କେଦାରନାଥ (ଉତ୍ତରାଖଣ୍ଡ): ଭାରତୀୟ ବାୟୁସେନାର ଏକ ପରିବହନ ହେଲିକପ୍ଟର ମଙ୍ଗଳବାର ଦିନ ଉତ୍ତରାଖଣ୍ଡର କେଦାରନାଥ ଠାରେ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଜଣଙ୍କର ମୁତ୍ୟୁ ଘଟିବା ସହ ପାଇଲଟ୍‌ଙ୍କ ସମେତ ଅନ୍ୟ ଚାରିଜଣ ଆହତ ହୋଇଛନ୍ତି।

Advertisment

ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ଭାରତୀୟ ବାୟୁସେନାର ଏକ ପରିବହନ ହେଲିକପ୍ଟର ମଙ୍ଗଳବାର ମଧ୍ୟାହ୍ନରେ ଉତ୍ତରାଖଣ୍ଡର କେଦାରନାଥ ମନ୍ଦିର ନିକଟରେ ଥିବା ଏହି ହେଲିପ୍ୟାଡ୍‌ରେ ଅବତରଣ କରିବାକୁ ଉଦ୍ଦ୍ୟମ କରୁଥିବା ବେଳେ ସେଠାରେ ଥିବା ଏକ ବିରାଟକାୟ ଲୌହ ବିଦ୍ୟୁତ ଖୁମ୍ବରେ ପିଟି ହୋଇଯିବା ସହ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରଟିରେ ମୋଟ ଆଠ ଜଣ ଥିଲେ। ଏମାନଙ୍କ ମଧ୍ୟରୁ ଜଣେ ପାଇଲଟ୍‌ ଓ ଅନ୍ୟ ଜଣେ କୋ- ପାଇଲଟ୍‌ ଥିବାବେଳେ ଅନ୍ୟ ଛଅଜଣ ଥିଲେ ଯାତ୍ରୀ। ଦୁର୍ଘଟଣାରେ ଜଣଙ୍କର ମୁତ୍ୟୁ ଘଟିବା ସହ ପାଇଲଟ୍‌ଙ୍କ ସମେତ ଅନ୍ୟ ଚାରିଜଣ ଆହତ ହୋଇଥିଲେ। ତେବେ, ସମସ୍ତ ଆହତ ଏବେ ସଂପୂର୍ଣ୍ଣ ବିପଦମୁକ୍ତ ଥିବା ଜାଣିବାକୁ ମିଳିଛି।

publive-image

ଏହି ଦୁର୍ଘଟଣାର ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ହେଲିକପ୍ଟରଟି କେଦାରନାଥ ମନ୍ଦର ଠାରୁ ଅଦୂରରେ ଥିବା ଏକ ହେଲିପ୍ୟାଡ୍‌ ଉପରେ ଅବତରଣ କରିବାକୁ ଉଦ୍ଦ୍ୟମ କରୁଥିବା ବେଳେ ସେଠାରେ ଥିବା ଏକ ବିରାଟ ଲୌହ ବିଦ୍ୟୁତଖୁଣ୍ଟିରେ ପିଟି ହୋଇଯାଇଥିଲା। ପରେ ପରେ ହେଲିକପ୍ଟରଟିର ଇଞ୍ଜିନ୍‌ର ତଳପଟୁ ନିଆଁ ଲାଗିଯିବା ସହ ହେଲିକପ୍ଟରଟି ସଂପୂର୍ଣ୍ଣ ରୂପେ ଓଲଟି ଯାଇ ତଳକୁ ଖସି ପଡ଼ିଥିଲା। ସ୍ଥାନୀୟ ଲୋକମାନେ ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରରେ ଲାଗିଥିବା ନିଆଁକୁ ଲିଭାଇବା ସହ ତା’ ମଧ୍ୟରେ ଫସି ରହିଥିବା ଲୋକମାନଙ୍କୁ ଉଦ୍ଧାର କରିଥିଲେ।

ତେବେ, ଋଷିଆ ନିର୍ମିତ ଏମ୍‌ଆଇ-୧୭ଭି୫ ଭାରତୀୟ ବାୟୁସେନାର ଏହି ପରିବହନ ହେଲିକପ୍ଟରଟି କେଉଁ ପରିସ୍ଥିତିରେ ଓ କିପରି ଦୁର୍ଘଟଣାଗ୍ରସ୍ତ ହେଲା, ତାହାର ତଦନ୍ତ ଏବେ ଭାରତୀୟ ବାୟୁସେନା ପକ୍ଷରୁ ଆରମ୍ଭ ହୋଇଛି।