ନୂଆଦିଲ୍ଲୀ: କାଶ୍ମୀରର ପହଲଗାମରେ ଆତଙ୍କବାଦୀଙ୍କ ଗୁଳିମାଡ଼ରେ ୨୬ ପର୍ଯ୍ୟଟକଙ୍କ ମୃତ୍ୟୁ ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଓ ତିକ୍ତତା ବଢ଼ିବାରେ ଲାଗିଛି। ଏଭଳି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି ପୁଣି ବାୟୁସେନା ମୁଖ୍ୟ ଏୟାର ଚିଫ୍‌ ମାର୍ସାଲ ଅମରପ୍ରୀତ ସିଂହ ଭେଟିଛନ୍ତି। ପୂର୍ବରୁ ଗତମାସ ୨୬ ତାରିଖରେ ପ୍ରଧାନମନ୍ତ୍ରୀ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଏନ୍‌ଏସ୍‌ଏ ଅଜିତ ଡୋଭଲ, ସିଡିଏସ୍‌ ଜେନେରାଲ ଅନୀଲ ଚୌହାନ ଏବଂ ୩ ସେନା ମୁଖ୍ୟଙ୍କୁ ଭେଟିବା ସମୟରେ ପହଲଗାମ ଘଟଣାରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସେନାକୁ ପୂର୍ଣ୍ଣ କ୍ଷମତା ଦେଇସାରିଛନ୍ତି। ପାକିସ୍ତାନ ବିରୋଧରେ ସମ୍ଭାବ୍ୟ ସାମରିକ ଆକ୍ରମଣ ପରିପ୍ରେକ୍ଷୀରେ ଗତମାସ ୩୦ ତାରିଖରେ ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ସରକାରୀ ବାସଭବନରେ ଭେଟି ଆଲୋଚନା କରିଥିଲେ। ସେହି ବୈଠକରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ଏବଂ ଏନ୍‌ଏସ୍‌ଏ ଅଜିତ ଡୋଭଲ ମଧ୍ୟ ଉପସ୍ଥିତ ଥିଲେ। ଏହା ପରେ ଚଳିତମାସ ୩ ତାରିଖରେ ନୌସେନା ମୁଖ୍ୟ ଆଡମିରାଲ ଦିନେଶ ତ୍ରିପାଠୀ ପ୍ରଧାନମନ୍ତ୍ରୀଙ୍କୁ ସ୍ବତନ୍ତ୍ର ଭାବେ ଭେଟିଥିଲେ। ସେହି ବୈଠକ ପ୍ରାୟ ଘଣ୍ଟାଏ ଧରି ହୋଇଥିଲା। ସେହିଦିନ ବାୟୁସେନା ମୁଖ୍ୟ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଭେଟି ୪୦ ମିନିଟ ଆଲୋଚନା କରିଥିଲେ। ଆଜି ପୁଣି ବାୟୁସେନା ମୁଖ୍ୟ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ଗୁରୁତ୍ବପୂର୍ଣ୍ଣ ମନେ କରାଯାଉଛି। 

Advertisment

ଗୋଳାବାରୁଦ କାରଖାନା କର୍ମଚାରୀଙ୍କ ଛୁଟି ବାତିଲ
ଭାରତୀୟ ଜାହାଜ ଉପରେ କଟକଣା ଲଗାଇଲା ପାକ୍‌
ଝେଲମ୍‌ର ଜଳପ୍ରବାହକୁ ରୋକିଲା ଭାରତ

