ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ଘାତକ କ୍ଷମତା ଆହୁରି ବଢିବାକୁ ଯାଉଛି । ଦେଶର ଆକାଶମାର୍ଗକୁ ଅଧିକ ସୁରକ୍ଷିତ କରିବା ପାଇଁ ଭାରତୀୟ ବାୟୁସେନା ପାଇଁ ୧୨ଟି ସୁଖୋଇ ୩୦ ଏମକେଆଇ ଲଢୁଆ ବିମାନ କିଣିବାକୁ ମଞ୍ଜୁରୀ ଦେଇଛି ଭାରତର ପ୍ରତିରକ୍ଷା ମନ୍ତ୍ରଣାଳୟ ।

Advertisment

କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ବସିଥିବା ପ୍ରତିରକ୍ଷା କ୍ରୟ ପରିଷଦ ବୈଠକରେ ମୋଟ ୪୫ ହଜାର କୋଟି ଟଙ୍କାମୂଲ୍ୟର ମୋଟ ୯ଟି କ୍ରୟ ପ୍ରସ୍ତାବକୁ ମଂଜୁରୀ ଦିଆଯାଇଛି ।

ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମ ଅଧୀନରେ ହିନ୍ଦୁସ୍ତାନ ଏରୋନଟିକ୍ସ (ହାଲ୍) ଲିମିଟେଡ୍ ଏହି ସବୁ ବିମାନ ନିର୍ମାଣ କରିବ। ପ୍ରତିରକ୍ଷା ଅଧିକାରୀମାନେ କହିଛନ୍ତି ଯେ ୧୧,୦୦୦ କୋଟି ଟଙ୍କାର ଏହି ପ୍ରକଳ୍ପରେ ବିମାନ ଏବଂ ଆନୁଷଙ୍ଗିକ ଗ୍ରାଉଣ୍ଡ ସିଷ୍ଟମ ଅନ୍ତର୍ଭୁକ୍ତ ହେବ। ଏହି ବିମାନ ଭାରତରେ ନିର୍ମିତ ହେବ, ଯାହା ଦେଶରେ ନିର୍ମିତ ଲଢୁଆ ବିମାନ କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ହେବ । ବିମାନରେ ଆବଶ୍ୟକତା ଅନୁଯାୟୀ ସାମଗ୍ରୀ ରହିବ। ସୁଖୋଇ-୩୦ ଏମକେଆଇ ଲଢୁଆ ବିମାନ ଗତ କିଛି ବର୍ଷ ମଧ୍ୟରେ ଦୁର୍ଘଟଣାର ଶିକାର ହୋଇଥିବା ୧୨ଟି ବିମାନର ସ୍ଥାନ ନେବ। ଏହା ଏକ ମଲ୍ଟିରୋଲ ଲଢୁଆ ବିମାନ । ଯେଉଁଥିରେ ଆକାଶରୁ ସ୍ଥଳ ଓ ଆକାଶରୁ ଆକାଶକୁ ଏକାସାଙ୍ଗରେ ଯୁଦ୍ଧ ଲଢ଼ିବାର କ୍ଷମତା ରହିଛି।