ଏୟାରଫୋର୍ସ କମାଣ୍ଡର ସମ୍ମିଳନୀ : ବାୟୁସେନା ସର୍ବାଧିକ ସତର୍କ, ରାଫେଲ ମୁତୟନ ତ୍ବରାନ୍ବିତ ହେବ

ନୂଆଦିଲ୍ଲୀ : ଚୀନ୍‌ ପଟୁ ବିପଦକୁ ଦେଖି ଭାରତ ଏବେ ଏଲ୍‌ଏସିରେ ବାୟୁସେନାର ଶକ୍ତି ବୃଦ୍ଧି ପାଇଁ ବିଶାଳ ଯୋଜନା କରିଛି। ପୂର୍ବ ଲଦାଖ୍‌ ଏବଂ ଅନ୍ୟ ସମ୍ବେଦଳଶୀଳ ଅଂଚଳରେ ରାଫେଲ ମୁତୟନ ସହ ବାୟୁସେନା ତା’ର ଶକ୍ତିକୁ ପ୍ରାୟ ୩ ଗୁଣ ବଢ଼ାଇବାକୁ ଆଜି ନିଷ୍ପତ୍ତି ନେଇଛି। ଏଲ୍‌ଏସି ପାଇଁ ନୂଆ ରଣନୀତି ପ୍ରସ୍ତୁତି ନିମନ୍ତେ ଆଜି ବାୟୁସେନା କମାଣ୍ଡର ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଚୀନ୍‌ ପଟୁ ବିପଦକୁ ଦୃଷ୍ଟିରେ ରଖି ବାୟୁସେନା ନିଜର ଶକ୍ତି ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି ଏବଂ ରାଫେଲ ଏହାର ଜବାବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି। ୨୯ ଜୁଲାଇରେ ରାଫେଲ ଯୁଦ୍ଧ ବିମାନ ଭାରତକୁ ମିଳିବା ପରେ ଏଲ୍‌ଏସିରେ ଏହାର ତ୍ବରିତ ମୁତୟନ ପାଇଁ ନିଷ୍ପତ୍ତି ହୋଇଛି । ଅମ୍ବାଲା ବାୟୁସେନା ଷ୍ଟେସନରେ ୨୯ ତାରିଖରେ ୫ଟି ରାଫେଲ ପହଞ୍ଚିବ ଏବଂ ଦୁଇ ବର୍ଷ ମଧ୍ୟରେ ୩୬ଟି ରାଫେଲ ବିମାନ ଭାରତକୁ ମିଳିବ। ଲଦାଖ୍‌ର ଗଲୱାନ ଘାଟିରେ ଚୀନ୍‌ ସେନା ସହ ସଂଘର୍ଷ ପରେ ଏହି ଅଂଚଳ ପାଇଁ ଭାରତ ଏବେ ରଣନୀତି ସଂପୂର୍ଣ୍ଣ ବଦଳାଇ ଦେଇଛି। ଅତ୍ୟାଧୁନିକ ଡ୍ରୋନ୍‌ ଏବଂ ଗୁଇନ୍ଦା ବିମାନ ଦ୍ବାରା ନିରୀକ୍ଷଣ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

ସମ୍ବନ୍ଧିତ ଖବର