ନିର୍ଦ୍ଧାରିତ ସମୟର ୪ଘଣ୍ଟା ପୂର୍ବରୁ ୨୦ ଜଣ ଯାତ୍ରୀଙ୍କୁ ନ ନେଇ କୁଏତ ପଳାଇଲା ଏୟାର ଇଣ୍ଡିଆ ବିମାନ

ବିଜୟୱାଡା: ନିର୍ଦ୍ଧାରିତ ସମୟର ୪ଘଣ୍ଟା ପୂର୍ବରୁ ଗନ୍ତବ୍ୟସ୍ଥଳକୁ ଚାଲିଗଲା ବିମାନ | ଆଉ ବିମାନବନ୍ଦରରେ ହିଁ ରହିଗଲେ ଯାତ୍ରୀ | ଆନ୍ଧ୍ରପ୍ରଦେଶର ବିଜୟୱାଡା ବିମାନବନ୍ଦରରେ ଏଭଳି ଏକ ଘଟଣା ଘଟିଛି | ମିଳିଥିବା ସୂଚନା ମୁତାବକ କୁଏତ ଅଭିମୁଖେ ଯିବାକୁ ଥିବା ଏହି ବିମାନ ନିର୍ଦ୍ଧାରିତ ସମୟର ଚାରି ଘଣ୍ଟା ପୂର୍ବରୁ ପଳାଇଯାଇଥିଲା | ଏହି କାରଣରୁ ବିମାନବନ୍ଦରରେ ୨୦ ଜଣ ଯାତ୍ରୀ ରହିଯାଇଥିଲେ। ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ଆଇଏକ୍ସ-୬୯୫ ବିଜୟୱାଡା ବିମାନ ବନ୍ଦରରୁ ଦିନ ୧ଟା ୧୦ ମିନିଟରେ କୁଏତ ଅଭିମୁଖେ ଯାତ୍ରା କରିବାର ଥିଲା | କିନ୍ତୁ ସକାଳ ୯ ଟା ୫୫ରେ ବିମାନ କୁଏତ ଅଭିମୁଖେ ଚାଲିଯାଇଥିଲା | ଏହି ଘଟଣାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି | ଏୟାର ଇଣ୍ଡିଆର ଜଣେ ଅଧିକାରୀଙ୍କ କହିବାନୁସାରେ, ବିମାନଟିର ନିର୍ଦ୍ଧାରିତ ସମୟ ପରିବର୍ତ୍ତନ କରାଯାଇଥିଲା |

ଯାତ୍ରୀମାନଙ୍କୁ ଏହି ବିଷୟରେ ପୂର୍ବରୁ ସୂଚନା ଦିଆଯାଇଥିଲା। ତେବେ ବିଜୟୱାଡା ବିମାନବନ୍ଦର ନିର୍ଦ୍ଦେଶକ ଲକ୍ଷ୍ମୀକାନ୍ତ ରେଡ୍ଡୀ କହିଛନ୍ତି ଯେ ବିମାନ ଶୀଘ୍ର ପଳାଇଥିବାରୁ ୧୫ରୁ ଅଧିକ ଯାତ୍ରୀ ଯାଇପାରିନାହାନ୍ତି | ତେବେ ଉଡ଼ାଣ ସମୟର ପରିବର୍ତ୍ତନ ବିଷୟରେ ତାଙ୍କୁ ପୂର୍ବରୁ ସୂଚନା ଦିଆଯାଇ ନ ଥିବା ସେ ଅଭିଯୋଗ କରିଛନ୍ତି। ଯାତ୍ରୀମାନେ ଅଭିଯୋଗ କରିଛନ୍ତି ଯେ ସେମାନେ ଏଜେଣ୍ଟଙ୍କ ମାଧ୍ୟମରେ ଟିକେଟ୍ ବୁକ୍ କରିଥିଲେ ଏବଂ ଟିକେଟ୍ ଏଜେଣ୍ଟ ବିମାନ ସମୟର ପରିବର୍ତ୍ତନ ବିଷୟରେ ସେମାନଙ୍କୁ ଜଣାଇ ନଥିଲେ।

ସମ୍ବନ୍ଧିତ ଖବର