କୋଲକାତା: ଅହମଦାବାଦ ବିମାନ ଦୁର୍ଘଟଣାରେ ସାରା ଦେଶ ଦୋହଲିଯାଇଥିବା ବେଳେ ଦୁର୍ଘଟଣାର ଭୟ କାହାରି ମନରୁ ଯାଇନି । ଆଉ ଏତିକି ବେଳେ ପୁଣି ଏୟାର ଇଣ୍ଡିଆ ବିମାନରେ ତ୍ରୁଟି ଦେଖିବାକୁ ମିଳିଛି । ଯାନ୍ତ୍ରିକ ତ୍ରୁଟି ପାଇଁ କୋଲକାତାରେ ଜରୁରୀ ଅବତରଣ କଲା ଆମେରିକାରୁ ଆସିଥିବା ବିମାନ । ଆମେରିକା କାର୍ଲିଫର୍ଣ୍ଣିଆର ସାନ୍-ଫ୍ରାନ୍ସିକୋରୁ ମୁମ୍ବାଇ ଯାଉଥିବା ଏହି ବିମାନ କୋଲକାତା ବିମାନବନ୍ଦରରେ ଅବତରଣ କରିଛି ।
ତେବେ ବିମାନର ଇଞ୍ଜିନର ଯାନ୍ତ୍ରିକ ଅସୁବିଧା ଯୋଗୁ ବିମାନକୁ ଜରୁରୀ ଅବତରଣ କରିବାକୁ ପଡିଲା । ଯାନ୍ତ୍ରିକ ତ୍ରୁଟି ପରେ ଯାତ୍ରୀମାନଙ୍କୁ ବିମାନରୁ ଓହ୍ଲାଇ ଦିଆଯାଇଥିଲା । ଏୟାରଇଣ୍ଡିଆର ବିମାନ ଏଆଇ୧୮୦ ଗତକାଲି ରାତି ୧୨ ଟା ୪୫ ମିନିଟ ସମୟରେ କୋଲକାତାରେ ଅବତରଣ କରିଥିଲା । ପରେ ଇଞ୍ଜିନରେ ତ୍ରୁଟି ଯୋଗୁ ବିମାନ ସେଠାରୁ ମୁମ୍ବାଇକୁ ଉଡାଣ ଭରିବାରେ ବିଳମ୍ବ ହୋଇଥିଲା । ପରେ ଭୋର ୫ଟା ୨୦ ମିନିଟ ସମୟରେ ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇଯିବାକୁ କୁହାଯାଇଥିଲା । ବିମାନର ସୁରକ୍ଷା ଦୃଷ୍ଟିରୁ ଯାତ୍ରୀଙ୍କୁ ଓହ୍ଲାଇଯିବାକୁ ପାଇଲଟ ଅନୁରୋଧ କରିଥିଲେ ।
ବାରମ୍ବାର ଏୟାରଇଣ୍ଡିଆ ବିମାନରେ ତ୍ରୁଟି ଯୋଗୁ ଯାତ୍ରୀଙ୍କୁ ହନ୍ତସସ୍ତ ହେବାକୁ ପଡୁଛି । ଗତକାଲି ହଂକଂରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନ ମଝି ଆକାଶରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ହଂକଂ ଫେରିଥିଲା । ଇଣ୍ଡିଆର ବୋଇଂ ୭୮୭-୮ ଡ୍ରିମଲାଇନର ବିମାନ ଫ୍ଲାଇଟ୍ ଏଆଇ ୩୧୫ ଠିକ୍ ସମୟରେ ହଂକଂରୁ ଉଡ଼ାଣ ଭରିଥିଲା । କିନ୍ତୁ ଉଡ଼ାଣ ପରେ କିଛି ସମୟ ମଧ୍ୟରେ ପାଇଲଟଙ୍କୁ ସମ୍ଭାବ୍ୟ ତ୍ରୁଟିର ସଙ୍କେତ ମିଳିଥିଲା । ଯାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ପାଇଲଟ ତୁରନ୍ତ ବିମାନକୁ ହଂକଂର ଚେକ୍ ଲାପ କୋକ ବିମାନବନ୍ଦରକୁ ଫେରାଇ ନେଇଥିଲେ । ଆଉ ଏକ ବଡ ଅଘଟଣରୁ ଯାତ୍ରୀ ଅଳ୍ପକେ ବର୍ତ୍ତିଗଲେ ।