ସେପଟେ ଗୋଳାବାରୁଦ କାରଖାନା ବୋର୍ଡ ଏହାର ସମସ୍ତ କର୍ମଚାରୀଙ୍କ ଛୁଟିକୁ ତୁରନ୍ତ ବାତିଲ କରିଦେଇଛି। ଗୋଳାବାରୁଦ ଉତ୍ପାଦନ ଲକ୍ଷ୍ୟ ହାସଲ ପାଇଁ ଏହା କରାଯାଇଛି। ପହଲଗାମ ଘଟଣା ପରେ ଦେଶରେ ପ୍ରତିରକ୍ଷା ପ୍ରସ୍ତୁତିକୁ ବଢ଼ାଇ ଦିଆଯାଇଛି। ସେନା ହାଇଆଲର୍ଟରେ ରହିଛି। ପହଲଗାମ ଆକ୍ରମଣ ପରେ ସିନ୍ଧୁ ଜଳ ଚୁକ୍ତିକୁ ଭାରତ ବାତିଲ କରିବା ପରେ ସଂପ୍ରତି ଚେନାବ ନଦୀର ବାଗଲିହର ଡ୍ରାମରେ ଜଳପ୍ରବାହକୁ ରୋକାଯାଇଥିବା ଏକ ସୂତ୍ରରୁ ଜଣାଯାଇଛି। ଆଗାମୀ ଦିନରେ ଝେଲମ୍‌ ନଦୀର କିଷାନଗଙ୍ଗା ଡ୍ୟାମ୍‌ ଜରିଆରେ ସମାନ ପଦକ୍ଷେପ ନେବା ଉପରେ ନୂଆଦିଲ୍ଲୀ ବିଚାର କରୁଛି। 
ଗତକାଲି ପାକିସ୍ତାନ ଜାହାଜକୁ ଭାରତୀୟ ବନ୍ଦରରେ ପ୍ରବେଶ ଉପରେ ଭାରତ କଟକଣା ଲଗାଇଥିଲା। ଏଥିସହିତ ପାକିସ୍ତାନର ପ୍ରତ୍ୟକ୍ଷ ଓ ପରୋକ୍ଷ ଆମଦାନିକୁ ନିଷିଦ୍ଧ କରିଥିଲା। ନୂଆଦିଲ୍ଲୀର ଏହି ପଦକ୍ଷେପ ପରେ ଇସଲାମାବାଦ ଆଜି ପାଲଟା ପଦକ୍ଷେପ ନେଇଛି। କୌଣସି ଭାରତୀୟ ଜାହାଜକୁ ପାକିସ୍ତାନର ବନ୍ଦରରେ ପୂରେଇ ନଦେବାକୁ ଇସଲାମାବାଦ ନିର୍ଦ୍ଦେଶନାମା ଜାରି କରିଛି। ସୀମାରେ ଗତ ୧୦ ଦିନ ହେଲା ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ ଜାରି ରଖିଥିବା ବେଳେ ଭାରତୀୟ ସେନା ଏହାର ମୁହଁତୋଡ଼ ଜବାବ ଦେଉଛି। ଅନ୍ୟପକ୍ଷରେ ଜମ୍ମୁ କାଶ୍ମୀରରେ ଆଜି ସୁରକ୍ଷା ସ୍ଥିତିର ବିସ୍ତୃତ ସମୀକ୍ଷା କରିଛନ୍ତି ପୁଲିସ ଆଇଜି ଭିକେ ବିରଡି। ‌ଏହି‌ ବୈଠକରେ ସେନାଠାରୁ ଆରମ୍ଭ କରି ପୁଲିସ, ଗୁଇନ୍ଦା ସଂସ୍ଥା ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳର ଅଧିକାରୀମାନେ ଉପସ୍ଥିତ ଥିଲେ। ସମ୍ଭାବ୍ୟ ବିପଦର ଆକଳନ, ଜରୁରୀ ମୁକାବିଲା ସଂପର୍କିତ ପ୍ରସ୍ତୁତି ଏବଂ ସୁରକ୍ଷା ସହ ଜଡ଼ିତ ବିଭିନ୍ନ ଏଜେନ୍ସିଗୁଡ଼ିକ ମଧ୍ୟରେ ସମନ୍ବୟ ଉପରେ ଉକ୍ତ ସମୀକ୍ଷା ବୈଠକରେ ଆଲୋଚନା ହୋଇଛି।

ପାକିସ୍ତାନର ପରମାଣୁ ଆକ୍ରମଣ ଧମକ, ପୂର୍ଣ୍ଣ ସାମରିକ କ୍ଷମତା ସହ ଲଢ଼ିବୁ

ନୂଆଦିଲ୍ଲୀ: ଭାରତ ଯଦି ଆକ୍ରମଣ କରେ କିମ୍ବା ଜଳଯୋଗାଣ ବନ୍ଦ କରେ ତେବେ ପାକିସ୍ତାନ ପରମାଣୁ ଅସ୍ତ୍ର ସମେତ ଏହାର ସମସ୍ତ ସାମରିକ କ୍ଷମତା ପ୍ରୟୋଗ କରି ଲଢ଼ିବ ବୋଲି ରୁଷ୍‌ରେ ଅବସ୍ଥାପିତ ପାକିସ୍ତାନର ରାଷ୍ଟ୍ରଦୂୂତ ଆଜି ସୂଚନା ଦେଇଛନ୍ତି। ମସ୍କୋରେ ରୁଷୀୟ ଗଣମାଧ୍ୟମ ସଂସ୍ଥା ଆର୍‌ଟିକୁ ସାକ୍ଷାତକାର ଦେଇ ପାକିସ୍ତାନର ରାଷ୍ଟ୍ରଦୂତ ତଥା ଶୀର୍ଷ କୂଟନୀତିଜ୍ଞ ମହମ୍ମଦ ଖଲିଦ ଜମାଲି କହିଛନ୍ତି, ଭାରତ ସାମରିକ ଆକ୍ରମଣ ଯୋଜନା ଚଳାଇଥିବା ନେଇ ପାକିସ୍ତାନ ନିକଟରେ ଗୁଇନ୍ଦା ସୂଚନା ରହିଛି। ଅନ୍ୟ କିଛି ସୂତ୍ରରୁ ବି ଜଣାପଡ଼ିଛି ଯେ ଭାରତ ପାକିସ୍ତାନର କିଛି ଅଞ୍ଚଳରେ ଆକ୍ରମଣ କରିବ। ଭାରତକୁ କଡ଼ା ଚେତାବନୀ ଦେବାକୁ ଯାଇ ସେ କହିଛନ୍ତି, ଆମେ ପୂର୍ଣ୍ଣ କ୍ଷମତାର ସହ ଲଢ଼ିବୁ। ଉଭୟ ପାରମ୍ପରିକ ଏବଂ ଆଣବିକ ଶକ୍ତି ପ୍ରୟୋଗ କରି ଆମେ ଲଢ଼ିବୁ ବୋଲି ସେ କହିଛନ୍ତି। ତେବେ ଜଣେ ବରିଷ୍ଠ ପାକିସ୍ତାନୀ ଅଧିକାରୀ ଭାରତକୁ ଆଣବିକ ଧମକ ଦେବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଭାରତ ବିରୋଧରେ ପାକିସ୍ତାନର ଏକାଧିକ ମନ୍ତ୍ରୀ ମଧ୍ୟ ଖୋଲାଖୋଲି ପରମାଣୁ ଧମକ ଦେବା ନେଇ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶିତ ହୋଇଛି।