ବିମାନ ଦୁର୍ଘଟଣା: ୫ ବର୍ଷରେ ୫୦ ସଦସ୍ୟଙ୍କୁ ହରାଇଛି ସେନା

ନୂଆଦିଲ୍ଲୀ: ଅରୁଣାଚଳପ୍ରଦେଶରେ ଗତକାଲି ସେନାର ଏକ ହେଲିକପ୍ଟର ଦୁର୍ଘଟଣାରେ ୨ ପାଇଲଟ୍‌ଙ୍କ ସମେତ ୫ ସେନା ସଦସ୍ୟଙ୍କ ମୃତ୍ୟୁ ହୋଇଥିଲା। ଭାରତୀୟ ସେନାର ଏଏଲ୍‌ଏଚ (ଆଡଭାନ୍ସଡ ଲାଇଟ୍‌ ହେଲିକପ୍ଟର) ‘ରୁଦ୍ର’ ଅରୁଣାଚଳ ପ୍ରଦେଶରେ ଦୁର୍ଘଟଣାଗ୍ରସ୍ତ ହୋଇ ଖସି ପଡ଼ିଥିଲା। ଏଥିଯୋଗୁଁ ୨ ଅଫିସର ଏବଂ ୩ ଯବାନଙ୍କ ମୃତ୍ୟୁ ହୋଇଥିଲା। ଶୁକ୍ରବାର ଦୁର୍ଘଟଣାର ପ୍ରକୃତ କାରଣ ଜାଣିବାପାଇଁ କୋର୍ଟ ଅଫ୍‌ ଏନକ୍ବାରି ହେବ। ତେବେ ଗତ ୫ ବର୍ଷ ମଧ୍ୟରେ ବିମାନ ଏବଂ ହେଲିକପ୍ଟର ଦୁର୍ଘଟଣାରେ ଭାରତୀୟ ‌ସେନା ୫୦ରୁ ଅଧିକ ସଦସ୍ୟଙ୍କୁ ହରାଇଛି। ୨୦୧୭ ପରଠାରୁ ଭାରତୀୟ ସେନାବାହିନୀର ୨୦ଟି ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇ ୪୦ ସେନା ସଦସ୍ୟଙ୍କ ମୃତ୍ୟୁ ହୋଇଛି ଏବଂ ୨୫ ଜଣ ଆହତ ହୋଇଛନ୍ତି।

ମାର୍ଚ୍ଚରୁ କେବଳ ଆର୍ମି ଏଭି‌ଏସନ୍‌ ୩ଟି ଚିତା ‌ହେଲିକପ୍ଟର ଦୁର୍ଘଟଣା ଦେଖିଛି। ସେନାରେ ନୂଆ ଏବଂ ଅତ୍ୟାଧୁନିକ ହେଲିକପ୍ଟର, ଯୁଦ୍ଧ ବିମାନ ମୁତୟନ ବିଳମ୍ବ ହେଉଥିବାରୁ ସେନାବାହିନୀ ଦ୍ବାରା ପୁରୁଣା ସୁପରସୋନିକ ମିଗ୍‌-୨୧ ଜେଟ୍‌ ଏବେ ବି ଉଡ଼ାଯାଉଛି। ଏପରିକି ନୂଆ ଏଏଲ୍‌ଏଚ ଏବଂ ରୁଷ୍‌ର ଏମଆଇ -୧୭ ଭି୫ ହେଲିକପ୍ଟର ମଧ୍ୟ ଗତ କିଛି ବର୍ଷ ମଧ୍ୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗତବର୍ଷ ଡିସେମ୍ବରରେ ତାମିଲନାଡ଼ୁର କନୁର ନିକଟରେ ଏମ୍‌ଆଇ-୧୭ ଭି୫ ହେଲିକପ୍ଟର ଦୁର୍ଘଟଣା ଯୋଗୁଁ ଭାରତର ପ୍ରଥମ ସିଡିଏସ୍‌ ଜେନେରାଲ ବିପିନ ରାୱତ , ତାଙ୍କ ପତ୍ନୀ ଏବଂ ଅନ୍ୟ ୧୨ ଜଣଙ୍କ ମୃତ୍ୟୁ ହୋଇଥିଲା। ୨୦୧୭ ପରଠାରୁ ୭ଟି ଏଏଲଏଚ ଦୁର୍ଘଟଣାଗ୍ରସ୍ତ ହୋଇଛି। ପୂର୍ବତନ ନାଭାଲ ଏଭିଏଟର ଏବଂ ଟେଷ୍ଟ୍‌ ପାଇଲଟ କମାଣ୍ଡର କେପି ସଂଜୀବ କୁମାର କହିଛନ୍ତି, ଆର୍ମି ଏଭିଏସନରେ ନିକଟରେ ହେଲିକପ୍ଟର ଦୁର୍ଘଟଣା ଯେଭଳି ଭାବେ ବଢ଼ି ଚାଲିଛି ତାହା ଅତ୍ୟନ୍ତ ଚିନ୍ତାଜନକ। ୯୦ ପ୍ରତିଶତ ଦୁର୍ଘଟଣା ମାନବୀୟ ତ୍ରୁଟି ଏବଂ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ହୋଇଛି। ଅନ୍ୟ ଦୁର୍ଘଟଣା ପକ୍ଷୀ ଦେହରେ ମାଡ଼ ହୋଇ କିମ୍ବା ଅନ୍ୟାନ୍ୟ କାରଣ ପାଇଁ ହୋଇଛି।

ସମ୍ବନ୍ଧିତ ଖବର