ନୂଆଦିଲ୍ଲୀ: କେମିତି ବଞ୍ଚିଲେ ୧୧-ଏ ପାସେଞ୍ଜର ? ଦୁର୍ଘଟଣାଗ୍ରସ୍ତ ବିମାନର ଯାତ୍ରୀ ବିଶ୍ବାସ କୁମାର କେମିତି ମୃତ୍ୟୁ ମୁଖରୁ ବର୍ତ୍ତିଗଲେ ? ଯେତେବେଳେ ବିମାନର ୨୪୧ ଜଣ ଜଳିଗଲେ ଏବଂ ସମସ୍ତଙ୍କର ମୃତ୍ୟୁ ହେଲା ଠିକ୍ ସେତେବେଳେ କେମିତି ଏକା ହିଁ ଯାତ୍ରୀ ଭାବେ ଜୀବନ ନେଇ ଫେରିଆସିଲେ ବିଶ୍ବାସ କୁମାର ରମେଶ ? ଭାଗ୍ୟର ଚମତ୍କାରିତା କହି ବିଶ୍ବାସ କୁମାରଙ୍କ ଚର୍ଚ୍ଚା ସବୁଠି ହେଉଥିବା ବେଳେ ଏବେ ସାମ୍ନାକୁ ଆସିଛି ଏମିତି ଏକ ସତ ଯାହା ତାଙ୍କର ବଞ୍ଚିବା ପଛର ଚର୍ଚ୍ଚାକୁ ଫର୍ଚ୍ଚା କରିଛି ।
କୁହାଯାଉଛି ଯେତେବେଳେ ବିମାନ ଦୁର୍ଘଟଣା ହେଲା ଆଉ ମେଡିକାଲ କଲେଜରେ ଏୟାର ଇଣ୍ଡିଆର ବିମାନ ମାଡ ହେଲା ସେତେବେଳେ ଛିଟକି ପଡିଥିଲେ ୧୧-ଏ ସିଟରେ ବସିଥିବା ଯାତ୍ରୀ ବିଶ୍ବାସ କୁମାର । ଆଉ ସେ ବିମାନରୁ ଖସିପଡି ସିଧା ତଳେ ପଡିଥିଲେ । ଦୁଇଟି ବିରାଟ କୋଠା ମଝିରେ ଥିବା ଏକ ସ୍ଥାନରେ ସେ ଖସି ପଡିଥିଲେ ଯେଉଁଠି ମାଟି ଓଦା ରହିଥିଲା । କାଦୁଅ ପରି ନରମ ମାଟିରେ ସେ ଉପରୁ ଖସି ପଡିଥିବାରୁ ବିଶ୍ବାସଙ୍କର ଜୀବନ ତ ବଞ୍ଚିଗଲା ତାସହ ଗୁରୁତର ଆଘାତରୁ ମଧ୍ଯ ସେ ବର୍ତ୍ତିଗଲେ । ଖସିପଡିବା ପରେ ଯେଉଁ ଗୋଡ ହାତ ଭାଙ୍ଗିବାର ଏବଂ ଗୁରୁତର ହେବାର ଭୟ ରହେ ତାହା ସେହି ନରମ ମାଟି ପାଇଁ ଟଳିଯାଇଥିଲା । ସେ ତଳେ ପଡିବା ପରେ ଚାଲି ଚାଲି ଆସୁଥିବା ଦେଖିବାକୁ ମିଳିଥିଲା । ଖାଲି ତାଙ୍କ ମୁହଁ, ମୁଣ୍ଡ ଏବଂ ଛାତିରେ ଆଘାତ ଲାଗିଥିବା ଜଣାପଡିବା ପରେ ତାଙ୍କୁ ହସ୍ପିଟାଲରେ ଚିକିତ୍ସା କରାଯାଉଥିଲା ।
ସେପଟେ ବିମାନ ଦୁର୍ଘଟଣା ଦିନ ବିଶ୍ବାସ ବର୍ତ୍ତିଯାଇଥିବା ବେଳେ ସେହି ବିମାନରେ ଲଣ୍ଡନ ଯାଉଥିବା ତାଙ୍କ ଭାଇ କିନ୍ତୁ ବର୍ତ୍ତି ନଥିଲେ । ସାଙ୍ଗରେ ଦୁଇ ଭାଇ ଲଣ୍ଡନ ଯାଉଥିଲେ ହେଲେ ବିଧାତାର ଖେଳ, ଜଣେ ବଞ୍ଚିଲା, ଜଣେ ଚାଲିଗଲା । ଗୋଟିଏ ବିମାନରେ ଦୁହେଁ ଯାଉଥିଲେ ବି ଭାଗ୍ୟ କିନ୍ତୁ କାହା ପାଇଁ କଣ ଲେଖିଥିଲା କେହି ବି ଜାଣି ନଥିଲେ । ଆଜି ମୃତ୍ୟୁର ଆଁ ଭିତରୁ ବାହାରି ବିଶ୍ବାସ କୁମାର ଜୀବନ ଫେରି ପାଇଥିବା ବେଳେ ତାଙ୍କ ଭାଇ ଅଜୟ କିନ୍ତୁ ଆରପାରିରେ । ଆଉ ଆଜି ଯେତେବେଳେ ସେହି ସହଯାତ୍ରୀ ଭାଇର ଶେଷଯାତ୍ରାରେ ସାମିଲ ହେଉଛନ୍ତି ସେତେବେଳେ ଭାଙ୍ଗି ପଡୁଛନ୍ତି ବିଶ୍ବାସ ରମେଶ କୁମାର ।
ମନରେ କୋହ, ଆଖିରେ ଲୁହ.. ଭାଇର ଶବକୁ କାନ୍ଧ ଦେଲା ବେଳେ ଆଖିରେ ଲୁହ ବୋଲ ମାନୁନି, ବନ୍ଧବାଡ ଭାଙ୍ଗି ବହି ଯାଉଛି । ନିଜକୁ ସମ୍ଭାଳି ହେଉନି, ଲୁହ କୋହକୁ ଅଟକାଇ ହେଉନି । ମୁଣ୍ଡରେ ବ୍ୟାଣ୍ଡେଜ୍, ଗାଲରେ ବ୍ୟାଣ୍ଡେଜ୍, କାନରେ ବି ବ୍ୟାଣ୍ଡେଜ୍ । ଗଭୀର ଆଘାତ ଲାଗିଥିବାରୁ ଅହମଦାବାଦ ବିମାନ ଦୁର୍ଘଟଣାରେ ବର୍ତ୍ତିଯାଇଥିବା ଏକମାତ୍ର ଯାତ୍ରୀ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ହେଲେ ଭାଇର ଶେଷକୃତ୍ୟ ଯେତେବେଳେ କରାଯାଉଛି ସେତେବେଳେ ନିଜକୁ କେମିତି ରୋକି ପାରିଥାନ୍ତେ । ତେଣୁ ସିଧା ହସ୍ପିଟାଲରୁ ଆସି ମୃତ ଭାଇ ଅଜୟ ରମେଶ କୁମାରଙ୍କ ଶେଷକୃତ୍ୟରେ ସାମିଲ ହୋଇ ଭାଇର ଶବରେ କାନ୍ଧ ଦେଇଛନ୍ତି ଆଉ ତାଙ୍କୁ ଶ୍ମଶାନ ନେଇଛନ୍ତି ।