ମସ୍କାଟ୍ : ଏୟାରଇଣ୍ଡିଆ ବିମାନରେ ନିଆଁ, ଯାତ୍ରୀଙ୍କୁ ସୁରକ୍ଷିତ ବାହାର କରାଗଲା

ନୂଆଦିଲ୍ଲୀ : ଓମାନର ରାଜଧାନୀ ମସ୍କାଟର ଅନ୍ତର୍ଜାତୀୟ ଏୟାରପୋର୍ଟରେ ଥିବା ଏକ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନର ଏକ ଇଂଜିନରୁ ଧୂଆଁ ବାହାରିବା ପରେ ତୁରନ୍ତ ସମସ୍ତ ଯାତ୍ରୀ ଓ ବିମାନ କର୍ମଚାରୀ (କ୍ରିଉ)ଙ୍କୁ ସୁରକ୍ଷିତ ବାହାର କରାଯାଇଥିଲା ।

ମିଳିଥିବା ସୂଚନା ଅନୁସାରେ ଏହି ଏୟାରଇଣ୍ଡିଆ ଏକ୍ସପ୍ରେସ ବିମାନ ବି-୭୩୭ ମସ୍କାଟରୁ କୋଚି ଯିବାର ଥିଲା । ବିମାନରେ ରନଓ୍ବେରେ ଥିବା ବେଳେ ୨ ନମ୍ବର ଇଂଜିନରୁ ଧୂଆଁ ବାହାରୁ ଥିବା ଦେଖାଯାଇଥିଲା । ଏହା ପରେ ତୁରନ୍ତ ସବୁ ଯାତ୍ରୀ ଓ କର୍ମଚାରୀଙ୍କୁ ବିମାନରୁ ବାହାର କରିଦିଆଯାଇଥିଲା । ବିମାନରେ ମୋଟ ୧୪୫ ଜଣ ଯାତ୍ରୀ ଥିଲେ ଓ ସେମାନଙ୍କ ମଧ୍ୟରେ ୪ ଜଣ ଶିଶୁ ଥିଲେ । ତେବେ ଏହି ଘଟଣାରେ କାହାର କିଛି କ୍ଷତି ହୋଇନାହିଁ ।

ଏହି ଯାତ୍ରୀମାନଙ୍କୁ ମସ୍କାଟରୁ କୋଚି ନେବା ପାଇଁ ଏୟାର ଇଣ୍ଡିଆ ପକ୍ଷରୁ ବିକଳ୍ପ ବିମାନର ବ୍ୟବସ୍ଥା କରାଯାଉଥିବା ସୂଚନା ମିଳିଛି ।

ଏହି ଘଟଣା ସଂପର୍କରେ ବିମାନ ଚଳାଚଳ ନିୟାମକ ଡିଜିସିଏ ପକ୍ଷରୁ କୁହାଯାଇଛି ଯେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ରିପୋର୍ଟ ମିଳିବା ପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ସୂଚନାଯୋଗ୍ୟ ଯେ ଏୟାର ଇଣ୍ଡିଆ ଏକ୍ସପ୍ରେସ ହେଉଛି ଏୟାର ଇଣ୍ଡିଆର ଏକ ସୁଲଭ ମୂଲ୍ୟରେ ବିମାନ ସେବା ଯୋଗାଉଥିବା ଏକ ଶାଖା କମ୍ପାନି । ୨୦୦୫ରେ ଏହାକୁ ଆରମ୍ଭ କରାଯାଇଥିଲା । ଏୟାର ଇଣ୍ଡିଆ ଟାଟା ଗ୍ରୁପ ଅଧିନକୁ ଆସିବା ପରେ ଏୟାର ଇଣ୍ଡିଆ ଏକ୍ସପ୍ରେସ ବି ଟାଟା ଅଧିନକୁ ଯାଇଛି ।

ସମ୍ବନ୍ଧିତ ଖବର