ନୂଆଦିଲ୍ଲୀ : ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ଚୂଡାନ୍ତ ରାୟ ଆସିବା ପରେ ମଧ୍ୟ କେତେକ ପକ୍ଷ ଏହି ବିବାଦକୁ ଜାରି ରଖିବାକୁ ଉଦ୍ୟମ କରୁଛନ୍ତି । ଏହି ମାମଲାର ଏକ ପ୍ରମୁଖ ପକ୍ଷ ସୁନ୍ନି ଓ୍ଵାକଫ ବୋର୍ଡ ରିଭ୍ୟୁ ପିଟିସନ ବା ପୁନର୍ବିଚାର ଆବେଦନ କରିବାକୁ ମନାକରିଥିଲେ ମଧ୍ୟ ଅଲ ଇଣ୍ଡିଆ ମୁସଲିମ ପର୍ସନାଲ ଲ’ ବୋର୍ଡ (ଏଆଇଏମପିଏଲବି) ଏଥିପାଇଁ ଆଗେଇ ଆସିଛି । ଡିସେମ୍ବର ୯ ପୂର୍ବରୁ ରିଭ୍ୟୁ ପିଟିସନ ଦାଏର କରିବାକୁ ବୋର୍ଡ ଘୋଷଣା କରିଛି । ଏଆଇଏମପିଏଲବି ସେକ୍ରେଟାରୀ ଜାଫରୟାବ ଗିଲାନି କହିଛନ୍ତି ଯେ ରିଭ୍ୟୁ ପିଟିସନ ଦାଏର କରିବାକୁ ଡିସେମ୍ବର ୯ ପର୍ଯ୍ୟନ୍ତ ସମୟ ଅଛି । ଏହା ପୂର୍ବରୁ ନିଶ୍ଚିତଭାବେ ରିଭ୍ୟୁ ପିଟିସନ ଦାଏର କରାଯିବ । ସୁନ୍ନି ଓ୍ଵାକଫ ବୋର୍ଡ ରିଭ୍ୟୁ ପିଟିସନ ଦାଏର କରୁ ବା ନକରୁ ତାହାର ଆମ ନିଷ୍ପତ୍ତି ଉପରେ କୌଣସି ଫରକ ପଡିବ ନାହିଁ ।
ଗତକାଲି ସୁନ୍ନି ଓ୍ଵାକଫ ବୋର୍ଡ ଘୋଷଣା କରିଥିଲା ଯେ ଅଯୋଧ୍ୟା ରାୟ ବିରୋଧରେ କୌଣସି ପୁନର୍ବିଚାର ଆବେଦନ କରାଯିବ ନାହିଁ । ତେବେ ୫ ଏକର ଜମି ଗ୍ରହଣ କରାଯିବ କି ନା ତାହା ଏ ପର୍ଯ୍ୟନ୍ତ ସ୍ଥିର ହୋଇନାହିଁ ।
ଗତ ୯ ତାରିଖରେ ସୁପ୍ରିମକୋର୍ଟ ଅଯୋଧ୍ୟାର ବିବାଦୀୟ ସ୍ଥାନରେ ରାମ ମନ୍ଦିର ନିର୍ମାଣ ସପକ୍ଷରେ ରାୟ ଶୁଣାଇଥିଲେ ।