ବାୟୁସେନା ମୁଖ୍ୟଙ୍କ କ୍ଷୋଭ : ୪୪ ବର୍ଷ ପୁରୁଣା ମିଗ୍‌ ଉଡ଼ାଉଛୁ,ଏତେ ପୁରୁଣା କାର୍‌ ବି କେହି ଚଳାଇବେ ନାହିଁ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ବ୍ୟବହାର କରୁଥିବା ୪୪ ବର୍ଷ ପୁରୁଣା ମିଗ୍‌-୨୧ ବିମାନକୁ ନେଇ ଆଜି ବାୟୁସେନା ମୁଖ୍ୟ ବିଏସ୍‌ ଧନୋଆ କଟାକ୍ଷ କରିଛନ୍ତି। ଧନୋଆ କହିଛନ୍ତି ଯେ ଭାରତ ଏବେ ବି ୪୪ ବର୍ଷ ପୁରୁଣା ମିଗ୍‌-୨୧ ବିମାନ ଉଡ଼ାଉଛି। ଏତେ ବର୍ଷ ପରେ କେହି ନିଜ କାର୍‌ ମଧ୍ୟ ଚଳାଇବେ ନାହିଁ ବୋଲି ସେ କହିଛନ୍ତି। ବାୟୁସେନା ପାଇଁ ଏହି ବିମାନ ଏବେ ସମସ୍ୟା ପାଲଟିଯାଇଛି। ବାୟୁସେନା ନିକଟରେ ମିଗ୍‌ ୨୧ ବିମାନର କୌଣସି ବିକଳ୍ପ ବିମାନ ନଥିବାରୁ ଏଭଳି ସ୍ଥିତି ଆସିଛି। ଦିଲ୍ଲୀରେ ଏୟାର ଫୋର୍ସ ଅଡିଟୋରିୟମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଉପସ୍ଥିତିରେ ବାୟୁସେନା ମୁଖ୍ୟ ଏଭଳି ମନ୍ତବ୍ୟ ରଖିଛନ୍ତି। ବାୟୁସେନାର ଆଧୁନିକୀକରଣ ଏବଂ ସ୍ବଦେଶୀକରଣକୁ ନେଇ ଆୟୋଜିତ ଏକ ସେମିନାର୍‌ରେ ଏୟାର୍‌ ଚିଫ୍‌ ମାର୍ସାଲ ବିଏସ୍‌ ଧନୋଆ ଏଭଳି ମତ ରଖିଥିଲେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ଅବସରରେ କହିଥିଲେ ଯେ ଭାରତୀୟ ବାୟୁସେନାର ଆଧୁନିକୀକରଣ ପ୍ରକ୍ରିୟା ଏବେ ତ୍ବରାନ୍ବିତ ହୋଇଛି ଏବଂ ଏହି ପ୍ରକ୍ରିୟାରେ ଅତ୍ୟାଧୁନିକ ଶକ୍ତିଶାଳୀ ଯୁଦ୍ଧ ବିମାନ ଏଥିରେ ସାମିଲ ହେଉଛି। ବାଲାକୋଟ ବିମାନ ଆକ୍ରମଣ ପରେ ଭାରତୀୟ ବାୟୁସେନାର ଶକ୍ତି ସଂପର୍କରେ ବିଶ୍ବ ଭଲ ଭାବେ ଅବଗତ ହୋଇଛି ବୋଲି ରାଜନାଥ କହିଛନ୍ତି।

ସମ୍ବନ୍ଧିତ ଖବର