ବିମାନରେ ଏୟାର ହୋଷ୍ଟେସ୍ଙ୍କୁ ଅସଦାଚରଣ ମହଙ୍ଗା ପଡ଼ିଲା, ଗିରଫ ହେଲେ ପାଇଲଟ୍
ମୁମ୍ବାଇ: ଜଣେ ଏୟାର ହୋଷ୍ଟେସ୍ଙ୍କୁ ଅସଦାଚରଣ ଅଭିଯୋଗରେ ଏୟାର ଇଣ୍ଡିଆର ଜନୈକ ପାଇଲଟ୍ ଗିରଫ ହୋଇଛନ୍ତି। ଗଣମାଧ୍ୟମରେ ପ୍ରକାଶିତ ସୂଚନା ଅନୁଯାୟୀ, ଗତ ୪ ତାରିଖ ଦିନ ଏୟାର ଇଣ୍ଡିଆର ଅହମ୍ମଦାବାଦ୍ -ମୁମ୍ବାଇ ବିମାନରେ କାର୍ଯ୍ୟରତ ଏୟାର ହୋଷ୍ଟେସ୍ଙ୍କୁ ପାଇଲଟ୍ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ଏହାପରେ ଏୟାର ହୋଷ୍ଟେସ୍ ଜଣକ ଏୟାର ଇଣ୍ଡିଆ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିବା ସହ ମୁମ୍ବାଇର ସହର ପୁଲିସ୍ ଷ୍ଟେସନ୍ରେ ଏତଲା ମଧ୍ୟ କରିଥିଲେ। ତାଙ୍କ ଅଭିଯୋଗକୁ ଭିତ୍ତି କରି ମୁମ୍ବାଇ ପୁଲିସ୍ ଏକ ମାମଲା ରୁଜୁ କରି ଅଭିଯୁକ୍ତ ପାଇଲଟ୍ଙ୍କୁ ଗିରଫ କରିଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ମୁମ୍ବାଇ ପୁଲିସ୍ ପକ୍ଷରୁ କୁହାଯାଇଛି ,ମହିଳାଙ୍କ ଅଭିଯୋଗକୁ ଭିତ୍ତି କରି ଆମେ ପାଇଲଟ୍ଙ୍କ ନାମରେ ଆଇପିସିର ଧାରା ୩୫୪ ଅଧିନରେ ମାମଲା ରୁଜୁ କରିଛୁ। ଘଟଣାର ବିଭିନ୍ନ ଦିଗ ରହିଥିବାରୁ ଆମେ ଘଟଣାର ଅଧିକ ତଦନ୍ତ କରୁଛୁ। ଅନ୍ୟପକ୍ଷରେ ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ ମଧ୍ୟ ଘଟଣାର ଆଭ୍ୟନ୍ତରୀଣ ତଦନ୍ତ କରୁଛନ୍ତି।
ଏୟାର ଇଣ୍ଡିଆ ପାଇଲଟ ମାନଙ୍କ ବିରୋଧରେ ଏଭଳି ଅଭିଯୋଗ କ୍ରମଶଃ ବଢ଼ିବାରେ ଲାଗିଛି। ଗତ ନଭେମ୍ବରରେ କେରଳରେ ଜଣେ ଏୟାର ହୋଷ୍ଟେସ୍ ପାଇଲଟ୍ଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଥିଲେ। ତାଙ୍କ ନାମରେ ପୁଲିସ ମାମଲା ରୁଜୁ କରିଥିଲା। ୨୦୧୭ ସେପ୍ଟେମ୍ବର ୧୮ରେ ଏହି ଏୟାର ହୋଷ୍ଟେସ୍ ପାଇଲଟଙ୍କ ଦ୍ୱାରା ଯୌନଉତ୍ପୀଡ଼ନର ଶିକାର ହୋଇ ଚାକିରି ଛାଡ଼ିଥିଲେ । ଚାକିରି ଛାଡ଼ିବା ପରେ ସେ ପୁଲିସରେ ଅଭିଯୋଗ କରିଥିଲେ।