ବାୟୁସୀମା ଖୋଲିଲା ପାକିସ୍ତାନ

ନୂଆଦିଲ୍ଲୀ : ବିମାନ ଯାତ୍ରୀ ଏବଂ ବିମାନ ‌କ୍ଷେତ୍ରକୁ ବଡ଼ ଆଶ୍ବସ୍ତି ପ୍ରଦାନ କରି ପାକିସ୍ତାନ  ଏହାର ବାୟୁସୀମା‌କୁ ପୁନର୍ବାର ସମସ୍ତ ଏୟାରଲାଇନ୍ସ ପାଇଁ ଖୋଲିଛି। ଏହାଫଳରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସ୍ବାଭାବିକ ଏୟାର ଟ୍ରାଫିକ୍‌ ଅପରେସନ୍‌ ଆରମ୍ଭ ହୋଇପାରିଛି। ବାଲାକୋଟ୍‌ ବିମାନ ଆକ୍ରମଣପରଠାରୁ ଦୀର୍ଘ ସାଢ଼େ ୪ ମାସ ପର୍ଯ୍ୟନ୍ତ ପାକିସ୍ତାନ ନିଜର ବାୟୁସୀମାକୁ ବନ୍ଦ ରଖିଥିବା ବେଳେ  ଏହା ଖୋଲିଛି। ପାକିସ୍ତାନର ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏକ ନୋଟିସ୍‌ ଜାରି କରି କୁହାଯାଇଛି ଯେ ଦେଶର ବାୟୁସୀମାକୁ ଏବେ ପୁନର୍ବାର ଖୋଲାଯାଇଛି। ଭାରତ ପକ୍ଷରୁ ମଧ୍ୟ ଏକ ନୋଟିସ୍‌ ଜାରି କରି କୁହାଯାଇଛି ଯେ ଦୁଇ ଦେଶ ମଧ୍ୟରେ ସ୍ବାଭାବିକ ବିମାନ ଚଳାଳଳ ପ୍ରକ୍ରିୟା ଆରମ୍ଭ ହୋଇଛି। ପାକିସ୍ତାନ‌ ସୋମବାର ରାତି ୧୨.୪୧ ସମୟରୁ ଏହାର ବାୟୂସୀମାକୁ ସମସ୍ତ ଏୟାରଲାଇନ୍‌ ପାଇଁ ଖୋଲିଛି। ଏହାଫଳରେ ପାକିସ୍ତାନ ବାୟୁସୀମା ଦେଇ ଭାରତୀୟ ବିମାନ ସ୍ବାଭାବିକ ଭାବେ ଚଳାଚଳ କରିପାରିବ। ଉଲ୍ଲେଖଯୋଗ୍ୟ ପାକିସ୍ତାନ ଗତ ଫେବ୍ରୁଆରି ୨୭ ତାରିଖରୁ ଏହାର ବାୟୁସୀମାକୁ ବନ୍ଦ ରଖିଥିଲା।

ସମ୍ବନ୍ଧିତ ଖବର