ନୂଆଦିଲ୍ଲୀ: ଉତ୍ତରପଶ୍ଚିମ ୟୁରୋପ୍‌ରେ ବାତ୍ୟା ‘ୟୁନିସ୍’ ଭୀଷଣ ବେଗରେ ପ୍ରବାହିତ ହେଉଥିବା ବେଳେ ଲଣ୍ଡନ୍‌ର ହିଥ୍ରୋ ବିମାନ ବନ୍ଦରରେ ଏୟାର୍‌ ଇଣ୍ଡିଆର ୨ଟି ବିମାନ ନିରାପଦରେ ଅବତରଣ କରି ଆଲୋଚ୍ୟ ବିଷୟ ପାଲଟିଛି। ଏହି ଅବତରଣକାଳୀନ ଭିଡିଓ ମଧ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଛି। ସାମାଜିକଗଣମାଧ୍ୟମ ବ୍ୟବହାରକାରୀମାନେ ବିମାନ ଦୁଇଟିର ପାଇଲଟ୍‌ମାନଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି।

Advertisment

ଏହି ବିମାନ ଦୁଇଟିର ଅବତରଣକାଳୀନ ଦୃଶ୍ୟକୁ ୟୁଟ୍ୟୁବ୍‌ରେ ଲାଇଭ୍‌-ଷ୍ଟ୍ରିମ୍‌ କରିଛି ‘ଜେଟ୍‌ ଟିଭି’। ଏଥିରେ ବିମାନ ଦୁଇଟିର ଗତିବିଧି ଉପରେ ଧାରବିବରଣୀ ପ୍ରଦାନ କରୁଛନ୍ତି ଭାଷ୍ୟକାର ଜେରି ଡାୟର୍ସ।

ପ୍ରାପ୍ତ ସୂଚନା ଅନୁସାରେ, ଶୁକ୍ରବାର ଅପରାହ୍ଣରେ ବିମାନ ଦୁଇଟି ହିଥ୍ରୋ ବିମାନ ବନ୍ଦରରେ ଅବତରଣ କରିଥିଲେ। ହାଇଦ୍ରାବାଦରୁ ଯାଇଥିବା ‘ଏୟାର୍‌ ଇଣ୍ଡିଆ-୧୪୭’ ବିମାନର କ୍ୟାପ୍‌ଟେନ୍‌ ଥିଲେ ଅଞ୍ଚିତ ଭରଦ୍ବାଜ ଏବଂ ଗୋଆରୁ ଯାତ୍ରା କରିଥିବା ‘ଏୟାର୍‌ ଇଣ୍ଡିଆ-୧୪୫’ ବିମାନର କ୍ୟାପ୍‌ଟେନ୍‌ ଥିଲେ ଆଦିତ୍ୟ ରାଓ।

ସେଥିରୁ ଗୋଟିଏ ବିମାନ ଅବତରଣ କରିବା କ୍ଷଣି ଭାଷ୍ୟକାର ଡାୟର୍ସ କହିଲେ, ଜଣାପଡୁଛି ସେ ଅବତରଣ କରିବାରେ ସମର୍ଥ ହେବେ। ତୀବ୍ର ବେଗରେ ବତାସ ବହୁଛି। ସତରେ, ଭାରତୀୟ ପାଇଲଟ୍‌ଜଣକ ଅତ୍ୟନ୍ତ ଦକ୍ଷ।

ସୂଚନାଯୋଗ୍ୟ, ଉତ୍ତରପଶ୍ଚିମ ୟୁ‌ରୋପ୍‌କୁ ବିଧ୍ବସ୍ତ କରି ବାତ୍ୟା ‘ୟୁନିସ୍’ ଅନ୍ୟୂନ ୧୬ଜଣଙ୍କର ଜୀବନ ନେଇଛି। ବାତ୍ୟା ଯୋଗୁଁ ବ୍ରିଟେନ୍‌, ଆୟର୍ଲାଣ୍ଡ୍, ନେଦର୍‌ଲାଣ୍ଡ୍‌ସ୍‌, ବେଲ୍‌ଜିୟମ୍‌, ଜର୍ମାନି ଏବଂ ପୋଲାଣ୍ଡ୍‌ରେ ତୀବ୍ର ବେଗରେ ବତାସ ପ୍ରବାହିତ ହୋଇଥିଲା। ଶୁକ୍ରବାର ଦିନ ଇଂଲଣ୍ଡ୍‌ର ପାଣିପାଗ ବିଭାଗ ‘ରେଡ୍‌ ୱାର୍ଣ୍ଣିଙ୍ଗ୍‌’ ଜାରି କରିଥିବାରୁ ହିଥ୍ରୋ, ଗାଟ୍‌ୱିକ୍ ଏବଂ ଆମ୍‌ଷ୍ଟର୍‌ଡାମ୍‌ର ସିଫୋଲ୍‌ ବିମାନ ବନ୍ଦରରେ ଶହ ଶହ ବିମାନ ବାତିଲ ହୋଇଥିଲା ଏବଂ କେତେ ଉଡ଼ାଣ ଓ ଅବତରଣ ସମୟ ବିଳମ୍ବ କରିଥିଲେ।