ନିର୍ବାଚନ ପୂର୍ବରୁ ଓୱାଇସିଙ୍କୁ ଝଟକା, ମମତାଙ୍କ ହାତ ଧରିଲେ ରାଜ୍ୟ ମୁଖିଆ

କୋଲକାତା: ଚଳିତ ବର୍ଷ ମେ ମାସରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବ। ଆଉ ଏଥିପାଇଁ ସମସ୍ତ ଦଳ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି। ବିଜେପି ଏବଂ ଟିଏମସି(ତୃଣମୂଳ କଂଗ୍ରେସ) ମଧ୍ୟରେ ଚାଲିଥିବା ପ୍ରତିଯୋଗିତାରେ ଓୱାଇସିଙ୍କ ପାର୍ଟି ଏଆଇଏମଆଇଏମର ପ୍ରବେଶ ପଶ୍ଚିମବଙ୍ଗ ନିର୍ବାଚନକୁ ଆହୁରି ରୋଚକ କରିଛି। କିନ୍ତୁ ନିର୍ବାଚନ ପୂର୍ବରୁ ଓୱାଇସିଙ୍କୁ ଏକ ବଡ ଝଟକା ଲାଗିଛି | ଆଜି ଏଆଇଏମ୍ଆଇଏମ୍ ର ରାଜ୍ୟ କାର୍ଯ୍ୟକାରୀ ସଭାପତି ଏସ.କେ ଅବଦୁଲ କଲାମ ତୃଣମୂଳ କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି ।

ଏଆଇଏମଏମ ର ଅନେକ କର୍ମୀ ମଧ୍ୟ ଏସ.କେ ଅବଦୁଲ କଲାମଙ୍କ ସହ ଟିଏମସିରେ ଯୋଗ ଦେଇଛନ୍ତି | କୋଲକାତାର ଟିଏମସି ମୁଖ୍ୟାଳୟରେ ପାର୍ଟିରେ ଯୋଗଦେବା ପରେ କଲାମ କହିଛନ୍ତି ଯେ ପଶ୍ଚିମବଙ୍ଗରେ ଦୀର୍ଘ ବର୍ଷ ଧରି ଶାନ୍ତ ପରିବେଶ ରହିଛି। “ବିଷାକ୍ତ ବାୟୁ” ଠାରୁ ଦୂରେଇ ରହିବା ପାଇଁ ସେ ଦଳ ବଦଳାଇଛନ୍ତି । ଏସ.କେ ଅବଦୁଲ କଲାମ କହିଛନ୍ତି ଯେ ‘ମୁଁ ଦେଖିଛି ଯେ ପଶ୍ଚିମବଙ୍ଗରେ ଶାନ୍ତି ଥିଲା। କିନ୍ତୁ କିଛିଦିନ ହେଲା, ଏଠାରେ ବାୟୁ ବିଷାକ୍ତ ହୋଇଯାଇଛି ଏବଂ ଏହାକୁ ଠିକ କରିବାକୁ ପଡିବ | ସେଥିପାଇଁ ମୁଁ ତୃଣମୂଳ କଂଗ୍ରେସରେ ଯୋଗଦେବାକୁ ସ୍ଥିର କଲି’।

ସୂଚନା ଥାଉ ଯେ ଏଆଇଏମଏମ ସୁପ୍ରିମୋ ଅସଉଦ୍ଦିନ ଓୱାଇସି ଗତ ରବିବାର ଦିନ ପଶ୍ଚିମବଙ୍ଗରେ ପହଞ୍ଚି ମୁସଲମାନ ନେତା ଅବ୍ବାସ ସିଦ୍ଦିକିଙ୍କୁ ଭେଟି ରାଜ୍ୟରେ ରାଜନୈତିକ ପରିସ୍ଥିତି ଉପରେ ଆଲୋକପାତ କରିଥିଲେ। ବିଶେଷ କଥା ହେଉଛି ମୁସଲିମ ଭୋଟରମାନେ ରାଜ୍ୟରେ ୧୦୦-୧୧୦ ଟି ଆସନରେ ନିର୍ଣ୍ଣାୟକ ସ୍ଥିତିରେ ଅଛନ୍ତି। ଏଭଳି ପରିସ୍ଥିତିରେ ଓୱାଇସିଙ୍କ ପ୍ରବେଶ ମମତା ବାନାର୍ଜୀଙ୍କ ଦଳ ପାଇଁ କ୍ଷତି ହୋଇପାରେ।

ସମ୍ବନ୍ଧିତ ଖବର