ଗାନ୍ଧୀନଗର: ଜୁନ ୧୨ ତାରିଖ ଗୁରୁବାର ଅହମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ବୋଇଂ ୭୮୭ ଡ୍ରିମଲାଇନର୍ ବିମାନ (ଉଡ଼ାଣ ନମ୍ବର ଏଆଇ ୧୭୧) ଦୁର୍ଘଟଣାଗ୍ରସ୍ତ ହୋଇଥିଲା।
ବିମାନରେ ମୋଟ ୨୪୨ଜଣ ଥିବା ବେଳେ ମାତ୍ର ଜଣେ ହିଁ ବଞ୍ଚିପାରିଥିଲେ। ଦୁର୍ଘଟଣା ସମ୍ପର୍କରେ ଖବର ପାଇ ୫୬ ବର୍ଷୀୟ ନିର୍ମାଣ ବ୍ୟବସାୟୀ ରାଜୁ ପଟେଲ ଉଦ୍ଧାରକାରୀ ଦଳ ଆସିବା ପୂର୍ବରୁ ଲୋକଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ।
ଉଦ୍ଧାର କାର୍ଯ୍ୟ ସମାପ୍ତ ହେବା ପରେ ପଟେଲ ଏବଂ ତାଙ୍କ ସହଯୋଗୀମାନେ ଦ୍ୱିତୀୟ କାର୍ଯ୍ୟ ହାତକୁ ନେଇଥିଲେ। ସେମାନେ ଭଗ୍ନାବଶେଷରୁ ଜଳି ନଥିବା ଜିନିଷ ଉଦ୍ଧାର କରିବା ଆରମ୍ଭ କରିଥିଲେ।
ଏଯାବତ ଘଟଣାସ୍ଥଳରୁ ୮୧୬ଗ୍ରାମ ସୁନା, ୮୦ହଜାର ଟଙ୍କା , ଅନେକ ପାସପୋର୍ଟ ଏବଂ ଭଗବଦ୍ ଗୀତାର ଏକ କପି ମଧ୍ୟ ଉଦ୍ଧାର କରାଯାଇଛି। ତେବେ ଦୁର୍ଘଟଣାସ୍ଥଳରୁ ଉଦ୍ଧାର ହୋଇଥିବା ସୁନା ତଥା ଅନ୍ୟାନ୍ୟ ସାମଗ୍ରୀ କ’ଣ ହେବ? ଏହାର ଦାବିଦାର କିଏ ହେବେ? ଏମିତି ଅନେକ ପ୍ରଶ୍ନ ସାଧାରଣଲୋକଙ୍କ ମନରେ ଉଙ୍କି ମାରିଛି।
ତେବେ ଜଣାଇ ଦେବାକୁ ଚାହିଁବୁ କି ଭାରତୀୟ ଆଇନ ଏବଂ ପ୍ରକ୍ରିୟା ଅନୁଯାୟୀ, ଦୁର୍ଘଟଣାସ୍ଥଳରୁ ଉଦ୍ଧାର ହୋଇଥିବା ମୂଲ୍ୟବାନ ଜିନିଷଗୁଡ଼ିକର ଅନେକ ଉପାୟରେ ସମାଧାନ କରାଯାଇଥାଏ। ବର୍ତ୍ତମାନ ଏହି ସୁନାକୁ ସରକାରୀ ସୁରକ୍ଷା ଅଧୀନରେ ରଖାଯାଇଛି। ପ୍ରକୃତ ଦାବିଦାର ନ ମିଳିବା ପର୍ଯ୍ୟନ୍ତ ସରକାର ଏହାକୁ ସୁରକ୍ଷା ଦେବେ। ଶେଷରେ ଯଦି କୌଣସି ଦାବିଦାର ନ ମିଳନ୍ତି ତେବେ ଏହି ମୂଲ୍ୟବାନ ଜିନିଷଗୁଡ଼ିକୁ ସରକାରୀ କୋଷାଗାରରେ ଜମା କରାଯିବ।
ଦୁର୍ଘଟଣା ପରେ, ଗୁଜରାଟ ଗୃହମନ୍ତ୍ରୀ ହର୍ଷ ସାଂଘଭି ଜୁନ୍ ୧୫ରେ ଘୋଷଣା କରି କହିଥିଲେ, ‘ଦୁର୍ଘଟଣାସ୍ଥଳରୁ ଉଦ୍ଧାର କରାଯାଇଥିବା ସମସ୍ତ ଉଦ୍ଧାର ସାମଗ୍ରୀ ଚିହ୍ନଟ କରାଯିବ ଏବଂ ମୃତକଙ୍କ ନିକଟତମ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯିବ। ସ୍ପଷ୍ଟ ଭାବରେ ସରକାରଙ୍କ ପ୍ରଥମ ପ୍ରୟାସ ହେଉଛି ଏହାର ପ୍ରକୃତ ଦାବିଦାରଙ୍କୁ ଚିହ୍ନଟ କରିବା।
ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ଚିହ୍ନଟ ପାଇଁ ଡିଏନଏ ମେଳ କରାଯାଉଛି। ଏହି ପ୍ରକ୍ରିୟା ଆଧାରରେ ସୁନା ଏବଂ ଅନ୍ୟାନ୍ୟ ଜିନିଷର ମାଲିକଙ୍କୁ ମଧ୍ୟ ଚିହ୍ନଟ କରାଯିବ। ଏହା ବ୍ୟତୀତ ଯାତ୍ରୀଙ୍କ ଜିନିଷପତ୍ର ଯେପରିକି ପାସପୋର୍ଟ, ଟିକେଟ, ଲଗେଜ୍, ରସିଦ ଏବଂ ସେମାନଙ୍କ ପରିବାର ଦ୍ୱାରା ଦିଆଯାଇଥିବା ସୂଚନା ଆଧାରରେ ଜିନିଷପତ୍ର ମେଳ କରାଯିବ। ଯଦି କୌଣସି ଡକ୍ୟୁମେଣ୍ଟ କିମ୍ବା ପ୍ରମାଣ (ଯେପରିକି ଅଳଙ୍କାର କ୍ରୟ ରସିଦ) ଉପଲବ୍ଧ ଥାଏ, ତେବେ ଏହା ଚିହ୍ନଟ ପ୍ରକ୍ରିୟାକୁ ସହଜ କରିପାରିବ।