ଅହମଦାବାଦ: ପୁଣି ଅହମଦାବାଦରୁ ଆସିଲା ବିମାନକୁ ନେଇ ବଡ ଖବର । ଅହମଦାବାଦରୁ ଲଣ୍ଡନ ଯାଉଥିବା ବିମାନର ଉଡାଣ ବାତିଲ । ବିମାନରେ ଯାନ୍ତ୍ରିକ ତ୍ରୁଟି ପାଇଁ ରଦ୍ଦ ହେଲା ଉଡାଣ । ଲଣ୍ଡନ ଅଭିମୁଖେ ଉ଼ଡାଣର କିଛି ସମୟ ପୂର୍ବରୁ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବା ପରେ ଉଡାଣକୁ ବାତିଲ କରାଯାଇଛି । ବିମାନସେବାକୁ ହଠାତ୍ ରଦ୍ଦ କରିବା ପରେ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

Advertisment

ତେବେ ଅହମଦାବାଦ ବିମାନ ଦୁର୍ଘଟଣା ପର ଠାରୁ ଏୟାର ଇଣ୍ଡିଆର ଆଉ କୌଣସି ବିମାନ ଲଣ୍ଡନ ଅଭିମୁଖେ ଅହମଦାବାଦରୁ ଯାତ୍ର କରିନଥିଲା । ଏଆଇ-୧୭୧ ଦୁର୍ଘଟଣା ହେବା ପରେ ତାକୁ ସେବାରୁ ହଠାଇ ଦିଆଯାଇ ତା ଜାଗାରେ ଏଆଇ-୧୫୯କୁ ନିୟୋଜିତ କରାଯାଇଥିଲା  ଏବଂ ଦୁର୍ଘଟଣା ପରେ ପ୍ରଥମ ଥର ପାଇଁ ଆଜି ୧.୧୦ରେ ବିମାନର ଉଡାଣ ଭରିବାକୁ ସ୍ଥିରୀକୃତ ହୋଇଥିଲା । ମାତ୍ର ଉଡାଣ ପୂର୍ବରୁ ଯାନ୍ତ୍ରିକ ତ୍ରୁଟି ଦେଖା ଦେବା ପରେ ଉଡାଣକୁ ରଦ୍ଦ କରାଯାଇଛି ।

ତେବେ ଅହମଦାବାଦ ବିମାନ ଦୁର୍ଘଟଣାରେ ମୋଟ ୨୭୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବିମାନରେ ଥିବା ୨୪୨ ଜଣଙ୍କ ମଧ୍ୟରୁ ୨୪୧ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଜଣେ ମାତ୍ର ଯାତ୍ରୀ ଜୀବନ ବଞ୍ଚାଇ ମୃତ୍ୟୁ ମୁଖରୁ ଫେରି ଆସିଛନ୍ତି । ସେପଟେ ଆଜି ସକାଳେ ଏୟାର ଇଣ୍ଡିଆର ବିମାନ କୋଲକାତାରେ ଜରୁରୀ ଅବତରଣ କରିଥିଲା । ଯାନ୍ତ୍ରିକ ତ୍ରୁଟି ପାଇଁ କୋଲକାତାରେ ଜରୁରୀ ଅବତରଣ କରିଥିଲା ଆମେରିକାରୁ ଆସିଥିବା ବିମାନ । ଆମେରିକା କାର୍ଲିଫର୍ଣ୍ଣିଆର ସାନ୍-ଫ୍ରାନ୍ସିକୋରୁ ମୁମ୍ବାଇ ଯାଉଥିବା ଏହି ବିମାନ କୋଲକାତା ବିମାନବନ୍ଦରରେ ଅବତରଣ କରିଛି ।

ବିମାନ ରଦ୍ଦ ପରେ ଯାତ୍ରୀ ଅସନ୍ତୋଷ, ଶୁଣନ୍ତୁ ସେମାନଙ୍କ ପ୍ରତିକ୍ରିୟା