ଚୀନ ସୀମାର ଦୌଲତ ବେଗ୍ରେ ରାତି ଉଡ଼ାଣ କଲା ବାୟୁସେନା ‘ଚିନୁକ୍’; ଏଣିକି ଅତ୍ୟୁଚ୍ଚ ଘାଟିରେ ସେନା ମୁତୟନ ସହଜ
ନୂଆଦିଲ୍ଲୀ: କାରାକୋରମ୍ ଗିରିପଥ ନିକଟ ଭାରତୀୟ ସେନାର ଶେଷ ଘାଟି ଦୌଲତ ବେଗ୍ ଓଲ୍ଡି(ଡିବିଓ) ଇଲାକାରେ ଚୀନ୍ ପକ୍ଷରୁ ନିର୍ମାଣ କାର୍ଯ୍ୟ ସହ ବହୁ ସଂଖ୍ୟାରେ ସୈନ୍ୟ ମୁତୟନ ପରିପ୍ରେକ୍ଷୀରେ ଭାରତ ଶନିବାର ରାତିରେ ସମୁଦ୍ରପତ୍ତନରୁ ୧୬ ହଜାର ଫୁଟ ଉଚ୍ଚ ଏହି ଅଞ୍ଚଳରେ ନିଜର ଶକ୍ତିଶାଳୀ ଚିନୁକ୍ ପରିବାହୀ ହେଲିକପ୍ଟରର ରାତ୍ରି ଉଡ଼ାଣ କରାଇଛି। ଏହା ଦ୍ବାରା ଆବଶ୍ୟକ ଯେ କୌଣସି ସମୟରେ ଭାରତୀୟ ସେନା ଉକ୍ତ ଅତ୍ୟୁଚ୍ଚ ଘାଟିକୁ ବିପୁଳ ସୈନିକ ସମେତ ଗୋଳାବାରୁଦ ଓ ଆନୁଷଙ୍ଗିକ ସାମଗ୍ରୀ ପରିବହନ କରିପାରିବାର ଦକ୍ଷତା ପରୀକ୍ଷଣ କରୁଥିଲା ବୋଲି ଜଣାଯାଇଛି। ସୂଚନା ଥାଉ କି, ଗତକାଲି ଅକ୍ଷୟ ଚୀନ୍ର ତିଏନ୍ଵିଏନ୍ଦିଏନ୍ ଘାଟିରେ ଏକ ଦ୍ବିପାକ୍ଷିକ ଡିଭିଜନାଲ କମାଣ୍ଡର ସ୍ତରୀୟ ଆଲୋଚନା ଅନୁଷ୍ଠିତ ହୋଇଥିଲା।
ସମ୍ପ୍ରତି ଗଲଵାନ ସଂଘର୍ଷ ପରେ ସୃଷ୍ଟ ଉତ୍ତେଜନା ହ୍ରାସ ପାଇଁ ଚୁସୁଲ୍-ମୋଲ୍ଦୋରେ ହେଉଥିବା ଦ୍ବିପାକ୍ଷିକ ଆଲୋଚନା ଠାରୁ ଏହା ଭିନ୍ନ ଥିଲା। ତେବେ ଡିବିଓ ଇଲାକାରେ କୌଣସି ପ୍ରକାର ସମ୍ଭାବ୍ୟ ଉତ୍ତେଜନା ହ୍ରାସ ପାଇଁ ଭାରତକୁ ମଧ୍ୟ ଦେପସାଙ୍ଗରେ ଅନୁରୂପ ପାଟ୍ରୋଲିଂ ପାଇଁ ନିରଙ୍କୁଶ ସୁଯୋଗ ଦେବାକୁ ଦାବି କରାଯାଇଥିଲା। ତଥାପି ଚୀନ୍ର କୌଣସି ପ୍ରକାର ଆକ୍ରମଣାତ୍ମକ ଆଭିମୁଖ୍ୟକୁ ପ୍ରତିହତ କରିବା ଲାଗି ଚୁସୁଲ ଇଲାକାରେ ଭାରତୀୟ ବାୟୁସେନାର ଆପାଚି ହେଲିକପ୍ଟର ନିୟମିତ ପଇଁତରା ମାରୁଥିବା ବେଳେ ଦେପସାଙ୍ଗ ଇଲାକାକୁ ତତ୍କାଳ ସୈନ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ ପରିବହନ ପୂର୍ବରୁ ଚିନୁକ୍ର ରାତ୍ରି ଉଡ଼ାଣ ପରୀକ୍ଷା କରାଯାଇଛି ବୋଲି ଜଣେ ଭାରତୀୟ ସାମରିକ ଅଧିକାରୀ କହିଛନ୍ତି।