ଦୁଇଟି ଯୁଦ୍ଧ ପାଇଁ ବାୟୁସେନା ପ୍ରସ୍ତୁତ

ପାକ୍‌ ପରମାଣୁ ପ୍ରତିଷ୍ଠାନ ଧ୍ୱଂସ କରିବାକୁ ସକ୍ଷମ: ଧନୋଆ

ନୂଆଦିଲ୍ଲୀ : ଚୀନ୍‌ ଏବଂ ପାକିସ୍ତାନ ପଟୁ ଲଗାତାର ମିଳୁଥିବା ଧମକ ପରିପ୍ରେକ୍ଷୀରେ  ଆଜି ବାୟୁସେନା ମୁଖ୍ୟ ବି.ଏସ୍‌. ଧନୋଆ କହିଛନ୍ତି ଯେ ଭାରତର ବାୟୁସେନା ଏକାସଂଗରେ ଦୁଇଟି ଯୁଦ୍ଧ ପାଇଁ ପ୍ରସ୍ତୁତ ରହିଛି। ଯେ କୌଣସି ଚ୍ୟାଲେଂଜର ମୁକାବିଲା ପାଇଁ ବାୟୁସେନା ସଂପୂର୍ଣ୍ଣ ସକ୍ଷମ ବୋଲି ସେ କହିଛନ୍ତି। ପାକିସ୍ତାନର ପରମାଣୁ ପ୍ରତିଷ୍ଠାନଗୁଡ଼ିକୁ ଧ୍ୱଂସ କରିବା ପାଇଁ ଆମର ପୂର୍ଣ୍ଣ କ୍ଷମତା ରହିଛି ବୋଲି ଧନୋଆ କହିଛନ୍ତି। ବାୟୁସେନାରେ ଆବଶ୍ୟକ ମୁତାବକ ଯୁଦ୍ଧ ବିମାନ ନଥିଲେ ମଧ୍ୟ ଏହା ଏକାସଂଗରେ ଦୁଇଟି ଯୁଦ୍ଧ ପାଇଁ ସକ୍ଷମ  ଏବଂ ଏଥିପ୍ରତି କାହାର କିଛି ସନ୍ଦେହ ରହିବା ଉଚିତ ନୁହେଁ ବୋଲି ସେ କହିଛନ୍ତି। ଡୋକଲାମ ପ୍ରସଙ୍ଗରେ ବାୟୁସେନା ମୁଖ୍ୟ କହିଛନ୍ତି ଯେ ଏବେ ବି ଚୁମ୍ବି ଭାଲିରେ ଚୀନ୍‌ ସେନା ଉପସ୍ଥିତ ଅଛନ୍ତି ଏବଂ ସେମାନଙ୍କ ପୂର୍ବ ନିର୍ଦ୍ଧାରିତ ସମରାଭ୍ୟାସ ଶେଷ ହେବାପରେ ଫେରିଯିବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ଡୋକଲାମ ସଙ୍କଟକୁ ଟାଳିବାରେ ଭାରତର ରଣନୀତି ସଫଳ ହୋଇଥିବାରୁ ଏବେ ସେଠାରେ ଶାନ୍ତି ରହିଛି। ଚୀନ୍‌ ଭାରତ ବିରୋଧରେ  ନିଜର ଯେଉଁ ଶକ୍ତି ବିଶ୍ୱକୁ ଦେଖାଉଛି ଏବଂ ସେମାନେ ତିବ୍ଦତରେ ଯେଉଁ ଶକ୍ତି ପ୍ରଦର୍ଶନ କରିଛନ୍ତି ତାହାର ମୁକାବିଲା ପାଇଁ ଭାରତ ପର୍ଯ୍ୟାପ୍ତ ଭାବେ ସମର୍ଥ ବୋଲି ଧନୋଆ ସ୍ପଷ୍ଟ କରିଛନ୍ତି। ୨୦୩୨ ସୁଦ୍ଧା ଆମେ ୪୨ ସ୍କାର୍ଡନରେ ପହଞ୍ଚିବୁ। ସଂପ୍ରତି ଭାରତ ଯେଉଁ କ୍ଷମତା ହାସଲ କରିଛି ତାହା ଯେ କୌଣସି ପରିସ୍ଥିତିର ସଫଳ ମୁକାବିଲା କରିପାରିବ ବୋଲି ସେ କହିଛନ୍ତି। ଭାରତ ଆଜି ପର୍ଯ୍ୟନ୍ତ ଏକା ସଂଗରେ ୨ଟି ଯୁଦ୍ଧ ଲଢ଼ିନଥିଲେ ମଧ୍ୟ ଏଭଳି ସ୍ଥିତି ପାଇଁ ଭାରତ ନିଜକୁ ପୂର୍ଣ୍ଣ ତୟାର ରଖିଛି । ଶାନ୍ତି ସମୟରେ ଯବାନ ସହିଦ ହେବା ଅତ୍ୟନ୍ତ ଚିନ୍ତାଜନକ ବୋଲି ସେ କହିଛନ୍ତି।  ଅକ୍ଟୋବର ୯ ବାୟୁସେନା ଦିବସ ପୂର୍ବରୁ ଆଜି ଧନୋଆ ବାୟୁସେନାର ସାମର୍ଥ୍ୟ ସଂପର୍କରେ ବିଶ୍ୱକୁ ଅବଗତ କରାଇଛନ୍ତି।  ଫ୍ରାନ୍‌୍‌ସ ଓ ଆମେରିକା ସହ ଭାରତର ଅତି ଗୁରୁତ୍ୱପୂର୍ଣ୍ଣ ସାମରିକ ଚୁକ୍ତି କାର୍ଯ୍ୟକ୍ଷମ ହୋଇଥିବାରୁ ଆଗାମୀ ବର୍ଷମାନଙ୍କରେ ବାୟୁସେନାର ଶକ୍ତି ଯଥେଷ୍ଟ ଅଧିକ ବୃଦ୍ଧି ପାଇବ। ଇସ୍ରାଏଲ ଏବଂ ରୁଷ୍‌ଠାରୁ ମଧ୍ୟ ଏ ବାବଦରେ ଭାରତକୁ ଅନେକ ସହଯୋଗ ମିଳିଛି।

ସମ୍ବନ୍ଧିତ ଖବର