ପାଟନା: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ, ଅସଦୁଦ୍ଦିନ ଓୱେସିଙ୍କ ନେତୃତ୍ୱାଧୀନ ଏଆଇଏମଆଇଏମ ଏକ ବଡ଼ ପଦକ୍ଷେପ ନେଇଛି । ଆରଜେଡି ନେତୃତ୍ବାଧୀନ ମହାଗଠବନ୍ଧନ (ଜାତୀୟ ସ୍ତରରେ ଇଣ୍ଡି ମେଣ୍ଟ)ରେ ଯୋଗ ଦେବାକୁ ଦଳପକ୍ଷରୁ ଆରଜେଡି ପ୍ରମୁଖ ଲାଲୁ ପ୍ରସାଦ ଯାଦବଙ୍କୁ ପତ୍ର ଲେଖାଯାଇଛି । ଏହି ଚିଠି ଏଆଇଏମଆଇଏମ ବିହାର ୟୁନିଟ୍ର ଅଧ୍ୟକ୍ଷ ଅଖତାରୁଲ ଇମାନ ଲେଖିଛନ୍ତି।
ଏହି ଚିଠିରେ ସେ ଲାଲୁ ପ୍ରସାଦଙ୍କୁ ସମ୍ବୋଧିତ କରି ଲେଖିଛନ୍ତି - 'ଆପଣମାନେ ଭଲଭାବରେ ଜାଣନ୍ତି ଯେ ୨୦୧୫ ମସିହାରୁ, ଏଆଇଏମଆଇଏମ ବିହାର ରାଜନୀତିରେ ସକ୍ରିୟ ଭୂମିକା ଗ୍ରହଣ କରିଆସୁଛି, ଦଳ ପ୍ରଥମ ଦିନରୁ ଚେଷ୍ଟା କରିଆସୁଛି ଯେ ନିର୍ବାଚନ ସମୟରେ ଧର୍ମନିରପେକ୍ଷ ଭୋଟ ଭାଗ ଭାଗ ନହେବା ଉଚିତ୍। ଏହି ସତ୍ୟକୁ ଅସ୍ୱୀକାର କରାଯାଇପାରିବ ନାହିଁ ଯେ ଧର୍ମନିରପେକ୍ଷ ଭୋଟର ବିଚ୍ଛିନ୍ନ ହେବା ଯୋଗୁଁ ସାମ୍ପ୍ରଦାୟିକ ଶକ୍ତିଗୁଡ଼ିକୁ କ୍ଷମତାକୁ ଆସିବାର ସୁଯୋଗ ମିଳୁଛି। ଏହି ଉଦ୍ଦେଶ୍ୟରେ, ଆମେ ଗତ ବିଧାନସଭା ଏବଂ ଲୋକସଭା ନିର୍ବାଚନ ସମୟରେ ମହାଗଠବନ୍ଧନରେ ଯୋଗଦେବା ପାଇଁ ଆମର ଇଚ୍ଛା ପ୍ରକାଶ କରିଥିଲୁ, କିନ୍ତୁ ଆମର ପ୍ରୟାସ ସଫଳ ହୋଇପାରିଲା ନାହିଁ। ଆମ ଆଗରେ ଏବେ ୨୦୨୫ ନିର୍ବାଚନ ଅଛି ଓ ଆମେ ପୁଣି ଥରେ ମହାଗଠବନ୍ଧନରେ ଯୋଗ ଦେବାକୁ ଇଚ୍ଛା ପ୍ରକା କରୁଛୁ । ଯଦି ଆମେ ଏକାଠି ନିର୍ବାଚନ ଲଢିବା, ତେବେ ଧର୍ମନିରପେକ୍ଷ ଭୋଟ ଭାଗ ଭାଗ ହେବ ନାହିଁ ଓ ଫଳତଃ ମହାଗଠବନ୍ଧନର ସରକାର କ୍ଷମତାକୁ ଆସିପାରିବ ।