ୍ୟକ୍ତି (ଆକବରୁଦ୍ଦିନ ଅୱେସି)ଙ୍କ ସମ୍ମୁଖରେ ମୁଁ ଶପଥ ନେଇପାରିବି ନାହିଁ ବୋଲି ସେ କହିଛନ୍ତି। ଗତ ମାସରେ ହୋଇଥିବା ନିର୍ବାଚନରେ ବିଜେପି ୮ଟି ଆସନରେ ବିଜୟୀ ହୋଇଥିଲା। ଦଳର ରାଜ୍ୟ ସଭାପତି ଜି କିଷନ ରେଡ୍ଡୀ କହିଛନ୍ତି ଯେ ବିଜେପି ଅୱେସିଙ୍କ ନିଯୁକ୍ତିକୁ ବିରୋଧ କରୁଛି କାରଣ ବରିଷ୍ଠ ବିଧାୟକମାନଙ୍କୁ ହିଁ ଅନ୍ତରୀଣ ବାଚସ୍ପତି ଭାବେ ନିଯୁକ୍ତ କରିବାର ପରମ୍ପରା ରହିଛି। ଅୱେସି ଶନିବାର ଅନ୍ତରୀଣ ବାଚସ୍ପତି ଭାବେ ଶପଥ ଗ୍ରହଣ କରିବା ପରେ ଆଜି ନିର୍ବାଚିତ ବିଧାୟକମାନଙ୍କୁ ଶପଥ ପାଠ କରାଇବା କାର୍ଯ୍ୟକ୍ରମ ଥିଲା।

Advertisment

ରାଜା ସିଂହ ଅଭିଯୋଗ କରିଛନ୍ତି ଯେ ତେଲେଙ୍ଗାନାର ନୂତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ରେବାନ୍ତ ରେଡ୍ଡୀ ତାଙ୍କ ପୂର୍ବବର୍ତ୍ତୀ କେ ଚନ୍ଦ୍ରଶେଖର ରାଓଙ୍କ ଭଳି ଏଆଇଏମ୍‌ଆଇଏମ୍‌କୁ ଭୟ କରୁଛନ୍ତି। ତେଣୁ ଓୱେସିଙ୍କୁ ଅନ୍ତରୀଣ ବାଚସ୍ପତି ହେବାକୁ ଅନୁମତି ଦେଇଛନ୍ତି। ପ୍ରୋଟୋକଲ ଅନୁଯାୟୀ ବିଧାନସଭାରେ ସବୁଠାରୁ ବରିଷ୍ଠ ବିଧାୟକଙ୍କୁ ଅନ୍ତରୀଣ ବାଚସ୍ପତି କରାଯାଇଥାଏ। ଅନେକ ବରିଷ୍ଠ ବିଧାୟକ ଅଛନ୍ତି ଯେଉଁମାନଙ୍କୁ ଅନ୍ତରୀଣ ବାଚସ୍ପତି କରାଯାଇପାରିଥାନ୍ତା। ନୂଆ ମୁଖ୍ୟମନ୍ତ୍ରୀ ସଂଖ୍ୟାଲଘୁ ଏବଂ ଏଆଇଏମ୍‌ଆଇଏମ୍ ନେତାଙ୍କୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ସିଂହ ଅଭିଯୋଗ କରିଛନ୍ତି।