ଇଟାନଗର: ଆସାମରୁ ଅରୁଣାଚଳ ପ୍ରଦେଶ ଅଭିମୁଖେ ଉଡ଼ାଣ ବେଳେ ନିଖୋଜ ହୋଇଯାଇଥିବା ବାୟୁସେନାର ପରିବହନ ବିମାନ ଏଏନ୍-୩୨ର କିଛି ପତ୍ତା ମିଳୁନାହିଁ। ଗତ ସୋମବାର ଅପରାହ୍ନରୁ ବିମାନଟି ନିଖୋଜ ହୋଇଯାଇଛି। ବିମାନକୁ ଖୋଜିବାପାଇଁ ୩ ସେନାବାହିନୀ ଏବଂ ପୁଲିସର ମିଳିତ ଉଦ୍ୟମରେ ବିଶାଳ ସର୍ଚ୍ଚ ଅପରେସନ୍ ଜାରି ରହିଛି। ନିଖୋଜ ବିମାନକୁ ଠାବ କରିବାପାଇଁ ଇସ୍ରୋ ଏହାର କାର୍ଟୋସାଟ୍ ଏବଂ ରିସାଟ୍ ସାଟେଲାଇଟ୍କୁ ମଧ୍ୟ ନିୟୋଜିତ କରିଛି। ଅରୁଣାଚଳ ପ୍ରଦେଶର ଏକ ଗାଁ ‘ତୁମ୍ବିନ୍’ରେ ୩ ଜଣ ଗ୍ରାମବାସୀ ଗତ ସୋମବାର ଦିନ ‘ମୋଲ’ ଗ୍ରାମର ଏକ ପାହାଡ଼ ଉପରେ କଳା ଧୂଆଁ ଦେଖିବାକୁ ପାଇଥିଲେ। ମୋଲ ଗ୍ରାମଠାରୁ ୭-୮ କିମି ଦୂରରେ ସେମାନେ ଏହି କଳା ଧୂଆଁ ଦେଖିଥିବା କହିଛନ୍ତି। ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ କହିଛନ୍ତି ଏହି ୩ ଜଣ ବ୍ୟକ୍ତିଙ୍କ ବୟାନକୁ ଭଲଭାବେ ଯାଞ୍ଚ କରାଯିବ। ଅରୁଣାଚଳରୁ ୩ଟି ସର୍ଚ୍ଚ୍ ପାର୍ଟି ମଧ୍ୟ ବିମାନ ଖୋଜିବା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ‘ଲୋକଙ୍କ ଧୂଅାଁ’ ବୟାନକୁ ନେଇ ଦ୍ବନ୍ଦ୍ବ ବଢ଼ିଛି।
ସିଆଙ୍ଗ୍, ପଶ୍ଚିମ ସିଆଙ୍ଗ୍ ଏବଂ ନିମ୍ନ ସିଆଙ୍ଗ୍ ସହ ଶି-ୟୋମି ଜିଲ୍ଲା ପ୍ରଶାସନକୁ ସର୍ଚ୍ଚ ଅପରେସନ୍ ଅଧିକ ଜୋରଦାର କରିବାପାଇଁ ପେମା ଖାଣ୍ଡୁ କହିଛନ୍ତି। ଆସାମର ଜୋରହାଟ୍ରୁ ଅରୁଣାଚଳ ମେଚୁକା ମଧ୍ୟରେ ଥିବା ଘଞ୍ଚ ଜଙ୍ଗଲରେ ନିଖୋଜ ହୋଇଯାଇଥିବା ବାୟୁସେନା ପରିବହନ ବିମାନକୁ ଖୋଜିବାପାଇଁ ପ୍ରୟାସ ଜାରି ରହିଛି। ସର୍ଚ୍ଚ ଅପରେସନ୍ ପାଇଁ ଗଠନ ହୋଇଥିବା ୩ଟି ଟିମ୍ରେ ୩ରୁ ୪ ଜଣ ସ୍ଥାନୀୟ ଲୋକ ମଧ୍ୟ ରହିଛି। ଉଲ୍ଲେଖଯୋଗ୍ୟ ସୋମବାର ଦିନ ବାୟୁସେନାର ପରିବହନ ବିମାନ ଏଏନ୍-୩୨ ଅପରାହ୍ନ ୧୨. ୨୭ରେ ଆସାମର ଜୋରହାଟ୍ରୁ ଉଡ଼ାଣ ଆରମ୍ଭ କରିଥିଲା ଏବଂ ଏହା ଅରୁଣାଚଳର ମେଚୁକା ଅଭିମୁଖେ ଯାତ୍ରା କରୁଥିଲା। କିନ୍ତୁ ଉଡ଼ାଣର ମାତ୍ର କିଛି ସମୟ ପରେ ଏହା ନିଖୋଜ ହୋଇଯାଇଥିଲା। ବିମାନଟିରେ ସମୁଦାୟ ୧୩ ଜଣ ଥିଲେ।
ପାଇଲଟ୍ଙ୍କ ପତ୍ନୀ ଥିଲେ କଣ୍ଟ୍ରୋଲ୍ ରୁମ୍ରେ
ଇଟାନଗର: ବାୟୁସେନା ପରିବହନ ବିମାନ ଏଏନ୍-୩୨ ନିଖୋଜ ହେବା ଖବର ଅନ୍ୟ କେହି ଜାଣିବା ପୂର୍ବରୁ ପ୍ରଥମେ ଏହି ଦୃଶ୍ୟକୁ ଦେଖିଥିଲେ ବିମାନ ଉଡ଼ାଣ କରୁଥିବା ପାଇଲଟ୍ଙ୍କ ପତ୍ନୀ। ବାୟୁସେନାର ପାଇଲଟ୍ ଆଶିଷ ତନୱର ଏଏନ୍-୩୨ ଉଡ଼ାଣ କରିଥିଲେ। ସେଦିନ ଏଏନ୍-୩୨ ବିମାନ ଆସାମର ଜୋରହାଟ୍ରୁ ଉଡ଼ାଣ ଆରମ୍ଭ କରିବାବେଳେ ଆଶିଷଙ୍କ ପତ୍ନୀ ସନ୍ଧ୍ୟା ବାୟୁସେନାର ଟ୍ରାଫିକ୍ କଣ୍ଟ୍ରୋଲ୍ ନିୟନ୍ତ୍ରଣ ଦାୟିତ୍ବରେ ଥିଲେ। ବିମାନଟି ଅରୁଣାଚଳର ମେଚୁକା ଅଭିମୁଖେ ଯାତ୍ରା ଆରମ୍ଭ କରିଥିବାବେଳେ ନିଖୋଜ ହୋଇ ଯାଇଥିଲା। ତେବେ ରାଡାର ବହାରକୁ ବିମାନଟି ଚାଲିଯିବା କଥା ପ୍ରଥମେ ସନ୍ଧ୍ୟା ଦେଖିବାକୁ ପାଇଥିଲେ ଏବଂ ଏ ସଂକ୍ରାନ୍ତରେ ସେ ତାଙ୍କ ପରିବାର ସଦସ୍ୟଙ୍କୁ ଅବଗତ କରିଥିଲେ। ସୂଚନାନୂଯାୟୀ ସନ୍ଧ୍ୟା ଏବଂ ଆଶିଷ ଗତ ବର୍ଷ ବିବାହ କରିଥିଲେ। ସେମାନେ ଗତ ମାସରେ ହରିୟାଣା ଗସ୍ତ କରିଥିଲେ।