ନୂଆଦିଲ୍ଲୀ: ଜୁନ୍ ୧୨ ତାରିଖରେ ଅହମଦାବାଦରେ ଘଟିଥିବା ଭୟାବହ ଏୟାର ଇଣ୍ଡିଆର ବିମାନ ଦୁର୍ଘଟଣା ଦେଶକୁ ସ୍ତବ୍ଧ କରି ଦେଇଛି। ବିମାନ ବିସ୍ଫୋରଣର ସେ ଲୋମଟାଙ୍କୁରା ଦୃଶ୍ୟ ଆଜି ଯାଏଁ ଆଖିରୁ ଲିଭି ନାହିଁ।
ଏଭଳି ସମୟରେ ଏୟାର ଇଣ୍ଡିଆର ଆଉ ଏକ ବିମାନ ଦୁର୍ଘଟଣା ଘଟିବାରୁ ଅଳ୍ପକେ ବର୍ତ୍ତି ଯାଇଥିବା କୁହାଯାଉଛି। ଦିଲ୍ଲୀରୁ ଭିଏନା ଯାଉଥିବା ବିମାନ ଏଆଇ ୧୮୭ ଉଡ଼ିବାର କିଛି ସମୟ ପରେ ପାଇଲଟ ବିମାନରେ ଯାନ୍ତ୍ରିକ ତ୍ରୁଟି ଥିବା ଅନୁଭବ କରିଥିଲେ। ଯାହା ପରେ ବିମାନଟି ପ୍ରାୟ ୯୦୦ ଫୁଟ ତଳକୁ ଖସି ଆସିଥିଲା। ସୌଭାଗ୍ୟବଶତଃ ବିମାନଟି ଦୁର୍ଘଟଣାଗ୍ରସ୍ତ ହେବାରୁ ଅଳ୍ପକେ ରକ୍ଷା ପାଇଯାଇଥିଲା।
ସୂଚନା ଅନୁଯାୟୀ, ଜୁନ୍ ୧୪ ତାରିଖରେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଉଡ଼ାଣ ଆରମ୍ଭ କରିବାର କିଛି ମିନିଟ୍ ପରେ ଏୟାର ଇଣ୍ଡିଆର ବୋଇଂ ୭୭୭ ବିମାନ ହଠାତ୍ ବିପଦପୂର୍ଣ୍ଣ ଭାବରେ ତଳକୁ ଖସି ଆସିବା ଆରମ୍ଭ କରିଥିଲା। ପାଇଲଟ୍ କକପିଟ୍ ଭିତରେ ଯାନ୍ତ୍ରିକ ତ୍ରୁଟି ଥିବା ଅନୁଭବ କରିଥିଲେ।
ଏହି ସମୟ ମଧ୍ୟରେ, 'ଷ୍ଟିକ୍ ସେକର୍' ଆଲର୍ଟ ମଧ୍ୟ ସକ୍ରିୟ ହୋଇ ଯାଇଥିଲାଲା - ଅର୍ଥାତ୍ କକପିଟର ନିୟନ୍ତ୍ରଣ ସ୍ତମ୍ଭ ଥରିବାକୁ ଲାଗିଥିଲା ଏବଂ ପାଇଲଟଙ୍କୁ ତୁରନ୍ତ ବିପଦ ବିଷୟରେ ଅବଗତ କରାଯାଇଥିଲା। ପାଇଲଟ୍ ତୁରନ୍ତ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ ଏବଂ ବିମାନକୁ ସଠିକ୍ ଉଚ୍ଚତାକୁ ଆଣି ଉଡ଼ାଣ ଜାରି ରଖିଥିଲେ। ଏହି ଘଟଣାରେ କୌଣସି ପ୍ରକାର କ୍ଷୟ କ୍ଷତି ହୋଇ ନଥିବା ବେଳେ ୯ ଘଣ୍ଟା ୮ ମିନିଟ୍ ଉଡ଼ାଣ ପରେ ବିମାନଟିକୁ ସୁରକ୍ଷିତ ଭାବରେ ଭିଏନାରେ ପାଇଲଟ ଅବତରଣ କରିଥିଲେ।
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପାଇଲଟ୍ ଦେଇଥିବା ରିପୋର୍ଟରେ କେବଳ ଏତିକି ଲେଖାଯାଇଥିଲା ଯେ 'ଉଡ଼ାଣ ପରେ ଟର୍ବୁଲେନ୍ସ ଯୋଗୁଁ 'ଷ୍ଟିକ୍ ସେକର୍' ଆଲର୍ଟ ସକ୍ରିୟ ହୋଇଥିଲା'। ଅନ୍ୟ ଚେତାବନୀ ବିଷୟରେ କୌଣସି ସୂଚନା ଦିଆଯାଇ ନଥିଲା।
ତଥାପି, ଡିଜିସିଏ ଦୁର୍ଘଟଣାର ଗମ୍ଭୀରତାକୁ ବିଚାର କରି ଫ୍ଲାଇଟ୍ ଡାଟା ରେକର୍ଡର୍ (ଡିଏଫଡିଆର) ଯାଞ୍ଚ କରିଥିଲେ। ଏହାପରେ ଜଣାପଡିଥିଲା ଯେ 'ଜିପିଡବ୍ଲୁଏସ୍ ଡୋଣ୍ଟ ସିଙ୍କ’ ଏବଂ 'ଷ୍ଟଲ୍ ୱାର୍ଣ୍ଣିଂ' ଭଳି ଗମ୍ଭୀର ଚେତାବନୀ ମଧ୍ୟ ଆସିଥିଲା।
ଏହି ମାମଲାରେ ଏୟାର ଇଣ୍ଡିଆର ମୁଖପାତ୍ର ଏକ ବିବୃତ୍ତି ଜାରି କରି କହିଛନ୍ତି, "ପାଇଲଟଙ୍କ ରିପୋର୍ଟ ପାଇବା ପରେ, ନିୟମ ଅନୁଯାୟୀ ଡିଜିସିଏଙ୍କୁ ଏହି ବିଷୟ ଅବଗତ କରାଯାଇଥିଲା। ଏହା ପରେ, ବିମାନ ରେକର୍ଡରରୁ ତଥ୍ୟ ପାଇବା ପରେ, ଅଧିକ ତଦନ୍ତ ଆରମ୍ଭ କରାଯାଇଥିଲା। ଘଟଣାର ତଦନ୍ତ ଚାଲିଛି। ତଦନ୍ତର ଫଳାଫଳ ଆସିବା ପର୍ଯ୍ୟନ୍ତ ବୋଇଂ ୭୭୭ ବିମାନରେ ଥିବା ଉଭୟ ପାଇଲଟ୍ଙ୍କୁ ଉଡ଼ାଣ ଡ୍ୟୁଟିରୁ ନିବୃତ୍ତ ରଖାଯାଇଛି।’