ନୂଆଦିଲ୍ଳୀ: ଏୟାର୍ ଇଣ୍ଡିଆ ବିମାନ ପୁଣିଥରେ ବିବାଦ ଘେରକୁ ଆସିଛି। ବିମାନରେ ବେଙ୍ଗାଲୁରୁରୁ ସାନ୍ ଫ୍ରାନ୍ସିସ୍କୋ ଯାଉଥିବା ଜଣେ ସାମ୍ବାଦିକଙ୍କ ଖାଦ୍ୟରେ ବ୍ଲେଡ୍ ବାହାରିଛି। ଏକ୍ସରେ ସାମ୍ବାଦିକ ମାଥ୍ୟୁରେସ୍ ପଉଲ୍ ସେୟାର୍ କରିଥିବା ପୋଷ୍ଟ ଅନୁସାରେ, ଏୟାର୍ ଇଣ୍ଡିଆ ବିମାନ ଏଆଇ୧୭୫ରେ ଆଳୁ ଭଜା ଓ ଚାଟ୍ ମଗାଇଥିଲେ। ଚାଟ୍ରେ ସେ ଏକ ବ୍ଲେଡ୍ଭଳି ଧାତୁ ଖଣ୍ଡ ପାଇଥିଲେ। ଦୈବାତ୍ ଏହାଦ୍ବାରା ତାଙ୍କର କିଛି କ୍ଷତି ହୋଇନାହିଁ, କିନ୍ତୁ ଏୟାର୍ ଇଣ୍ଡିଆର ଖାଦ୍ୟ ଛୁରିି ଭଳି କାଟିପାରେ।
ଏଭଳି ଖାଦ୍ୟ କୌଣସି ଶିଶୁ ଯାତ୍ରୀଙ୍କୁ ଦିଆଯାଏ ତେବେ ପରିସ୍ଥିତି କ’ଣ ହେବ ବୋଲି ସେ ପ୍ରଶ୍ନ କରିଛନ୍ତି। ଏହି ପୋଷ୍ଟ୍ ପରେ ଏୟାର୍ ଇଣ୍ଡିଆ କ୍ଷମା ମାଗିବା ସହ ସମସ୍ୟାର ସମାଧାନ ନିମନ୍ତେ ଯାତ୍ରୀଙ୍କ ସିଟ୍ ନମ୍ବର ଆଦି ସେୟାର୍ କରିବାକୁ ଅନୁରୋଧ କରିଛି। ବିମାନର ମୁଖ୍ୟ ଗ୍ରାହକ ଅଭିଜ୍ଞତା ଅଧିକାରୀ ରାଜେଶ ଡୋଗ୍ରା କହିଛନ୍ତି, ଏହି ବ୍ଲେଡ୍ ଖଣ୍ଡଟି ପରିବା କଟା ମେସିନ୍ର ଅଟେ। ତେବେ ଏଭଳି ଘଟଣାର ପୁନରାବୃତ୍ତି ଯେଭଳି ନହୁଏ ସେନେଇ ଖାଦ୍ୟ ଯୋଗାଇଥିବା ସଂସ୍ଥା ସହ ଯୋଗାଯୋଗ କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯାଇଛି।