ନୂଆଦିଲ୍ଲୀ : ସେପ୍ଟେମ୍ବର ୨ୟ ସପ୍ତାହରେ ଭାରତୀୟ ବାୟୁସେନା ଇସ୍ରାଏଲ ନିର୍ମିତ ସ୍ପାଇସ ୨୦୦୦ ବୋମାର ବଙ୍କର ବୁଷ୍ଟର ଭର୍ସନ ପାଇବ । ୨ୟ ସପ୍ତାହରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଆସୁଥିବାରୁ ଯୋଗାଣ ପାଇଁ ଏହି ସମୟକୁ ବଛାଯାଇଛି । ଏହା ସହିତ ଭାରତୀୟ ବାୟୁସେନା ଇସ୍ରାଏଲ ନିର୍ମିତ ମାର୍କ-୮୪ ଓ୍ଵାରହେଡ ପାଇବ ଯାହାକି ନିମିଷକରେ ଏକ ବୃହତ କୋଠାକୁ ଧୂଳିରେ ମିଶେଇଦେବ । ଏସବୁ ବୋମା ପାଇଁ ଭାରତ ଗତ ମେ ମାସରେ ଇସ୍ରାଏଲ ସହ ୩୦୦ କୋଟିର ଚୁକ୍ତି କରିଥିଲା । ନିଜର ଜରୁରୀକାଳୀନ ଆବଶ୍ୟକତା ମେଣ୍ଟାଇବାକୁ ତିନିବାହିନୀକୁ କେତେକ ଆର୍ଥିକ କ୍ଷମତା ଦିଆଯାଇଛି । ଏହି କ୍ଷମତା ମାଧ୍ୟମରେ ତିନିବାହିନୀ ୩୦୦ କୋଟି ପର୍ଯ୍ୟନ୍ତ ସାମଗ୍ରୀ ସିଧାସଳଖ କିଣିପାରିବେ । ଏହି କ୍ଷମତା ପ୍ରୟୋଗ କରି ବାୟୁସେନା ଏହି ବୋମା କିଣିବାକୁ ଯାଉଛି ।

Advertisment

publive-image

ଗତ ଫେବ୍ରୁଆରୀ ମାସରେ ଭାରତୀୟ ବାୟୁସେନା ପାକିସ୍ତାନର ବାଲାକୋଟରେ ପ୍ରବେଶ କରି ଏୟାରଷ୍ଟ୍ରାଇକ କରିଥିଲେ । ଏହି ଷ୍ଟ୍ରାଇକରେ ବାୟୁସେନା ଇସ୍ରାଏଲ ନିର୍ମିତ ଅତ୍ୟାଧୁନିକ ସ୍ପାଇସ୍‌-୨୦୦୦ ବୋମା ପ୍ରୟୋଗ କରି ଉକ୍ତ କ୍ୟାମ୍ପରେ ଥିବା ଆତଙ୍କବାଦୀମାନଙ୍କୁ ନିପାତ କରିଥିଲା । ଏହି ବୋମା କୋଠାର ଛାତ କଣା କରି ପ୍ରବେଶ କରିଥିଲା ଓ ଭିତରେ ବିସ୍ଫୋରଣ ହୋଇଥିଲା ।