ସରିସ୍କା ଜାତୀୟ ଉଦ୍ୟାନରେ ନିଆଁ, ବାୟୁସେନା ହେଲିକପ୍ଟର ନିଆଁ ଲିଭାଉଛି

ଅଲୱାର: ରାଜସ୍ଥାନର ଅଲୱାର ଜିଲ୍ଲାରେ ଥିବା ସରିସ୍କା ବ୍ୟାଘ୍ର ଅଭୟାରଣ୍ୟରେ ନିଆଁ ଲାଗି ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ମଙ୍ଗଳବାର ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରିପୋର୍ଟ ଅନୁସାରେ ସୋମବାର ସନ୍ଧ୍ୟାରେ ନିଆଁ ଲାଗିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏହା ପ୍ରାୟ ୧୦ ବର୍ଗକିଲୋମିଟର ଅଞ୍ଚଳକୁ ବ୍ୟାପିଗଲାଣି। ନିଆଁ ଲାଗିବାର କାରଣ ଜଣାପଡ଼ିନାହିଁ। ନିଆଁଲିଭାରେ ଜଙ୍ଗଲ କର୍ମଚାରୀଙ୍କ ସମେତ ପ୍ରାୟ ୧୫୦ରୁ ୨୦୦ ଲୋକ ନିୟୋଜିତ ହୋଇଛନ୍ତି। ନିଆଁ ଲିଭାଇବା ପାଇଁ ବାୟୁସେନାର ଦୁଇଟି ହେଲିକପ୍ଟର ମଧ୍ୟ ଅଣାଯାଇଛି। ଦାବାଗ୍ନି ଦ୍ବାରା ବ୍ୟାଘ୍ର ପ୍ରକଳ୍ପ ପ୍ରଭାବିତ ହୋଇଛି। ଆଖପାଖ ଅଞ୍ଚଳର ଲୋକମାନଙ୍କୁ ତୁରନ୍ତ ଅନ୍ୟ ସ୍ଥାନକୁ ଚାଲିଯିବା ପାଇଁ କୁହାଯାଇଛି। ହେଲିକପ୍ଟର ଦୁଇଟି ୪୩ କିମି ଦୂରରେ ଥିବା ସିଲିସେର ହ୍ରଦରୁ ପାଣି ଆଣି ପକାଉଛନ୍ତି। ବାଘମାନଙ୍କୁ ନିଆଁ କବଳରୁ ରକ୍ଷା କରିବା ଉପରେ ଗୁରୁତ୍ବ ଦିଆଯାଉଛି। ସୂଚନାଯୋଗ୍ୟ ଯେତିକି ଅଞ୍ଚଳରେ ନିଆଁ ଲାଗିଛି ତାହା ୧,୮୦୦ ଫୁଟବଲ ପଡ଼ିଆର ଆକାର ସହ ସମାନ ଏବଂ ଉକ୍ତ ବ୍ୟାଘ୍ର ଅଭୟାରଣ୍ୟରେ ମୋଟ ୨୦ଟି ବାଘ ଅଛନ୍ତି।

ସମ୍ବନ୍ଧିତ ଖବର